ଗୁଣାତ୍ମକ ଶିକ୍ଷାଦାନକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବ

ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସ˚ଘ ସମ୍ମିଳନୀ

ବ୍ରହ୍ମପୁର: ଆଗାମୀ ୧୦ବର୍ଷ ମଧ୍ୟରେ କେହି ନିରକ୍ଷର ରହିବେ ନାହିଁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କହିଥିଲେ। ବର୍ତ୍ତମାନ କେରଳକୁ ବାଦ ଦେଲେ ଅନ୍ୟ କୌଣସି ରାଜ୍ୟର ସାକ୍ଷରତା ହାର ଶତ ପ୍ରତିଶତ ନୁହଁ। ଆମର ଶିକ୍ଷା ବ୍ୟବସ୍ଥା କିଭିଳି ସ୍ଥିତିରେ ରହିଛି ତାହା ଏଥିରୁ ଜଣାପଡୁଛି। ତେଣୁ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ସାମୂହିକ ଉଦ୍ୟମ ଆବଶ୍ୟକ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

ହିଲପାଟଣାସ୍ଥିତ ସ˚ସ୍କୃତିଭବନ ଠାରେ ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସ˚ଘର ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରିବା ସହ ସରକାରୀ ଓ ଘରୋଇ ଶିକ୍ଷାନୁ‌ଷ୍ଠାନ ମଧ୍ୟରେ ଯେପରି ପାତରଅନ୍ତର ନୀତି ନ ରହେ ସେଥିପ୍ରତି ସରକାର ଗୁରୁତ୍ବ ଦେଉଥିବା କହିଥିଲେ। ସେ କହିଲେ, ରାଜ୍ୟରେ ୮୫ପ୍ରତିଶତ ସରକାରୀ ଶିକ୍ଷାନୁଷ୍ଠାନ ଥିବାବେଳେ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଅଭିଭାବକମାନେ ଅଧିକ ଆକର୍ଷିତ ହେଉଛନ୍ତି। ତେଣୁ ସରକାରୀ ବିଦ୍ୟାଳୟ ଗୁଡ଼ିକ କିପରି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆସ୍ଥାଭାଜନ ହୋଇପାରିବ ଗଣଶିକ୍ଷା ବିଭାଗ ତା’ଉପରେ କାର୍ଯ୍ୟ କରୁଛି। ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକର ଦାବି ପୂରଣ କେବଳ ରାଜ୍ୟ ସରକାରଙ୍କ ଦ୍ବାରା ସମ୍ଭବ ନୁହେଁ। କାରଣ ଶିକ୍ଷାଧିକାର ଆଇନ୍‌ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ। ଉକ୍ତ ଆଇନ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ। ଶିକ୍ଷା ଅଧିକାର ଆଇନକୁ ଭିତ୍ତିକରି ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଉପରେ ପଦକ୍ଷେପ ନିଆଯାଇଛି। ଘରୋଇ ବିଦ୍ୟାଳୟ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ସେଥିପାଇଁ ବିସ୍ତୃତ ଆଲୋଚନା ଆବଶ୍ୟକ। ଆଗାମୀ ଦିନରେ ସରକାର ଓ ଘରୋଇ ଶିକ୍ଷାନୁଷ୍ଠାନ ମହାସ˚ଘକୁ ନେଇ ଏକ ସମନ୍ବୟ ବୈଠକ କରି ନୀତିନିୟମ ଉପରେ ତର୍ଜମା କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ଫଳାଫଳକୁ ସମୀକ୍ଷା କରାଯାଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବା ପ୍ରତି ଗୁରୁତ୍ବ ଦିଆଯାଉଛି। ୧୦ରୁ କମ୍‌ ବିଦ୍ୟାର୍ଥୀ ଥିବା ସ୍କୁଲ ଗୁଡ଼ିକ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଗଂଜାମ ଜିଲ୍ଲାରେ ଏଭଳି ୩୫ରୁ ୩୭ଟି ସ୍କୁଲ ଅଛି। ଶିକ୍ଷକ ଅଭାବ ଦୂର କରିବା, ଶିକ୍ଷା ବଜେଟ୍‌ ବୃଦ୍ଧି କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି। ମହାସ˚ଘ ରାଜ୍ୟ ସଭାପତି ରଘୁନାଥ ସାହୁଙ୍କ ଅଧୢକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଡିଏ ଅଧୢକ୍ଷ ସୁବାସ ଚନ୍ଦ୍ର ମହାରଣା, ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା, ଗ˚ଜାମ ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ତା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମହାସ˚ଘ ପକ୍ଷରୁ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବିଭାଗୀୟ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ସମ୍ବନ୍ଧିତ ଖବର