ଭୁବନେଶ୍ବର: ଥରେ କି ଦୁଇ ଥର ନୁହେଁ। ଚଳିତବର୍ଷ ଶିକ୍ଷକମାନଙ୍କ ବଦଳି ଆବେଦନ ୫ ଥର ଘୁଞ୍ଚିଲାଣି। ପ୍ରଥମେ ଏପ୍ରିଲ ୧୫ରୁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୩୦ରେ ଶେଷ ହୋଇଥିଲା। ଜୁନ୍ ୧୦ ସୁଦ୍ଧା ପ୍ରକ୍ରିୟା ସାରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ଅପାରଗତା ପାଇଁ ଏବେ ସମୟ ବଢ଼ି ବଢ଼ି ଚାଲିଛି। ଅକ୍ଟୋବର ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଆବେଦନ ପ୍ରକ୍ରିୟା ଶେଷ ହେଉନାହିଁ। ଏବେ ବଦଳି ଆବେଦନ ପ୍ରକ୍ରିୟା ପୁଣିଥରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏଭଳି ହେବା ଦ୍ବାରା ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀ ବଦଳି ପାଇଁ ଆବେଦନ କରିଥିଲେ ସେମାନେ ଏବେ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷ ମଧ୍ୟରେ ବଦଳି ହେବ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।
କେବଳ ସେତିକି ନୁହେଁ, ରାଜ୍ୟର ଅଧିକାଂଶ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ କେତେଜଣ ଶିକ୍ଷକ ୧୫ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ଗୋଟିଏ ସ୍କୁଲରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିଲେ ମଧ୍ୟ ସେମାନଙ୍କ ବଦଳି ହେଉନି। ଗଣଶିକ୍ଷା ବିଭାଗ ନିୟମ (ଚିଠି ନମ୍ବର-୨୨୧୬୭/୪/୧୦/୧୮) ଅନୁଯାୟୀ ଜଣେ ଶିକ୍ଷକ କୌଣସି ବିଦ୍ୟାଳୟରେ ୧୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କଲେ ତାଙ୍କୁ ବାଧ୍ୟତାମୂଳକ ବଦଳି କରାଯିବ। ତେବେ ଗଣଶିକ୍ଷା ବିଭାଗରେ ତାହାକୁ କଡ଼ାକଡ଼ି କରାଯାଉ ନାହିଁ। ଯେଉଁଥିପାଇଁ ଶିକ୍ଷକମାନେ ଦୀର୍ଘ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି। ମନ ମୁତାବକ କାର୍ଯ୍ୟ କରୁଛନ୍ତି। ସେପଟେ ଆଉ କିଛି ଶିକ୍ଷକଙ୍କର ୧୦ ବର୍ଷ ମଧ୍ୟରେ ୫ ଥର ବଦଳି ହେଇ ସାରିଲାଣି। ଗଣଶିକ୍ଷା ବିଭାଗରେ ଏଭଳି ପାତରଅନ୍ତରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପଟେ ରାଜ୍ୟ ସରକାର ‘୫ଟି’ ସ୍ଲୋଗାନ ଦେଉଥିବା ବେଳେ ଅନ୍ୟପଟେ ଶିକ୍ଷକମାନଙ୍କ ବଦଳି ନ ହେବା ବିଭାଗୀୟ ଅଧିକାରୀଙ୍କ ସଚ୍ଚୋଟତାକୁ ନେଇ ପ୍ରଶ୍ନ ଉଠିଛି।
କେବଳ ଶିକ୍ଷକ ନୁହନ୍ତି; ବିଭାଗରେ କାର୍ଯ୍ୟ କରୁଥିବା ଶିକ୍ଷା ଅଧିକାରୀମାନେ ବି ଦୀର୍ଘଦିନ ଧରି ଗାଦି ମାଡ଼ି ବସିଛନ୍ତି। ସେମାନଙ୍କ ବଦଳି ହେଉ ନାହିଁ। ଯଦି ଦେଖାଯାଏ ପୁରୀ ଓ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଧିକାରୀ ଏବେ ୫ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ରହିଛନ୍ତି। ପୁରୀ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ଅଧିକାରୀ ଦୀର୍ଘ ବର୍ଷ ଧରି ସେହି ପଦରେ କାର୍ଯ୍ୟ କରୁଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ୫ ବର୍ଷରୁ ଅଧିକ ଦିନ ହେଲା ସେହି ପଦରେ କାର୍ଯ୍ୟ ତୁଲାଉଛନ୍ତି। ଏଭଳି ଅନେକ ଅଧିକାରୀ ଦୀର୍ଘ ବର୍ଷ ହେଲା ଗୋଟିଏ ସ୍ଥାନ ଓ ପଦରେ ରହିଥିଲେ ମଧ୍ୟ ସେମାନଙ୍କ ବଦଳି କରାଯାଉ ନାହିଁ। ଏହି ଶିକ୍ଷା ଅଧିକାରୀମାନଙ୍କ ଦକ୍ଷତା ଓ ଅଭିଜ୍ଞତାକୁ ଯଦି ବ୍ୟବହାର କରାଯିବ ତେବେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆସିପାରିବ ବୋଲି ଶିକ୍ଷାବିତ୍ମାନେ ମତ ପ୍ରକାଶ କରିଛନ୍ତି।