ଲେଫ୍ରିପଡ଼ା: ଆଦିବାସୀ ଅଧ୍ୟୁଷିତ ଓ ଉପାନ୍ତ ଲେଫ୍ରିପଡ଼ା ବ୍ଲକ୍ରେ ଶିକ୍ଷାବ୍ୟବସ୍ଥା ବେଲଗାମ୍ ହୋଇଯାଇଛି। ବ୍ୟବସ୍ଥାକୁ ନିୟନ୍ତ୍ରଣ ତଥା ପରିଚାଳନା ପାଇଁ ଏଠାରେ ଅଧିକାରୀ ନ ଥିବାବେଳେ ବିଦ୍ୟାଳୟଗୁଡ଼ିକ ଶିକ୍ଷକଙ୍କ ମନମର୍ଜିରେ ଚାଲିଥିବା ଦେଖିବାକୁ ମିଳୁଛି। ନିକଟ ଅତୀତରେ ରାଏଡିହି ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନନିର୍ଯ୍ୟାତନା ଘଟଣା, ଏପ୍ରିଲ ମାସରେ ପଟୁଆଡିହି ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ଯୌନନିର୍ଯ୍ୟାତନା ସହି ନ ପାରି ଜଣେ ଦଶମଶ୍ରେଣୀ ଛାତ୍ରୀ ହଷ୍ଟେଲଛାତରୁ ଡେଇଁ ଆତ୍ମହତ୍ୟା ଘଟଣା ମନରୁ ଲିଭିନାହିଁ। ଏଭଳି କି ଅତୀତରେ ବଡ଼ଖଲିଆ, ମନୋହରପୁର, ଶାଗଯୋର ଆଦି ବିଦ୍ୟାଳୟରେ ମଦ୍ୟପଶିକ୍ଷକଙ୍କ କାରନାମା ଦୃଷ୍ଟିକୁ ଆସିଥିଲା। ସେହିପରି ଗତମାସରେ କୁଲାବିରା କିଶାନପଡ଼ା ପ୍ରାଥମିକ ବିଦ୍ୟାଳୟରେ ମଦ୍ୟପଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ ଗଣମାଧ୍ୟମ ଦୃଷ୍ଟିରେ ପଡ଼ିଥିଲା। ଏହାଛଡ଼ା ଅନେକ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ନ ଆସିବା ଓ ସ୍କୁଲ ବନ୍ଦ ରହିବା ନେଇ ଅଭିଭାବକ ଉଚ୍ଚକର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରୁଥିଲେ ବି କୌଣସି ପଦକ୍ଷେପ ଗ୍ରହଣ ନହେବା ଉଦ୍ବେଗର ବିଷୟ। ଜୁନ୍ ୨୪ ତାରିଖରେ ଉପାନ୍ତ କସେଇଝରଣ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ଏଭଳି ଘଟଣା ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଥିଲା।
ସୂଚନାଯୋଗ୍ୟ ଯେ, ବ୍ଲକ୍ରେ ୮୩ଟି ପ୍ରାଥମିକ ବିଦ୍ୟାଳୟ, ୩୩ଟି ଉଚ୍ଚପ୍ରାଥମିକ ଓ ୨୨ଟି ଉଚ୍ଚବିଦ୍ୟାଳୟ ଏହିପରି ମୋଟ ୧୩୮ଟି ବିଦ୍ୟାଳୟ ରହିଛି। ସେ ସବୁକୁ ୧୩ଟି କ୍ଲଷ୍ଟରରେ ଭାଗ କରାଯାଇ ଜଣେ ଲେଖାଏଁ ସିଆର୍ସିସି ନିଯୁକ୍ତ କରାଯାଇଛି। କିନ୍ତୁ, ଏଠାରେ ବିଇଓ ଓ ଏବିଇଓ ନ ଥିବାରୁ ସିଆର୍ସିସିମାନଙ୍କ କାର୍ଯ୍ୟ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ସେମାନେ ନିଜ ମନଇଚ୍ଛା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଚାଲିଥିବା ଅଭିଯୋଗ ଆସୁଛି। ପ୍ରାୟ ୮ଟି ସ୍କୁଲ ଜଣେ ମାତ୍ର ଶିକ୍ଷକରେ ଚାଲିଛି। ଦୀର୍ଘ ଦୁଇବର୍ଷ ଧରି ଏହି ବ୍ଲକ୍ରେ ବିଇଓ ନିଯୁକ୍ତ ହୋଇ ନ ଥିବାବେଳେ ପାଖ ବ୍ଲକ୍ ବିଇଓଙ୍କୁ କାମଚଳା ଦାୟିତ୍ଵରେ ରଖାଚାଲିଛି। ଏ ପର୍ଯ୍ୟନ୍ତ ୪ ଜଣ କାମଚଳା ବିଇଓ ଦାୟିତ୍ୱରେ ରହିସାରିଥିଲେ ବି ନୂଆ ନିଯୁକ୍ତି ହେଉନି। ଏବେ ଟାଙ୍ଗରପାଲି ବିଇଓ ଦାୟିତ୍ୱରେ ରହିଥିବାବେଳେ ସେ ସମୟ ଅଭାବରୁ ଲେଫ୍ରିପଡ଼ା ବ୍ଲକ୍ ପ୍ରତି ଦୃଷ୍ଟି ଦେଇପାରୁନାହାନ୍ତି। ଫଳରେ ସ୍ଥାନୀୟ ଶିକ୍ଷାବ୍ୟବସ୍ଥା ‘କା’ରେ ହିଁ ସୀମିତ ରହିଛି।
ଅନ୍ୟପକ୍ଷରେ ଏଠାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦ ମଧ୍ୟ ଖାଲି ରହିଥିବାରୁ ହେମଗିର ଏବିଇଓ ଦାୟିତ୍ଵରେ ଅଛନ୍ତି। ବ୍ଲକ୍ ଶିକ୍ଷା ପ୍ରଶାସନର ମୁଖ୍ୟ ନଥିବାରୁ ଅନେକ ବିଦ୍ୟାଳୟ ଶିକ୍ଷକଙ୍କ ମର୍ଜିରେ ଚାଲିଥିବା ଦେଖିବାକୁ ମିଳୁଛି। ଏହାଦ୍ବାରା ଶିକ୍ଷାବିକାଶ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିବାବେଳେ ନିକଟରେ କେତେକ ସ୍କୁଲକୁ ମିଳିଥିବା ‘ମୋ ସ୍କୁଲ ଅଭିଯାନ’ ବାବଦ ଅନୁଦାନର ଅସଦ୍ବିନିଯୋଗ ହୋଇଥିବାର ଅଭିଯୋଗ ହୋଇଛି। ସେହିଭଳି ମଧ୍ୟାହ୍ନଭୋଜନ, ଆବାସିକ ହଷ୍ଟେଲ ପରିଚାଳନାରେ ତ୍ରୁଟି ଆଦି ନିୟମିତ ଅନେକ ଅଭିଯୋଗ ହେଉଥିଲେ ସୁଦ୍ଧା ଜିଲ୍ଲା ଶିକ୍ଷାବିଭାଗ ଚୁପ୍ ବସିଛି। ଲେଫ୍ରିପଡ଼ା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଶିକ୍ଷାର ବିକାଶ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟିଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।