ଭୁବନେଶ୍ୱର : ଅଧ୍ୟାପକ ନାହାନ୍ତି। ଭିତ୍ତିଭୂମି ବି ନାହିଁ। ପାଠାଗାରର ଉନ୍ନତି କରାଯାଉନି। ନିୟମିତ ଅଧ୍ୟକ୍ଷ ନିଯୁକ୍ତି ହେଉନାହାନ୍ତି, ଭାରପ୍ରାପ୍ତରେ କାମ ଚଳାଇ ଦିଆଯାଉଛି। ଗୁଣାତ୍ମକ ଶିକ୍ଷା କେବଳ ଘୋଷଣାରେ ଅଟକିଯାଇଛି। ଶିକ୍ଷାଦାନ ତ ଠିକ୍‌ ହୋଇପାରୁନି, କିନ୍ତୁ କଲେଜ ପରିଚାଳନା ସମିତିକୁ ନେଇ ସରକାର ରାଜନୀତି କରିବାକୁ ଭୁଲୁ ନାହାନ୍ତି।

Advertisment

ଆଜି ପ୍ରଶ୍ନକାଳରେ ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତିକୁ ନେଇ ଏମିତି ଉଦ୍‌ବେଗ ପ୍ରକାଶ କରିଥିଲେ ବିଧାୟକମାନେ। ଉଭୟ ଶାସକ ଓ ବିରୋଧୀ ଦଳ ସଭ୍ୟଙ୍କ ସ୍ୱର ପ୍ରାୟ ସମାନ ଥିଲା। ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଅଧିକାଂଶ ଅଭିଯୋଗକୁ ଠୋ ଠା ଫାଙ୍କି ନ ଥିଲେ। ବହୁ ଅଭିଯୋଗକୁ ସ୍ୱୀକାର କରିଥିଲେ। ସ୍ଥିତି ସୁଧାରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ତାହା ସଭ୍ୟମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାକୁ ଯଥେଷ୍ଟ ନ ଥିଲା।

ଉଚ୍ଚଶିକ୍ଷାର ମାନବୃଦ୍ଧି ସଂକ୍ରାନ୍ତରେ କୈଳାସ ଚନ୍ଦ୍ର କୁଲେଶିକା ପଚାରିଥିବା ମୂଳ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ଉଚ୍ଚଶିକ୍ଷାର ମାନବୃଦ୍ଧି ଏକ ନିରନ୍ତର ପ୍ରକ୍ରିୟା। ଏ ଦିଗରେ ସରକାର ଦଢ଼ ପଦକ୍ଷେପ ନେଇଛନ୍ତି। ଏହାର ପ୍ରମାଣ ହେଲା କ୍ଷେତ୍ର ସଂଗଠନ ଦ୍ୱାରା କରାଯାଇଥିବା ନାକ୍‌ ମାନ୍ୟତାପ୍ରାପ୍ତ ମହାବିଦ୍ୟାଳୟ ସଂଖ୍ୟା ୧୬୪, ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୧ ଓ ନାକ୍‌ ବୈଧତା ପାଇଁ ନାକ୍‌ ଆବେଦନ କରିଥିବା ମହାବିଦ୍ୟାଳୟ ସଂଖ୍ୟା ୨୩୦କୁ ବୃଦ୍ଧି ପାଇଛି। ନାକ୍‌ ପାଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶରେ ସପ୍ତମ ସ୍ଥାନ ଅଧିକାର କରିଛି। ଏ ଗ୍ରେଡ୍‌ ପାଇଥିବା ବିଶ୍ୱବିଦ୍ୟାଳୟ ସଂଖ୍ୟା ୭କୁ ଓ ମହାବିଦ୍ୟାଳୟ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହା ସହ ଉଚ୍ଚଶିକ୍ଷାର ବିକାଶ ପାଇଁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପର ଏକ ଲମ୍ବା ତାଲିକା ମନ୍ତ୍ରୀ ଦେଇଥିଲେ।

ମୂଳ ପ୍ରଶ୍ନକର୍ତ୍ତା କୈଳାସ କୁଲେସିକା ପଚାରିଥିଲେ, ସରକାରୀ କଲେଜରେ ପଢ଼ିବାକୁ ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କିନ୍ତୁ ବେସରକାରୀ କଲେଜରେ ଅଧିକ ପଇସା ଦେଇ ସେମାନେ ପଢ଼ୁଛନ୍ତି। ନେତା, ସରକାରୀ ଅଧିକାରୀ, କର୍ମଚାରୀ ସମସ୍ତଙ୍କ ପିଲା ବେସରକାରୀ କଲେଜକୁ ଯାଉଛନ୍ତି। ଏ ଦିଗରେ ସରକାର କିଛି ପଦକ୍ଷେପ ନେବେ କି ? ମନ୍ତ୍ରୀ କହିଥିଲେ, କିଏ କେଉଁଠି ପଢ଼ିବ, ତାହା ତାଙ୍କ ବ୍ୟକ୍ତିଗତ ପସନ୍ଦ। ଏଥି ପାଇଁ ଆଇନ୍‌ କରି ସରକାର ବାଧ୍ୟ କରିପାରିବେ ନାହିଁ। ତେବେ ନୈତିକତା ଦୃଷ୍ଟିରୁ ସମସ୍ତେ ସରକାରୀ କଲେଜରେ ପିଲାଙ୍କୁ ପଢ଼ାଇବା ଦରକାର।

ଶାସକ ଦଳ ସଭ୍ୟ ସଞ୍ଜୟ ଦାସବର୍ମା କହିଲେ, ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜରେ ଭିତ୍ତିଭୂମି ବହୁତ ଦୁର୍ବଳ। ଏହି ଭିତ୍ତିଭୂମି କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଉ। ଫଳରେ ଭିତ୍ତିଭୂମି କାମ ଠିକ୍‌ ଭାବେ ହୋଇପାରିବ। ବିଜେପି ସଭ୍ୟ ବିଭୂତି ହରିଚନ୍ଦନ କହିଲେ, ବହୁ ଡିଗ୍ରି କଲେଜରେ ଆବଶ୍ୟକ ଅଧ୍ୟାପକ ନାହାନ୍ତି। ଏପରିକି ସବୁଠି ଭାରପ୍ରାପ୍ତ ଅଧ୍ୟକ୍ଷରେ କାମ ଚଳାଇ ଦିଆଯାଉଛି। ଏମିତି ହେଲେ ଗୁଣାତ୍ମକ ମାନର ବିକାଶ ହେବ କେମିତି? ଶାସକ ଦଳ ସଭ୍ୟ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଥିଲେ, ସରକାରୀ କଲେଜରେ ବଡ଼ ବଡ଼ ପାଠାଗାର ଅଛି। କିନ୍ତୁ ସେଠାରେ କର୍ମଚାରୀ ନାହାନ୍ତି। ଆହୁରି ମଧ୍ୟ ପାଠାଗାରଗୁଡ଼ିକ ଅଟୋମେସନ୍‌ ହେବାର ଆବଶ୍ୟକତା ରହିଛି। କଂଗ୍ରେସ ସଭ୍ୟ ଅଂଶୁମାନ ମହାନ୍ତି କଲେଜ ପରିଚାଳନା ସମିତିର ସଭାପତି ଭାବେ ଶାସକ ଦଳର ପରାଜିତ ପ୍ରାର୍ଥୀଙ୍କୁ ମନୋନୀତ କରାଯିବା ନେଇ ଆପତ୍ତି ଉଠାଇଥିଲେ। ଅଶ୍ୱିନୀ ପାତ୍ର, ଜାକବ ପ୍ରଧାନ, ଦିବ୍ୟଶଙ୍କର ମିଶ୍ର, ରାଧାରାଣୀ ପଣ୍ଡା, ଦେବାଶିଷ ନାୟକ, ପ୍ରଫୁଲ୍ଲ ମାଝୀ, ଟୁକୁନି ସାହୁ, ମହେଶ ସାହୁ, ପ୍ରିୟଦର୍ଶୀ ମିଶ୍ର, ଆୟୁବ ଖାନ୍‌, ଧନେଶ୍ୱର ମାଝୀ, ଲାଲବିହାରୀ ହିମିରିକା, ଯୋଗେଶ ସିଂହ, ମନୋହର ରାନ୍ଧାରୀ, ଅନୁଭବ ପଟ୍ଟନାୟକ, ଗଣେଶ୍ୱର ପାତ୍ର ଓ ଅନାମ ନାୟକ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ମନ୍ତ୍ରୀ କହିଥିଲେ, କଲେଜଗୁଡ଼ିକର ଭିତ୍ତିଭୂମି କାର୍ଯ୍ୟ ଗ୍ରାମାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ଓ ସହରାଞ୍ଚଳରେ ପୂର୍ତ୍ତ ବିଭାଗ ଦ୍ୱାରା କରାଯିବା ଆରମ୍ଭ ହୋଇଛି। କିଛି କିଛି କଲେଜକୁ ଭିତ୍ତିଭୂମି ପାଇଁ ଅର୍ଥ ଦିଆସରିଛି। କୋର୍ଟରେ ମାମଲା ଉଠିଯାଇଥିବାରୁ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପାଠାଗାରଗୁଡ଼ିକର ବିକାଶ ପାଇଁ ରୁସା ଓ ଅନ୍ୟାନ୍ୟ ପାଣ୍ଠିରୁ ଅର୍ଥ ଦିଆଯାଇଛି। ପାଠାଗାରଗୁଡ଼ିକରେ ପଦବି ପୂରଣ ପାଇଁ ଉଦ୍ୟମ ଚାଲିଛି। ବହୁ କଲେଜର ଥିବା ଜମି ସମସ୍ୟାର ସମାଧାନ ପାଇଁ ରାଜସ୍ୱ ବିଭାଗ ସହ ଆଲୋଚନା ହୋଇଛି।