ରାଜ୍ୟରେ ଥିବା ୧୬୭୨ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ତଥ୍ୟ ଅନୁଯାୟୀ ୨୦୨୧ ଆର୍ଥିକ ବର୍ଷରେ ରାଜ୍ୟର ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ଖର୍ଚ୍ଚ ହୋଇଛି ୨୫ ହଜାର ୫୬ ଟଙ୍କା। ୨୦୧୪-୧୫ରେ ଏହି ରାଶି ଥିଲା ୯ ହଜାର ୧୮୪ ଟଙ୍କା। ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ଲିଖିତ ଉତ୍ତର ଦେଇଛନ୍ତି।

କେବଳ ସେତିକି ନୁହେଁ, ରାଜ୍ୟରେ ଥିବା ୧୬୭୨ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। ରାଜ୍ୟରେ ୩୦ ହଜାର ୩୭୭ ପ୍ରାଥମିକ ବିଦ୍ୟାଳୟ,୧୯ହଜାର ୨୩୮ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୨୬୦୧ ଇଂରାଜୀ ମଧ୍ୟ ବିଦ୍ୟାଳୟ,୧୦ ହାଜର ୧୭ ଉଚ୍ଚ ବିଦ୍ୟାଳୟ ରହିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧୀନରେ ଥିବା ୧୬୭୨ ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି। ସର୍ବାଧିକ ମୟୂରଭଞ୍ଜ ୧୭୧ଟି ସ୍କୁଲ ରେ ଅଛନ୍ତି ଜଣେ ଲେଖାଏ ଶିକ୍ଷକ। ତାପରେ ଗଞ୍ଜାମ ଜିଲ୍ଲାରେ ୧୩୪ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। ୪୩୫ଟି ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। ୨୧୦୭ ସରକାରୀ ଅନୁଦାନ ପ୍ରାପ୍ତ ଓ ଗଣଶିକ୍ଷା ଅଧୀନରେ ଥିବା ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଥିବା ସେ ତାଙ୍କ ଉତ୍ତରରେ ଲେଖିଛନ୍ତି।

ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୨୪। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୨୦। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଉଚ୍ଚ ବିଦ୍ୟାଳୟରେ ଖାଲି ପଡ଼ିଛି ୧୧ ହଜାର ୪୦୩ ଶିକ୍ଷକ ପଦବୀ। ଏହି ସମୟ ସୁଦ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୮୫୨ ଶିକ୍ଷକ ପଦବୀ ଖାଲି ଅଛି। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୭୪ ପଦବୀ ଖାଲି ପଡ଼ିଛି ବୋଲି ସେ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର