୧୨ ବର୍ଷରେ ୪୬୪୦ ଛାତ୍ରଛାତ୍ରୀଙ୍କୁ ମିଳିଛି ୭.୭୮ କୋଟିର ଶିକ୍ଷା ଋଣ

ଭୁବନେଶ୍ବର : ବିଗତ ୧୨ ବର୍ଷ ଭିତରେ ରାଜ୍ୟ ସରକାର ୪୬୪୦ଜଣ ଛାତ୍ରଛାତ୍ରୀଙ୍କୁ ୭.୭୮ କୋଟି ୮୦ ହଜାର ଟଙ୍କାର ଶିକ୍ଷା ଋଣ ଦେଇଛନ୍ତି। ଏଥିମଧ୍ୟରୁ ଗୋଟିଏ ବର୍ଷରେ ମାତ୍ର ୨୫ ଜଣ ଛାତ୍ରଛାତ୍ରୀଙ୍କୁ ୪.୧୭ ଲକ୍ଷ ଟଙ୍କାର ଶିକ୍ଷାଋଣ ମିଳିଛି। ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ।

ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀ ୨୦୦୪-୦୫ରୁ ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା କ୍ଷେତ୍ରରେ କେତେସଂଖ୍ୟକ ଛାତ୍ରଛାତ୍ରୀଙ୍କୁ କେତେ ଅର୍ଥର ଶିକ୍ଷା ଋଣ ପ୍ରଦାନ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଡ. ସାହୁ ବର୍ଷୱାରୀ ତଥ୍ୟ ପ୍ରଦାନ କରିଥିଲେ। ସେହି ତଥ୍ୟ ଅନୁଯାୟୀ ୨୦୦୬-୦୭ରେ ସର୍ବାଧିକ ୮୭୬ଜଣ ଛାତ୍ରଛାତ୍ରୀଙ୍କୁ ୧ କୋଟି ୧୩ ଲକ୍ଷ ୯୭ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ୨୦୧୬-୧୭ରେ ସର୍ବନିମ୍ନ ୨୫ଜଣ ଛାତ୍ରଛାତ୍ରୀଙ୍କୁ ୪ ଲକ୍ଷ ୧୭ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେ ଦେଇଥିବା ତଥ୍ୟାବଳୀରେ ସେହି ବର୍ଷ ପରଠାରୁ କୌଣସି ସୂଚନା ଦିଆଯାଇ ନାହିଁ।

ଏହି ତଥ୍ୟ ଅନୁଯାୟୀ ୨୦୦୫-୦୬ରେ ୬୨ଜଣ ଛାତ୍ରଛାତ୍ରୀଙ୍କୁ ୭.୬୦ ଲକ୍ଷ ଟଙ୍କାର ଶିକ୍ଷାଋଣ ଦିଆଯାଇଥିଲା। ପରବର୍ତୀ ବର୍ଷରେ ୮୭୬ଜଣଙ୍କୁ ମିଳିଥିଲା ୧ କୋଟି ୧୩ ଲକ୍ଷ ୯୭ ହଜାର ଟଙ୍କାର ଋଣ। ୨୦୦୭-୦୮ରେ ୭୮୭ଜଣଙ୍କୁ ୧ କୋଟି ୧୯ ଲକ୍ଷ ୮୮ ହଜାର ଟଙ୍କା, ୨୦୦୮-୦୯ରେ ୭୪୩ଜଣଙ୍କୁ ୧ କୋଟି ୯ ଲକ୍ଷ ୮୯ ହଜାର ଟଙ୍କା, ୨୦୦୯-୧୦ରେ ୪୯୬ଜଣଙ୍କୁ ୬୮ ଲକ୍ଷ ୯୯ ହଜାର ଟଙ୍କା, ୨୦୧୦-୧୧ରେ ୫୭୩ଜଣଙ୍କୁ ୭୯ ଲକ୍ଷ ୬୬ ହଜାର ଟଙ୍କା, ୨୦୧୧-୧୨ରେ ୨୨୪ଜଣଙ୍କୁ ୪୧ ଲକ୍ଷ ୯୦ ହଜାର ଟଙ୍କା, ୨୦୧୨-୧୩ରେ ୩୭୪ଜଣଙ୍କୁ ୧ କୋଟି ୭ ଲକ୍ଷ ୫୬ ହଜାର ଟଙ୍କା, ୨୦୧୩-୧୪ରେ ୨୮୪ଜଣଙ୍କୁ ୨୮୪ଜଣଙ୍କୁ ୮ ଲକ୍ଷ ୭୧ ହଜାର ଟଙ୍କା, ୨୦୧୪-୧୫ରେ ୧୬୩ଜଣଙ୍କୁ ୩୨ ଲକ୍ଷ ୭୪ ହଜାର ଟଙ୍କା, ୨୦୧୫-୧୬ରେ ୩୩ଜଣଙ୍କୁ ୫ ଲକ୍ଷ ୩୪ ହଜାର ଟଙ୍କା, ୨୦୧୬-୧୭ରେ ମାତ୍ର ୨୫ଜଣଙ୍କୁ ମିଳିଥିଲା ୪.୧୭ ଲକ୍ଷ ଟଙ୍କା। ଏହିପରି ଭାବେ ବିଗତ ୧୨ ବର୍ଷରେ ମୋଟ ୪୬୪୦ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ମୋଟ ୭ କୋଟି ୭୮ ଲକ୍ଷ ୮୦ ହଜାର ଟଙ୍କା।

ଉଚ୍ଚଶିକ୍ଷା କ୍ଷେତ୍ରରେ ନିଯୁକ୍ତିକୁ ସୁନିଶ୍ଚିତ କରିବା ପାଇଁ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ ସରକାର ନେଇଥିବା‌ ପଦକ୍ଷେପ ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ୫୨ଟି ସରକାରୀ କଲେଜ ଓ ୧୦ଟି ବିଶ୍ୱବିଦ୍ୟାଳୟରେ କ୍ୟାରିୟର କାଉନ୍‍ସେଲିଂ ସେଲ୍‍ ସ୍ଥାପନ କରିଛନ୍ତି। ଏଥିମଧ୍ୟରୁ ୮ଟି ବିଶ୍ୱବିଦ୍ୟାଳୟରେ ସିଭିଲ୍‍ ସର୍ଭିସ୍‍ କୋଚିଂ ସେଣ୍ଟର ଖୋଲାଯାଇଛି। ଏହାଛଡ଼ା ସରକାର ଦ୍ବାରା ପ୍ରତିଷ୍ଠିତ ଅନୁଷ୍ଠାନ ଧ୍ୟେୟ ଆଇଏଏସ୍‍, ଧ୍ୟେୟ ଏଜୁକେସନ, ସର୍ଭିସେସ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ ସହିତ ମିଶି ୧୦୦ଜଣ ଯୋଗ୍ୟ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରରେ କୋଚିଂ ଦେବାର ଯୋଜନା କରିଛନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର