ତାଲିକା ମାଗିଲା ଉଚ୍ଚଶିକ୍ଷା ବିଭାଗ

ବ୍ୟାସକବି ଫକୀର ମୋହନ ମେଧାବୃତ୍ତି ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଆ ବିଷୟରେ ଦକ୍ଷତା ହାସଲ କରୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ବୃତ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ବ୍ୟାସକବି ଫକୀରମୋନହ ସେନାପତି ମେଧାବୃତ୍ତିି’ ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟର ୧୧ଟି ବିଶ୍ୱବିଦ୍ୟାଳୟ, ୧୯ଟି ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦଠାରୁ ତଥ୍ୟ ମାଗିଛି ଉଚ୍ଚଶିକ୍ଷା ବିଭାଗ। ବିଭାଗର ଅତିରିକ୍ତ ସଚିବ ଶ୍ରୀକାନ୍ତ ପୃଷ୍ଟି ଚିଠି ଲେଖିବା ସହ ଜୁଲାଇ ୨ ସୁଦ୍ଧା ମେଧାବୀ ଓଡ଼ିଆ ଛାତ୍ରଛାତ୍ରୀଙ୍କ ତାଲିକା ପଠାଇବାକୁ ନିର୍ଦେଶ ଦେଇଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଯୁକ୍ତ୩ କଳା ବିଭାଗରେ ଓଡ଼ିଆ ଅନର୍ସ ରଖିଥିବା ତଥା ପ୍ରମୁଖ ବିଷୟ ଭାବେ ଓଡ଼ିଆ ରଖିଥିବା ପିଲାଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯିବ। ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ବିକାଶ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତେଣୁ ଓଡ଼ିଆ ବିଷୟରେ ୮୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସମେତ ୭୫ରୁ ୮୦%, ୭୦ରୁ ୭୫% ଓ ୬୫ରୁ ୭୦% ମାର୍କ ରଖିଥିବା ପିଲାଙ୍କ ତାଲିକା ପଠାଇବାକୁ ୧୧ଟି ସରକାରୀ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଓ ୧୯ଟି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ କୁହାଯାଇଛି ଯେ ଓଡ଼ିଆ ବିଷୟକୁ ଅପ୍‌ସନାଲ ଭାବେ ରଖି ଯୁକ୍ତ୨ କଳା ବିଭାଗରେ ପାସ୍‌ କରିଥିବା ଛାତ୍ରଛାତ୍ରୀ(ଏମ୍‌ଆଇଏଲ୍‌ ଓଡ଼ିଆ ନୁହେଁ)ଙ୍କ ତାଲିକା ଦିଅନ୍ତୁ। ୯୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସମେତ ୮୫ରୁ ୯୦%, ୮୦ରୁ ୮୫% ଓ ୭୫ରୁ ୮୦% ନମ୍ବର ରଖିଥିବା ପିଲାଙ୍କ ତାଲିକା ‘[email protected]’ରେ ଜୁଲାଇ ୨ ସୁଦ୍ଧା ପଠାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର