ସଇନ୍ତଳା/ଦେଓଗାଁ: ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ୍ ଅଜୟ ଖୁଣ୍ଟିଆ। ଜଣେ ଶିକ୍ଷକଙ୍କ ମହଙ୍ଗା ଭତ୍ତା ମଞ୍ଜୁରି ପାଇଁ ସେ ୧୮ ହଜାର ଟଙ୍କା ନେଉଥିଲେ। ସୂଚନା ଅନୁସାରେ, ସଇନ୍ତଳା ବ୍ଲକ୍ ଲମକାନୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସହଦେବ ଦନ୍ତା ଜାତୀୟ ପେନସନ୍ ଯୋଜନାର ମହଙ୍ଗା ଭତ୍ତା ମଞ୍ଜୁରି ପାଇଁ ଆବେଦନ କରିଥିଲେ। ଏଥିପାଇଁ ବ୍ଲକ୍ ଶିକ୍ଷା ବିଭାଗରେ ଚୁକ୍ତିଭିତ୍ତିକ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ଅଜୟ ଖୁଣ୍ଟିଆ ତାଙ୍କୁ ୧୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହା ପରେ ଶିକ୍ଷକ ଶ୍ରୀ ଦନ୍ତା ସମ୍ବଲପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଫଳରେ ଭିଜିଲାନ୍ସ ବିଭାଗ ପୂର୍ବ ପସ୍ତୁତି ଅନୁଯାୟୀ ଶୁକ୍ରବାର ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଚଢ଼ଉ କରି ଲାଞ୍ଚ ଟଙ୍କା ନେଉଥିବା ବେଳେ ଅଜୟଙ୍କୁ କାବୁ କରିଥିଲା। ପରେ ତାଙ୍କୁ ଗିରଫ କରି ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିଲା। ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୨୨ରେ ଏକ ମାମଲା ରୁଜୁ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp