ରାଉରକେଲା:  ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା ଭଳି ମୌଳିକ ଅଧିକାର ଲୋକଙ୍କ ପାଖରେ କେତେ ପହଞ୍ଚି ପାରିଛି ତାହା ସୀମାବର୍ତ୍ତୀ ଉପାନ୍ତ ଗାଁ’ ଗୁଡ଼ିକର ସ୍ଥିତିରୁ ଜଣା ପଡ଼େ। ଜିଲ୍ଲାର କୁଆରମୁଣ୍ଡା ବ୍ଲକ୍‌, ମଝାପଡ଼ା ପଞ୍ଚାୟତ ଅନ୍ତର୍ଗତ ସେହିଭଳି ଏକ ସୀମାବର୍ତ୍ତୀ ବଣପାହାଡ଼ ଘେରା ଗାଁ ହେଉଛି ରଚାକନା। ଏହି ଗାଁ’ରେ ଥିବା ସ୍କୁଲ ବନ୍ଦ ହୋଇଯାଇଛି। ଅଙ୍ଗନବାଡ଼ି ଅଛି, କିନ୍ତୁ ତା’ ପାଇଁ ଘରଟିଏ ବି ନାହିଁ। ଫଳରେ ପାଖାପାଖି ଦେଢ଼ ଶହ ପରିବାର ରହୁଥିବା ଏହି ଗାଁ’ର ବହୁ ପିଲା ଆଦୌ ବିଦ୍ୟାଳୟ ମାଡ଼ୁ ନଥିବାବେଳେ ଅଧିକାଂଶଙ୍କର ପାଠପଢ଼ାରେ ଅଧାରୁ ଡୋରି ବନ୍ଧା ହେଉଛି।
Advertisment
ମଝାପଡ଼ା ପଞ୍ଚାୟତ ମୁଖ୍ୟାଳୟଠାରୁ ପ୍ରାୟ ୭ କିଲୋମିଟର ଦୂର ଏହି ଗାଁକୁ ରାସ୍ତାଟିଏ ନଥିବାରୁ ଚାରିଚକିଆ ଯାନ ଯାଇପାରେନି। ଗାଁକୁ ବିକାଶର ବାଟ ଓଗାଳିଛି ଛିଡ଼ା ନଦୀ। ଏହି ନଈ ପାରି ହେବା ବିପଜ୍ଜନକ ହୋଇଥିବାରୁ ଅତି ଆବଶ୍ୟକ ନପଡ଼ିଲେ ଗ୍ରାମବାସୀ ବାହାରକୁ ଯାଆନ୍ତି ନାହିଁ। ଏହି ଗାଁରେ କେବଳ ଯାତାୟତ ନୁହେଁ, ସମଗ୍ର ଶିକ୍ଷା ବ୍ୟବସ୍ଥା ବି ଠପ୍‌ ହୋଇଗଲାଣି। ପ୍ରାୟ ୧୬/୧୭ ବର୍ଷ ପୂର୍ବେ ଏଠାରେ ଏକ ସରକାରୀ ପ୍ରାଥମିକ ସ୍କୁଲ ନିର୍ମାଣ କରା ଯାଇଥିଲା। ସ୍କୁଲ ଖୋଲିବା ପରେ ଦୁଇ ଜଣ ଶିକ୍ଷକ ଯୋଗ ଦେଇଥିଲେ। ସେତେବେଳେ ସ୍କୁଲରେ ୧୦ ଜଣ ଛାତ୍ରଛାତ୍ରୀ ଥିଲେ। ସାମାନ୍ୟ ବର୍ଷାରେ ନଈ ସ୍ରୋତ ପ୍ରଖର ହେଉଥିବାରୁ ଶିକ୍ଷକମାନେ ବହୁ କଷ୍ଟରେ ବିଦ୍ୟାଳୟରେ ପହଞ୍ଚୁଥିଲେ। ବର୍ଷା ଦିନେ କିନ୍ତୁ ଏହା ସମ୍ଭବ ନଥିଲା। ନଈ ପାରି ହେବା ଅସମ୍ଭବ ହେଉଥିବାରୁ ସେମାନେ ପ୍ରାୟ ୨୫ କିଲୋମିଟର ବୁଲି ଝାଡ଼ଖଣ୍ଡ ରାସ୍ତାରେ ଉକ୍ତ ସ୍କୁଲକୁ ଯାଉଥିଲେ। ପାଖାପାଖି ୮ ବର୍ଷ ସ୍କୁଲରେ କଷ୍ଟେମଷ୍ଟେ ଶିକ୍ଷାଦାନ ଚାଲିଥିଲା। ଶିକ୍ଷକ ପାଳି କରି ଆସୁଥିଲେ ଓ ଅଧିକାଂଶ ଦିନ ଆସିପାରୁ ନଥିଲେ। ପିଲା ସଂଖ୍ୟା ବଢାଇବାକୁ ଉଦ୍ୟମ ବି କରାଯାଇ ନଥିଲା। ଏସବୁ ଭିତରେ ଭିତରେ ଯେଉଁ ସ୍କୁଲରେ ବିଦ୍ୟାର୍ଥୀ ସଂଖ୍ୟା ୧୫ରୁ କମ୍‌ ଥିବ ସେହି ସ୍କୁଲକୁ ବନ୍ଦ କରି ନିକଟବର୍ତ୍ତୀ ବିଦ୍ୟାଳୟରେ ମିଶାଇବାକୁ ସରକାର ନିର୍ଦ୍ଦେଶ ଦେଲେ। ସେହିକ୍ରମରେ ୨୦୧୫ ମସିହାରେ ଏହି ସ୍କୁଲ ବନ୍ଦ ହୋଇଯାଇଥିଲା। ପିଲାଙ୍କୁ ଅନ୍ୟ ସ୍କୁଲକୁ ପଠାଇ ଶିକ୍ଷକଙ୍କୁ ବଦଳି କରାଗଲା। ଗତ ୮ ବର୍ଷ ହେଲା ଏହି ପ୍ରାଥମିକ ସ୍କୁଲ ବନ୍ଦ ପଡ଼ିଛି। ସ୍ଥାନାନ୍ତର ଯୋଗୁଁ ଗାଁର ଅର୍ଦ୍ଧାଧିକ ପିଲାଙ୍କ ଶିକ୍ଷା ବି ଆଗକୁ ବଢ଼ି ପାରିଲାନି। ଅବଶ୍ୟ କିଛି ପିଲା ପାର୍ଶ୍ବବର୍ତ୍ତୀ ଗାଁ, ଯଥା ରିଠାଟୋଲି, ସଲଙ୍ଗାବାହାଲରେ ପ୍ରଥମରୁ ଅଷ୍ଟମ ଯାଏ ଓ ମଝାପଡ଼ାରେ ଥିବା ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହି ପାଠ ପଢ଼ୁଛନ୍ତି। କିନ୍ତୁ ଅନେକ ଗ୍ରାମବାସୀ ଆଉ ନିଜ ପିଲାଙ୍କୁ ସ୍କୁଲ୍ ପଠାଇବାକୁ ଉଚିତ ମଣୁ ନାହାନ୍ତି। ଉଲ୍ଲେଖଯୋଗ୍ୟ, ଏହି ଗାଁର ସମସ୍ତ ପରିବାର ଜଙ୍ଗଲ ଜମିରେ ଚାଷ କରି ପେଟ ପୋଷନ୍ତି। ଏଣୁ ଅଧିକାଂଶ ପରିବାର ନିଜ ପିଲାକୁ ଚାଷ କାମରେ ନିୟୋଜିତ କରୁଛନ୍ତି।
ବିଡ଼ମ୍ବନାର ବିଷୟ ଏହା ଯେ, ଏହି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଥିଲେ ବି ତା’ ପାଇଁ ଘରଟିଏ ବି ନାହିଁ। ଫଳରେ ଗାଁର ଆଶାକର୍ମୀଙ୍କ ଘରେ ଛୋଟଛୋଟ ପିଲାଙ୍କୁ ପାଠ ପଢ଼ା ଯାଉଛି। ଏମାନଙ୍କୁ ନା’ ପଞ୍ଚାୟତ କର୍ତ୍ତୃପକ୍ଷ ସାହା ହେଉଛନ୍ତି, ନା ଗୋଷ୍ଠି ଉନ୍ନୟନ ଅଧିକାରୀ। ଏମାନଙ୍କ ସୁଖଦୁଃଖର ସାଥୀ ପାଲଟିଛନ୍ତି ଅଧ କିଲୋମିଟର ଦୂରରେ ଜଙ୍ଗଲ ଭିତରେ ଗଢ଼ି ଉଠିଥିବା ଝାଡ଼ଖଣ୍ଡ ସିମଡେଗା ଜିଲ୍ଲାର ଖାଡ଼ିଆପଡ଼ା, ଚାଟେନପାଲି, ପୋଖରାଟୋଲା ଗାଁ’ର ବାସିନ୍ଦା। ଜଙ୍ଗଲ ଭିତରେ ଥିବା ସତ୍ତ୍ବେ ଝାଡ଼ଖଣ୍ଡ ସରକାର ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିବାବେଳେ ଉକ୍ତ ରାସ୍ତାରେ ରଚାକନା ଗ୍ରାମବାସୀ ଯିବାଆସିବା କରୁଛନ୍ତି। ଗତ ଦୁଇଦଶନ୍ଧି ହେଲା ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରୁଥିବା ସତ୍ତ୍ବେ ତାହା ହେଉ ନଥିବାରୁ ଅସନ୍ତୋଷ ସୀମା ଟପିଲାଣି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାସନ କାର୍ଡ, ଭତ୍ତା କାର୍ଡ ଆଦି ସରକାରଙ୍କୁ ଫେରାଇ ଝାଡ଼ଖଣ୍ଡରେ ସାମିଲ ହେବାକୁ ଚେତାବନୀ ଦେଇଛନ୍ତି।