ଗଣଶିକ୍ଷା ମନ୍ତ୍ରୀ ମାନିଲେ : ସରକାରୀ ସ୍କୁଲ୍ରେ ପିଲା କମୁଛନ୍ତି, ପାସ୍ ହାର ବି କମ୍
ଭୁବନେଶ୍ବର : ସରକାରୀ ବିଦ୍ୟାଳୟଗୁଡ଼ିକରେ ନାମଲେଖା ବୃଦ୍ଧି ପାଇଁ ମାଗଣା ବହି, ପୋଷାକ, ମଧ୍ୟାହ୍ନଭୋଜନ, ପରିବହନ ଭତ୍ତା ଦିଆଯାଉଛି। ତଥାପି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ କମୁଛନ୍ତି। କେବଳ ସେତିକି ନୁହେଁ, ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟରେ ମାଟ୍ରିକ୍ ପାସ୍ ହାର ବି କମ୍। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାନସଭାରେ ସ୍ବୀକାର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସରକାରୀ ବିଦ୍ୟାଳୟର ଏପରି ସ୍ଥିତିର କାରଣ ବି ମନ୍ତ୍ରୀ ଦର୍ଶାଇଛନ୍ତି। ମନ୍ତ୍ରୀଙ୍କ ହିସାବ ଅନୁଯାୟୀ ଛାତ୍ରଛାତ୍ରୀ କମିବାର କାରଣ ହେଉଛି ରାଜ୍ୟରେ ଶିଶୁ ଜନ୍ମହାର ହ୍ରାସ ଓ ଘରୋଇ ବିଦ୍ୟାଳୟରେ ନାମଲେଖା ବୃଦ୍ଧି। ପାସ୍ ହାର କମିବାର କାରଣ ହେଉଛି, ଘରୋଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଚୟନ ପ୍ରକ୍ରିୟାରେ ହେଉଥିଲା ବେଳେ ସରକାରୀ ବିଦ୍ୟାଳୟରେ କୌଣସି ପରୀକ୍ଷା କରାଯାଉନାହିଁ। ଘରୋଇ ବିଦ୍ୟାଳୟଗୁଡ଼ିକରେ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ପଢ଼ୁଥିବା ବେଳେ ସରକାରୀ ବିଦ୍ୟାଳୟରେ ସାମାଜିକ, ଆର୍ଥିକ ଅନଗ୍ରସର ସହ ଅନ୍ୟ ବର୍ଗର ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି। ଏଥି ସହ ସରକାରୀ ବିଦ୍ୟାଳୟ ରାଜ୍ୟର ସବୁ ଅଞ୍ଚଳରେ ଚାଲୁଥିବା ବେଳେ ଘରୋଇ ବିଦ୍ୟାଳୟଗୁଡ଼ିକ ମୁଖ୍ୟତଃ ସହର ତଥା ବଡ଼ ଗ୍ରାମରେ ଚାଲୁଛି। ତେଣୁ ଘରୋଇ ବିଦ୍ୟାଳୟଗୁଡ଼ିକର ପାସ୍ହାର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ପରୀକ୍ଷା ଫଳଠାରୁ ଅଧିକ ହେଉଛି।
ତେବେ ଶିକ୍ଷାର ମାନବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଦର୍ଶାଇଛନ୍ତି। ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ବିଷୟଭିତ୍ତିକ ସାମର୍ଥ୍ୟ ପ୍ରଶିକ୍ଷଣ ଦିଆଯାଉଛି। ୨୯ଟି ଜିଲ୍ଲାରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷା ଦକ୍ଷତା ବୃଦ୍ଧି ପାଇଁ ‘ଉତ୍କର୍ଷ’ କାର୍ଯ୍ୟକ୍ରମ ଚାଲୁଛି। ଆଇସିଟି ଆଟ୍ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ଇ-କଣ୍ଟେଣ୍ଟ ସାହାଯ୍ୟରେ ଶ୍ରେଣୀରେ ପାଠ୍ୟଦାନ କରାଯାଉଛି। ସରକାରୀ ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ, ବିଜ୍ଞାନାଗାର, ପାଠାଗାର ଓ କମ୍ପ୍ୟୁଟର୍ ଗୃହ ପ୍ରତିଷ୍ଠା ହୋଇଛି। ଛାତ୍ରଛାତ୍ରୀଙ୍କ ସୃଜନୀଶକ୍ତିର ବିକାଶ ପାଇଁ ଜିଲ୍ଲାସ୍ତରରେ ବିଜ୍ଞାନମେଳା ଓ ପୁସ୍ତକ ମେଳା ହେଉଛି। ଉଚ୍ଚ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ବୈଷୟିକ ଓ ପ୍ରୟୋଗାତ୍ମକ ଜ୍ଞାନର ଅଭିବୃଦ୍ଧି ପାଇଁ ସାଇନ୍ସ ଆଣ୍ଡ୍ ମ୍ୟାଥ୍ କିଟ୍ ଯୋଗାଇ ଦିଆଯାଉଛି। ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦକୁ ଦୃଷ୍ଟିରେ ରଖି ନିୟମିତ ଶିକ୍ଷାଦାନ ପାଇଁ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଅତିଥି ଶିକ୍ଷକ ଭାବେ ନିୟୋଜିତ କରାଯାଉଛି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା କାର୍ଯ୍ୟକାରୀ କରାଯିବା ସହ ୨୦୧୮-୧୯ ଶିକ୍ଷାବର୍ଷରୁ ଶ୍ରେଷ୍ଠ ସ୍କୁଲ, ଶ୍ରେଷ୍ଠ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ବିଧାନସଭାରେ ଚକ୍ରମଣି କହଁର, ସୁରେଶ କୁମାର ରାଉତରାୟ ଓ କିଶୋର ଚନ୍ଦ୍ର ନାୟକ ପ୍ରମୁଖ ଏ ସଂକ୍ରାନ୍ତରେ ଲିଖିତ ପ୍ରଶ୍ନ କରିଥିଲେ।