ଭୁବନେଶ୍ବର: ଶିକ୍ଷା କେବେ ହେଲେ ବି ସ୍କୁଲ, କଲେଜ କିମ୍ବା ବିଶ୍ବବିଦ୍ୟାଳୟର ଚାରି କାନ୍ଥ ମଧ୍ୟରେ ସୀମିତ ନୁହେଁ। ବିକାଶ ପାଇଁ ଶିକ୍ଷା ସୁଯୋଗ ସୃଷ୍ଟି କରେ। ସାମଗ୍ରିକ ଭାବେ ସମାଜ, ଦେଶ, ମାଟି ଓ ନାରୀ ଜାତିର ବିକାଶ କରାଇଥାଏ ବୋଲି ଏମ୍‌ବିସି ଟିଭି ପକ୍ଷରୁ ଆୟୋଜିତ ଶିକ୍ଷା ସମ୍ମିଳନୀରେ ଯୋଗଦେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି। ହୋଟେଲ ମେ’ ଫେୟାରଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଲେ, ଶିକ୍ଷା ସୁଦୃଢ଼ ହେଲେ ସମାଜ ବିକାଶ ଦିଗରେ ଅଗ୍ରସର ହୁଏ। ପ୍ରତି ବ୍ୟକ୍ତି ଶିକ୍ଷା ମାଧ୍ୟମରେ ସମାଜ ଓ ଅଧିକାର ପାଇଁ ଲଢ଼େଇ କରିବା ଉଚିତ୍। ଏହି ଶିକ୍ଷା ମାଟି ଓ ମା’ ପାଇଁ ଲଢ଼େଇ କରିବାକୁ ପ୍ରେରଣା ଦିଏ। ଏ କ୍ଷେତ୍ରରେ ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ସାହିତ୍ୟିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିକ୍ଷା କେବଳ ଆମେ ପାଠ୍ୟପୁସ୍ତକରୁ ପାଇଥାଉ ତାହା ନୁହେଁ, ବରଂ ଆମେ ଆମର ଅନୁଭୂତିରୁ, ଜୀବନରୁ, ସମାଜରୁ, ନିଜଠାରୁ, ଅନ୍ୟମାନଙ୍କଠାରୁ ବିଭିନ୍ନ ଭାବେ ଶିକ୍ଷା ଲାଭ କରିଥାଉ। ଶିକ୍ଷା ଜନ୍ମଠାରୁ ଆରମ୍ଭ ହୋଇ ଜୀବନବ୍ୟାପୀ ଅହରହ ଚାଲିଥାଏ। ମଣିଷ ଶିକ୍ଷା ଲାଭ ପାଇଁ ଅନ୍ୟ ଉପରେ ନିର୍ଭର କରେ। ସେ ପ୍ରକୃତି, ଇତିହାସ, ମୁନିଋଷି, ସାଧୁସନ୍ଥ ହୋଇପାରନ୍ତି। ଯେଉଁ ରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ଼ ସେହି ରାଷ୍ଟ୍ର ସେତିକି ଶକ୍ତିଶାଳୀ। ୨୦୨୦ର ନୂତନ ଶିକ୍ଷା ନୀତି ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ଶିକ୍ଷାନୀତି ଦେଶକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବାରେ ସହାୟକ ହେବ। ନୂତନ ଶିକ୍ଷାନୀତିରେ ଭାଷା, ସଂସ୍କୃତି, ଦେଶପ୍ରେମ, ଜ୍ଞାନର ବିକାଶ, ଅନୁସନ୍ଧାନ ଓ ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯାଇଛି। ମଣିଷର ସାମାଜିକ, ଆର୍ଥିକ, ନୈତିକ, ଧାର୍ମିକ, ବହୁଭାଷିକ, ମାନସିକ, ଚାରିତ୍ରିକ ଆଦି ସାମଗ୍ରିକ ଭାବେ ଉନ୍ନତି କରିବ। ଆମର ଶିକ୍ଷା ସତ୍ୟ, ଶାନ୍ତି, ଅହିଂସା, ପରୋପକାର, ଦେଶସେବା, ପାରିବାରିକ ସଂହିତର ମୂଲ୍ୟବୋଧ ଭିତରେ ସମତା ରକ୍ଷା କରିଥାଏ। ପରିବେଶ ଓ ମଣିଷକୁ ଉତ୍ତମ ମାର୍ଗରେ ନେବାକୁ ପ୍ରେରଣା ଦେଇଥାଏ ବୋଲି ସେ କହିଛନ୍ତି।

Advertisment

ଏମ୍‌ବିସି ଟିଭି ପକ୍ଷରୁ ଶିକ୍ଷା ସମ୍ମିଳନୀ

‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭା‌ବେ ଯୋଗଦେଇ କହିଲେ, ସ୍ବାଧୀନତାର ୭୬ ବର୍ଷ ପରେ ବି ଶିକ୍ଷା ସମ୍ପର୍କରେ ବିବାଦ ଚାଲିଛି। ତର୍ଜମା ହେଉଛି। କି ପ୍ରକାର ଶିକ୍ଷାନୀତି ହେବା କଥା ସେ ବିଷୟରେ ଆଲୋଚନା କରୁଛେ। ମାତ୍ର ଏବେ ଦେଖିବାକୁ ମିଳୁଛି ଯେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ ମଧ୍ୟରେ ଦୂରତା ବଢ଼ିଗଲାଣି। ଲାଗୁଛି ସତେ ଯେମିତି ଆମେ ବଜାରରେ ରହିଛେ। କିଏ କେମିତି ବାଜି ମାରିନେବ। ଶିକ୍ଷାରେ ସମାନତା ଆଣିବାକୁ ହେଲେ ସମସ୍ତଙ୍କୁ ସମାନ ଭାବେ ଶିକ୍ଷାଦାନ କରିବାକୁ ହେବ। ସମସ୍ତେ ଶିକ୍ଷିତ ହେଲେ ଧନୀ-ଗରିବ, ଉଚ୍ଚ-ନୀଚ୍ଚ, ସାମାଜିକ ଅସମାନତା ଆଦି ପ୍ରଥାଗୁଡ଼ିକ ଦୂର ହୋଇପାରିବ। ବର୍ତ୍ତମାନର ଶିକ୍ଷା ସମାନତା ଆଣିବା ପରିବର୍ତ୍ତେ ଗୋଟିଏ ନୂଆ ଦୁନିଆ ସୃଷ୍ଟି କରିଛି, ଯେଉଁଥିରେ ଦୁଇଟି ବର୍ଗ ତିଆରି ହୋଇଛନ୍ତି। ଗୋଟିଏ ପଟେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଶିକ୍ଷା ଆଉ ଅନ୍ୟପଟେ ଗ୍ରାମାଞ୍ଚଳର ସରକାରୀ ସ୍କୁଲ ଶିକ୍ଷା। ତେଣୁ କିଛି ନ ହେଲେ ମଧ୍ୟ ପ୍ରାଥମିକ ଶିକ୍ଷାର ଜାତୀୟକରଣ କରାଯାଇପାରିଲେ ଶିକ୍ଷାର ମାନ ବଢ଼ିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଡିଜିଟାଲ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ଏମ୍‌ବିସି ଟିଭି ଚେୟାରମ୍ୟାନ ବଦ୍ରିନାଥ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏମ୍‌ବିସି ଟିଭି ସମ୍ପାଦକ ଅଶୋକ ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟର ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷା ସମ୍ପର୍କିତ ଦୁଇଟି ଅଧିବେଶନରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇ ମତପ୍ରକାଶ କରିଥିଲେ।