ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉନି: ନରସିଂହ

ଭୁବନେଶ୍ବର : ବିଧାନସଭାରେ ଆଜି ୨୦୨୨-୨୩ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ପାରିତ ହୋଇଛି। ବିଜେପି ସଭ୍ୟମାନଙ୍କ ଅନୁପସ୍ଥିତିରେ ବ୍ୟୟମଞ୍ଜୁରି ବିଲ୍‌ ଉପରେ ଆଲୋଚନା ହେବା ପରେ ପାରିତ ହୋଇଥିଲା। ଗତ ୨୪ ତାରିଖରେ ଅର୍ଥ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ୧୬,୮୦୦ କୋଟି ଟଙ୍କାର ଚିଠା ବଜେଟ୍‌ ଉପସ୍ଥାପନ କରିଥିଲେ। ଆଜି ଆଲୋଚନା ବେଳେ କଂଗ୍ରେସ ସଭ୍ୟମାନେ ସରକାରଙ୍କ ବିଭିନ୍ନ ବିଫଳତା ବିଶେଷ କରି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସମସ୍ୟାକୁ ବର୍ଣ୍ଣନା କରି ସମାଲୋଚନା କରିଥିଲେ। ଜବାବରେ ଶାସକ ଦଳ ସଭ୍ୟମାନେ ସରକାରଙ୍କ ବହୁ ନିଷ୍ପତ୍ତିକୁ ଐତିହାସିକ ବୋଲି ଯୁକ୍ତି ବାଢ଼ିଥିଲେ।

ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ରାଜ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉନି। ସ୍କୁଲରେ ଶିକ୍ଷକ ନାହାନ୍ତି କି ହସ୍ପିଟାଲରେ ଡାକ୍ତର ନାହାନ୍ତି। ଏପରିକି ଗୃହରେ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଆଲୋଚନା କରିବା ବେଳେ ଶିକ୍ଷା ମନ୍ତ୍ରୀ କି ସ୍ବାସ୍ଥ୍ୟ ମନ୍ତ୍ରୀ ଉପସ୍ଥିତ ନାହାନ୍ତି। ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ବିଲ୍‌ ପାସ୍‌ ହେଲା। ହେଲେ ସେ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାରେ କାହିଁକି ବିଳମ୍ବ ହେଉଛି। ସରକାରୀ ହସ୍ପିଟାଲରେ ଡାକ୍ତର, ନର୍ସ ନାହାନ୍ତି କି ଟେକନିସିଆନ୍ ନାହାନ୍ତି। ମାଗଣା ଔଷଧ ଦେଉଛନ୍ତି ବୋଲି କହୁଛନ୍ତି, ହେଲେ ରୋଗୀ ଔଷଧ ପାଉନାହାନ୍ତି। ସ୍ବାସ୍ଥ୍ୟ ବୀମା କାର୍ଡ ଅଛି କହୁଛନ୍ତି, ହେଲେ ହସ୍ପିଟାଲକୁ ଗଲେ କହୁଛନ୍ତି ଏଥିରେ ଟେଷ୍ଟ ହେବନି, ଟେଷ୍ଟ ପାଇଁ ଅଲଗା ଅର୍ଥ ଜମା କର। ଏଥିରେ କେବଳ ଚିକିତ୍ସା ମିଳିବ।

ସେହିପରି ରାଜ୍ୟରେ ସବୁ ଅଞ୍ଚଳକୁ ଜଳସେଚନ ବ୍ୟବସ୍ଥା ନାହିଁ। ଏଥିରେ ଚାଷ କେମିତି ହେବ? ୨୦୦୮ରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ଯେଉଁଠି ଜଳସେଚନ ହୋଇ ନଥିବ ସେ ଅଞ୍ଚଳ ପାଇଁ ୫ଲକ୍ଷ ଟଙ୍କା ଦେବେ। ହେଲେ ଆଜି ପର୍ଯ୍ୟନ୍ତ ଜଣଙ୍କୁ ବି ଏହି ସହାୟତା ମିଳିଲାନି। ୨୦୦୯ରେ କହିଲେ କୃ୍ଷକଙ୍କୁ ମାଗଣାରେ ବିଜୁଳି ଦେବୁ, ହେଲେ ଦେଲେନି। ବରଂ ବିଦ୍ୟୁତ ଦେୟ ବଢ଼ାଇ ଚାଲିଛନ୍ତି।

ସରକାରଙ୍କ ବିଫଳତାକୁ ଦେଖାଇଲେ କଂଗ୍ରେସ ବିଧାୟକ
ଓଡ଼ିଶା ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି: ଶାସକ ଦଳ
ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ

ଶ୍ରୀ ମିଶ୍ର କହିଥିଲେ, ଏକଦା ୟୁପିଏ ସରକାର ନିଷ୍ପତ୍ତି ନେଇଥିଲା ଯେ କୋଲକତାରୁ ପାରଦୀପ ବନ୍ଦର ମଧ୍ୟରେ ସମସ୍ତ ଛୋଟ ବନ୍ଦର ଓ ଗଭୀର ସମୁଦ୍ର କୋଲକତା ବନ୍ଦର ଅଧୀନରେ ରହିବ। ଏହାକୁ ମୁଁ ବିରୋଧ କରିଥିଲି। କଂଗ୍ରେସରେ ଥାଇ ବି ୟୁପିଏ ସରକାର ବିରୋଧରେ କୋର୍ଟରେ ମାମଲା ଲଢ଼ିଥିଲି। ଯେଉଁଥିପାଇଁ ମ‌ନମୋହନ ସରକାରଙ୍କ ବନ୍ଦର ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତି ଖାରଜ ହୋଇଥିଲା। ଯାହାଦ୍ବାରା ଧାମରା ବନ୍ଦର ଓ ଓଡ଼ିଶାର ଗଭୀର ସମୁଦ୍ର ରାଜ୍ୟ ସରକାରଙ୍କ ଅଧୀନକୁ ଆସିଥିଲା। ହେଲେ ଏହାପରେ ରାଜ୍ୟ ସରକାର ଧାମରା ବନ୍ଦରକୁ ଆଦାନି ଗ୍ରୁପ୍‌କୁ ଟେକିଦେଲେ। ସେତେବେଳେ ଯେଉଁ କାମ ପାଇଁ ଗର୍ବ ଅନୁଭବ କରୁଥିଲି ଏବେ ତାହା ଭାବିଲା ବେଳକୁ ଲାଜ ମାଡ଼ୁଛି। ସରକାର ଶିଳ୍ପପତିଙ୍କୁ ଡାକୁଛନ୍ତି, ପୁଞ୍ଜିନିବେଶ କରୁଛନ୍ତି। ହେଲେ ରାଜ୍ୟର କିଛି ବିକାଶ ହେଉନି। କେନ୍ଦ୍ର ସରକାର ଯେପରି ନିଜର କିଛି ଖାସ୍ ଅନ୍ତରଙ୍ଗ ଶିଳ୍ପପତିଙ୍କୁ ଅନୁକମ୍ପା ଦେଖାଉଛନ୍ତି, ଏଠାରେ ବି ବିଜେଡି ସରକାର ସେମିତି କରୁଛନ୍ତି। ରାଜ୍ୟରେ ପୂରା ଖଣି ବ୍ୟବସାୟକୁ ଜଣେ ଅଣଓଡ଼ିଆ ବ୍ୟକ୍ତି ପରିଚାଳନା କରୁଛନ୍ତି। କେଉଁ ଦଳର କିଏ ଖଣି ବ୍ୟବସାୟ କରିବ ସେ ନିଷ୍ପତ୍ତି ନେଉଛନ୍ତି। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ତାଙ୍କ ପକେଟ୍‌ରେ।

ଏହି ଅବସରରେ ଶ୍ରୀ ମିଶ୍ର ଦାବି କରିଥିଲେ ଯେ ମଧୁବାବୁ ପେନ୍‌ସନ୍ ଯୋଜନାରେ ଅର୍ଥରାଶି ମାସିକ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଉ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଦିଆଯାଉଥିବା ଅନୁଦାନ ରାଶି ବାର୍ଷିକ ୨୦ ହଜାର କୋଟି ଟଙ୍କା କରାଯାଉ। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ୫ କୋଟି ଟଙ୍କା କରାଯାଉ। ବଲାଙ୍ଗୀରର ବିଭିନ୍ନ ଦାବି ଉପସ୍ଥାପନ କରି ସେ କହିଲେ ଯେ ବଲାଙ୍ଗୀରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ୍‌ ସ୍ଥାପନ କରାଯିବା ସହ ପ୍ରସ୍ତାବିତ ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଉ। ବଲାଙ୍ଗୀରରେ ଥିବା ପୁରାତନ ମଠ, ମନ୍ଦିରର ଉନ୍ନତି ପାଇଁ ଦେବୋତ୍ତର ବିଭାଗକୁ ୫୦୦ କୋଟି ଟଙ୍କା ଦିଆଯାଉ। ମହାରାଣୀ ସାଗରର ତୁରନ୍ତ ଉନ୍ନତି କରାଯିବା ସହ ଲକ୍ଷ୍ମୀଜୋର ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରାଯାଉ। ଶିଳ୍ପବିହୀନ ଜିଲ୍ଲା ବଲାଙ୍ଗୀରରେ ଶିଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବା ସହ ଦେଓଗାଁ ଚିନି କଳକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ।

କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହିଲେ, ରାଜ୍ୟରେ ଗୋଟିଏ ଅପାରଗ ସରକାର ଚାଲିଛି। ମେକ୍ ଇନ୍ ଓଡ଼ିଶାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଗୋଟିଏ କମାର ଶାଳ ବି ହୋଇପାରୁନି। ସେହି ଟଙ୍କାରେ ‌ମାଷ୍ଟର୍‌, ଡାକ୍ତର ନିଯୁକ୍ତି ଦେଇଥିଲେ ଭଲ ହୋଇଥା’ନ୍ତା। କଂଗ୍ରେସ ସଭ୍ୟ ଅଧିରାଜ ମୋହନ ପାଣିଗ୍ରାହୀ, ମହମ୍ମଦ ମୋକିମ୍‌, ଦାଶରଥୀ ଗମାଙ୍ଗୋ ଓ ସି ଏସ୍ ରାଜନ ଏକ୍କା ପ୍ରମୁଖ ଆଲୋଚନାରେ ଭାଗ ନେଇ ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟର ସମାଲୋଚନା କରିଥିଲେ। ସିପିଆଇ(ଏମ୍‌) ସଭ୍ୟ ଲକ୍ଷ୍ମଣ ମୁଣ୍ଡା ଓ ସ୍ବାଧୀନ ସଭ୍ୟ ମକରନ୍ଦ ମୁଦୁଲି ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ।

ଶାସକ ଦଳ ପକ୍ଷରୁ ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ସୁଦାମ ମାର୍ଣ୍ଡି, ଅନନ୍ତ ନାରାୟଣ ଜେନା ଓ ସୁଧ‌ାଂଶୁ ଶେଖର ପରିଡ଼ା ପ୍ରମୁଖ ଆଲୋଚନାରେ ଭାଗ ନେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଯୋଗୁ ଓଡ଼ିଶା ଏବେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ସ୍ବାସ୍ଥ୍ୟ, ଶିକ୍ଷା ଓ ମହିଳା ସଶକ୍ତୀକରଣ ସବୁଥିରେ ଓଡ଼ିଶା ଏବେ ଉଦାହରଣ ପାଲଟିଛି ବୋଲି ସେମାନେ କହିଥିଲେ।

ଅର୍ଥ ମନ୍ତ୍ରୀଙ୍କ ପକ୍ଷରୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଆଲୋଚନାର ଉତ୍ତର ରଖି ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ସମ୍ପର୍କରେ କହିଥିଲେ। ସବୁ ବର୍ଗର ଲୋକଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଓ ସବୁ ଅଞ୍ଚଳର ସମାନ ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ। ସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତି ଚାଲିଥିଲା ବେଳେ ଅଧିକ ମେଡିକାଲ୍‌ କଲେଜ ଖୋଲାଯାଇଥିବାରୁ ଆଉ ଡାକ୍ତର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ। ତେବେ ବିରୋଧୀ ଦଳ ପକ୍ଷରୁ ଉଠାଯାଇଥିବା ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡ଼ିକର ଉତ୍ତର ମନ୍ତ୍ରୀ ଦେଉ ନଥିବାରୁ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଆପତ୍ତି ଉଠାଇଥିଲେ। ତାହା ପରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର