ଉଚ୍ଚଶିକ୍ଷା ନିର୍ଦେଶାଳୟରେ ବିଚିତ୍ର ସ୍ଥିତି : ବାବୁ ମାନୁନାହାନ୍ତି ମନ୍ତ୍ରୀଙ୍କ ନିର୍ଦେଶ

ପ୍ରତିଦିନ ବିଳମ୍ବରେ ଆସୁଛନ୍ତି କର୍ମଚାରୀ, ଫାଇଲ୍‌ ପକାଇ ନ ରଖିବାକୁ ନି‌ର୍ଦେଶ  

ଭୁବନେଶ୍ବର : ଅଧ୍ୟାପକମାନେ ୭ ଘଣ୍ଟା କଲେଜରେ ରହିବେ। ୫ ଘଣ୍ଟା ପିଲାଙ୍କୁ ପଢ଼ାଇବେ। ଦୁଇ ଘଣ୍ଟା ଅନ୍ୟ କାର୍ଯ୍ୟ କରିବେ। ଗବେଷଣା ଉପରେ ଗୁରୁତ୍ବ ଦେବେ। ଲାଇବ୍ରେରିରେ ପଢ଼ିବେ। ଛାତ୍ରଛାତ୍ରୀଙ୍କ ଦ୍ବନ୍ଦ୍ବ ଦୂର କରିବେ। ଯୁକ୍ତ୩ କଲେଜ ଅଧ୍ୟାପକଙ୍କ ପାଇଁ ଏଭଳି କଟକଣା ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ବାୟୋମେଟ୍ରିକ ମେସିନ୍‌ ଲଗାଇ ଉପସ୍ଥାନ କଡ଼ାକଡ଼ି ଯାଞ୍ଚ ହେଉଛି। ‌ତେବେ ‌ଯେଉଁମାନେ ଅଧ୍ୟାପକମାନଙ୍କ ଉପସ୍ଥାନ ଯାଞ୍ଚ କରିବେ, ସେମାନଙ୍କର କେମିତି ସମୟ ଜ୍ଞାନ ରହିଛି, ତାହା ଆଜି ପଦାକୁ ‌ଆସିଛି। ରାଜ୍ୟର ଆଉ କେଉଁଠି ନୁହେଁ, ଖୋଦ୍‌ ରାଜଧାନୀରେ ଥିବା ଉଚ୍ଚଶିକ୍ଷା ନିର୍ଦେଶାଳୟର ବାବୁମାନେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି। ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକୁ ମାନି ଅଧ୍ୟାପକ ଓ କର୍ମଚାରୀମାନେ ଆଉ ନିର୍ଦେଶାଳୟକୁ ଆସୁନାହାନ୍ତି। ‌ହେଲେ ସେମାନଙ୍କ ଫାଇଲ୍‌ ଦୀର୍ଘଦିନ ଧରି ପଡ଼ି ରହୁଛି। ବାବୁମାନେ ସେଥିପ୍ରତି ଗୁରୁତ୍ବ ଦେଉନାହାନ୍ତି। ଏମିତିକି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ନିର୍ଦେଶକୁ ବାବୁମାନେ ଖାତିର ବି କରୁ ନଥିବା ଦେଖିବାକୁ ମିଳିଛି।

ବାବୁମାନେ ଠିକ୍‌ ସମୟରେ ଆସୁ ନଥିବା ଅଭିଯୋଗ ହେବା ପରେ ଆଜି ସକାଳୁ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦେଶାଳୟରେ ପହଞ୍ଚି ଯାଇଥିଲେ। ଅଫିସ୍‌ ସମୟ ପୂର୍ବାହ୍ନ ୧୦ଟାରେ ନିର୍ଦେଶାଳୟରେ ପହଞ୍ଚିବା ପରେ ଯେଉଁ ସ୍ଥିତି ଦେଖିଥିଲେ, ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଗୋଟିଏ ପଟେ ଅଧ୍ୟାପକଙ୍କ ସମୟକୁ ୭ ଘଣ୍ଟା କରିବା ବିବାଦ ଏପର୍ଯ୍ୟନ୍ତ ଥମି ନଥିବା ବେଳେ ବାବୁଙ୍କ ହାବଭାବ ଦେଖି ମନ୍ତ୍ରୀ ବି ତାଜୁବ ହୋଇଯାଇଥିଲେ। କେମିତି ଓ କେଉଁଭଳି ଭାବେ ବାବୁଙ୍କ ତାଗିଦ୍‌ କରିବେ ଜାଣିପାରି ନଥିଲେ। ଯେଉଁ ବାବୁମାନେ କାର୍ଯ୍ୟାଳୟକୁ ଆ‌ସି ନଥିଲେ, ସେମାନଙ୍କୁ ମନ୍ତ୍ରୀ ଅପେକ୍ଷା କରି ରହିଥିଲେ। ଧୀରେ ଧୀରେ ବାବୁମାନେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ସାହୁ ଜଣଙ୍କ ପରେ ଜଣଙ୍କୁ ବିଳମ୍ବ ହେବାର କାରଣ ପଚାରି ବୁଝିଥିଲେ।

ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶାଳୟରେ ପହଞ୍ଚିବା ବେଳକୁ ଅଳ୍ପ କିଛି କର୍ମଚାରୀ ଆସିଥିଲେ। ଆହୁରି ଅନେକ ଆସି ନଥିଲେ। ବୁଝିବାରୁ ଜଣାପଡ଼ିଥିଲା ଯେ କେତେଜଣ କର୍ମଚାରୀ ପ୍ରତିଦିନ ବିଳମ୍ବରେ ଆସୁଛନ୍ତି। କିଏ ୧୫ମିନିଟ୍‌ ତ ଆଉ ୪୦ ମିନିଟ୍‌ ବିଳମ୍ବରେ ‌ପହଞ୍ଚୁଛନ୍ତି। ଏହାପରେ ମନ୍ତ୍ରୀ ଶ୍ରୀ ସହୁ ବାୟୋମେଟ୍ରିକ୍‌ ବ୍ୟବସ୍ଥାରେ କର୍ମଚାରୀଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ। ପ୍ରତି ସପ୍ତାହରେ ବାୟୋମେଟ୍ରିକ୍‌ ଯାଞ୍ଚ ହେଉଛି କି ନାହିଁ ପଚାରି ବୁଝିଥି‌ଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ସମସ୍ତଙ୍କୁ ସମୟାନୁବର୍ତ୍ତୀ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫-ଟି’କୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଳନ କରି ଶିକ୍ଷକ ଓ କର୍ମଚାରୀମାନେ ଆଉ ଭୁବନେଶ୍ବର କାର୍ଯ୍ୟାଳୟକୁ ଆସୁନାହାନ୍ତି। ଅଧିକାରୀମାନଙ୍କୁ ହଇରାଣ କରୁନାହାନ୍ତି। ତେଣୁ କୌଣସି ଫାଇଲ୍‌ ପକେଇ ନ ରଖି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର