ଶିକ୍ଷା ବିଭାଗରେ କ’ଣ ଚାଲିଛି? ଅବସର ପରେ ପଦୋନ୍ନତି ଅର୍ଡର

ବାରିପଦା : ପଦୋନ୍ନତିକୁ ଚାହିଁ ଚାହିଁ ଚାକିରି ସରିଗଲା। ଅବସର ପୂର୍ବରୁ ଅଳ୍ପଦିନ ପାଇଁ ହେଉ ପଛେ ବିଇଓ ହେବାକୁ ଆଶା ରଖିଥିଲେ ବେତନଟୀ ବ୍ଲକ୍‌ ଅତିରିକ୍ତ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରିଥିବା କାଳିଚରଣ ମହାନ୍ତ। ହେଲେ ପଦୋନ୍ନତି ହେଲାନି। ମନଦୁଃଖରେ ଗତ ଜୁଲାଇ ୩୧ରେ ଏବିଇଓ ଭାବେ ଅବସର ନେଲେ। ମାତ୍ର ଅବସର ନେବାର ୨୦ ଦିନ ପରେ ଆଜି ଶ୍ରୀ ମହାନ୍ତଙ୍କୁ ବେତନଟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଭାବେ ପଦୋନ୍ନତି ଦିଆଯାଇଛି।

ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ପଦୋନ୍ନତି ତାଲିକାରେ ଶ୍ରୀ ମହାନ୍ତଙ୍କ ନାମ ରହିଛି। ଶିକ୍ଷା ବିଭାଗର ଏଭଳି ବିଚିତ୍ର ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅବସର ପରେ ପଦୋନ୍ନତି ପାଇଥିବା ଶ୍ରୀ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବା ଅନୁସାରେ ଚାକିରି କାଳରେ ପଦୋନ୍ନତି ଦେଲେନି। ଆଉ ଅବସର ନେବା ପରେ ପ୍ରକାଶ ପାଇଛି ପଦୋନ୍ନତି ତାଲିକା। ଏହି ଘଟଣା ତାଙ୍କୁ ଦୁଃଖ ଦେଇଥିବା ସେ କହିଛନ୍ତି। ସୂଚନା ଅନୁସାରେ ଏହି ପଦୋନ୍ନତି ତାଲିକା ଗତ ମେ ମାସରୁ ସ୍ଥିର ହୋଇ ସାରିଥିଲା। ମାତ୍ର ପ୍ରାଶାସନିକ ଅବ୍ୟବସ୍ଥା ଯୋଗୁ ଏହା ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା।

ସମ୍ବନ୍ଧିତ ଖବର