ଶିକ୍ଷା ବିଭାଗର ଅଜବ ନୀତି, ୩୦ ବର୍ଷ ଅଧ୍ୟାପକ ଦାୟିତ୍ବ ତୁଲାଇବା ପରେ ମିଳୁନି ପ୍ରାପ୍ୟ

ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟରେ ୧୯୮୯ ମସିହାରୁ ୨୦୧୯ ପର୍ଯ୍ୟନ୍ତ ପ୍ରାୟ ୩୦ ବର୍ଷ ଅଧ୍ୟାପନା କାର୍ଯ୍ୟ କରି ଡ. ସରୋଜ କୁମାର ଦାସ ଗତ ୮ ମାସ ତଳେ ଅବସରଗ୍ରହଣ କରିଛନ୍ତି। ତେବେ ଅବସର ପରେ ମିଳିବାକୁ ଥିବା ପ୍ରାପ୍ୟ ତାଙ୍କୁ ମିଳିନାହିଁ ବୋଲି ଶ୍ରୀ ଦାସ କହିଛନ୍ତି। ସେ ତାଙ୍କ ଚାକିରି କାଳରେ ଜଣେ ଆଦର୍ଶ ଅଧ୍ୟାପକ ରୂପେ ଶିକ୍ଷାର୍ଥୀ, ଅଭିଭାବକ, ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଖରେ ପ୍ରିୟପାତ୍ର ହୋଇଥିଲେ। ସେ କେବଳ ଅଧ୍ୟାପନା କ୍ଷେତ୍ରରେ ହିଁ ନୁହେଁ, ସମାଜସେବା, ସାହିତ୍ୟ ଅନୁରାଗ ଭଳି ଅନେକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେଇ ସବୁବେଳେ ମର୍ଯ୍ୟାଦା ସାଉଁଟି ନେଇଛନ୍ତି। ଏହି ମହାବିଦ୍ୟାଳୟର ସେ ପ୍ରଥମ ପିଏଚଡି ଲାଭ କରିଥିବା ଅଧ୍ୟାପକ। ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମରେ ସେ ଆଗଧାଡିରେ ଠିଆ ହୋଇ କାର୍ଯ୍ୟ କରୁଥିଲେ। ତେବେ ତାଙ୍କ ଭଳି ଜଣେ ଆଦର୍ଶ ଶିକ୍ଷାବିତଙ୍କୁ ଉଦ୍ଦେଶ୍ୟ ପ୍ରଣଦିତ କରି କୌଣସି ଟଙ୍କା ପ୍ରଦାନ କରାଯାଉନାହିଁ ବୋଲି ଶ୍ରୀ ଦାସ କହିଛନ୍ତି। ସେ ଏବେ ଅସହାୟ ଅବସ୍ଥାରେ ଥିଲାବେଳେ ବାହା ନହୋଇ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି।

ଜଣେ ସାଧାରଣ କର୍ମଚାରୀଙ୍କୁ ଅବସର ବେଳେ ସଂସ୍ଥା କିମ୍ବା ବିଭାଗ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ତେବେ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ତାଙ୍କୁ କୌଣସି ସହଯୋଗ କରୁନଥିବା ଅଭଯୋଗ ହୋଇଛି। ସେ ଯେଉଁ ଘରେ ରହୁଛନ୍ତି ସେଠାରୁ ମଧ୍ୟ ତାଙ୍କୁ ତୁରନ୍ତ ହଟିବାକୁ ବାଧ୍ୟ କରାଯାଉଥିବା ଜଣାପଡ଼ିଛି। ପାଖରେ ଟଙ୍କାଟିଏ ନଥିବାରୁ ସେ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି। ଗୋଟିଏ ବେଳା ଖାଇଲେ ଆର ବେଳାକୁ ସେ ଭୋକରେ ଶୋଉଛନ୍ତି। ଏହି ଖବର ପ୍ରଚାର ହେବା ପରେ ଜିଲ୍ଲାରେ ବେଶ୍ ଚର୍ଚ୍ଚା ହେଉଛି। ଜୀବନବ୍ୟାପୀ ପିଲାଙ୍କ ପାଇଁ ଅଧ୍ୟାପନା କରିବା ଏବଂ ଶେଷ ମୁହୂର୍ତ୍ତରେ ବଞ୍ଚିବା ପାଇଁ ଅହରହ ସଂଘର୍ଷ କରିବା କେତେ କଷ୍ଟ ଯିଏ ଅଙ୍ଗେ ନିଭାଇଛି ସେ ଜାଣିଛି ବୋଲି ସେ କୁହନ୍ତି। ଦିନେ ମହାବିଦ୍ୟାଳୟର ନାମ ଟେକ ରଖିଥିବାବେଳେ ଏବେ ସେ ଅଦରକାରୀ ପାଲଟି ଯାଇଛନ୍ତି। ତାଙ୍କୁ ମହାବିଦ୍ୟାଳୟ ପକ୍ଷରୁ ତୁରନ୍ତ ସହାୟତା କରିବାକୁ ସାଧାରଣରେ ଦାବି ହୋଇଛି। ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗା କରାଯିବାରୁ ଶ୍ରୀ ଦାସ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ବିଭାଗ ତରଫରୁ କୌଣସି ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ନାହିଁ। ଯଦି ସେ ଇପିଏଫ ପାଇଁ ଆବେଦନ କଲେ ତାଙ୍କୁ ଇପିଏଫ ଟଙ୍କା ମିଳିବ ବୋଲି ସେ କହିଥିଲେ।

ସୂଚନାଥାଉକି, ଶ୍ରୀ ଦାସ ୧୯୮୩ ମସିହାରେ ପଶ୍ଚିମବଙ୍ଗର ବିଶ୍ବଭାରତୀ ଶାନ୍ତିନିକେତନରେ ସାମାଜିକ ବିଜ୍ଞାନରେ ଏମଏ ପାସ୍ କରିଥିଲେ। ପରେ ସେ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳକୁ ଆସି ମାଲକାନଗିରି କଲେଜରେ ଅଧ୍ୟାପନା ଦାୟିତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର