ପ୍ରଭାତ କୁମାର ହୋତା

Advertisment

କଳାବାଡ଼ିଆ: ଭୌଗୋଳିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ମୟୂରଭଞ୍ଜ ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ବ୍ଲକ୍‌ ହେଉଛି ବାଙ୍ଗିରିପୋଷି। ଗଣଶିକ୍ଷା ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ସୁଦାମ ମାରାଣ୍ଡିଙ୍କର ଏହା ନିଜ ଜିଲ୍ଲା। ବିପଦପୂର୍ଣ୍ଣ ଦ୍ବାରଶୁଣି ଘାଟିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ବ୍ଲକ୍‌ରେ ଦାଦନ ଶ୍ରମିକ ଏବେ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। କାମଧନ୍ଦା ଅଭାବରୁ ବ୍ଲକ୍‌ର ଶତାଧିକ ଯୁବକଯୁବତୀ ଦାଦନ ଖଟିବାକୁ ଘର ଛାଡ଼ୁଛନ୍ତି। ବ୍ଲକ୍‌ରେ କୌଣସି ଶିଳ୍ପ ନଥିଲା ବେଳେ ଚାଷ ହିଁ ରୋଜଗାରର ଏକମାତ୍ର ମାଧ୍ୟମ। ହେଲେ ବହୁମୁଖୀ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ବିଫଳତା ପାଇଁ ପ୍ରତିକୂଳ ପରିସ୍ଥିତିରେ ଚାଷ କରି ଆଉ ପେଟ ପୋଷିବା ସମ୍ଭବପର ହେଉନାହିଁ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାଗଜକଲମରେ ଚାଲିଛି। ଯେଉଁଠି ବି ଏହି ଯୋଜନା କାର୍ଯ୍ୟାନ୍ବୟନ ହେଉଛି, ସେଠାରେ ଶ୍ରମିକଙ୍କ ବଦଳରେ ମେସିନ୍‌ କାମ କରୁଛି ଓ ଠିକାଦାର ଟଙ୍କା ଖାଉଛନ୍ତି। ଫଳରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ଯୁବଗୋଷ୍ଠୀ।

ବିଲରେ ଖଟୁଛନ୍ତି ପଞ୍ଚାୟତ ପ୍ରତିନିଧି
କାମ ନାହିଁ, ଘର ଛାଡ଼ୁଛନ୍ତି ଯୁବଗୋଷ୍ଠୀ
ଠିକାଦାର ଖାଉଛନ୍ତି ମନରେଗା ଟଙ୍କା
ରୋଜଗାର ପନ୍ଥା ଖୋଜୁନାହାନ୍ତି ସରକାର

୧୯ ପଞ୍ଚାୟତ ବିଶିଷ୍ଟ ବାଙ୍ଗିରିପୋଷି ବ୍ଲକ୍‌ ‘ମନରେଗା ଯୋଜନାରେ କାମ ଯୋଗାଇବା କ୍ଷେତ୍ରରେ ଲଗାତାର ୩ ବର୍ଷ ଧରି ନିକୃଷ୍ଟ ପ୍ରଦର୍ଶନ କରିଆସୁଛି। ‘ମନରେଗା କାର୍ଯ୍ୟାନ୍ବୟନରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ୍‌ ମଧ୍ୟରୁ ଏହାର ସ୍ଥାନ ରହିଛି ସବା ତଳେ ଅର୍ଥାତ ୨୫ତମ ସ୍ଥାନରେ। ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ରେ ସାମିଲ ଜଣେ ଟାଣୁଆ ମନ୍ତ୍ରୀଙ୍କ ନିଜ ବ୍ଲକ୍‌ରେ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଖାଲି ଚିନ୍ତାର ବିଷୟ ନୁହେଁ, ଉଦ୍‌ବେଗଜନକ ମଧ୍ୟ। ନିକଟରେ ‘ସମ୍ବାଦ’ରେ ଏ ସଂପର୍କରେ ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ଏହାର ତର୍ଜମା ଆରମ୍ଭ କରିଛି। ୩ ଦିନ ତଳେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଜନୀକାନ୍ତ ସ୍ବାଇଁ ଏକ ସମୀକ୍ଷା ବୈଠକ ଡାକିଥିଲେ। ହେଲେ ଏଠାରେ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉ ନଥିବା ପ୍ରାୟ ସବୁ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ଅଭିଯୋଗ କରିଥିଲେ। କେଉଁ ପଞ୍ଚାୟତରେ କ’ଣ କାମ ହେବ, କେଉଁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଲୋକଙ୍କୁ କାମ ମିଳିବ; ସେ ବାବଦରେ ଦିଆଯାଇଥିବା ପରାମର୍ଶକୁ ସରକାରୀ ଅଧିକାରୀମାନେ ଆଦୌ ଗୁରୁତ୍ବ ଦେଉନାହାନ୍ତି। ଠିକାଦାରମାନେ ତଞ୍ଚକତା କରି ଜବକାର୍ଡଧାରୀ ଶ୍ରମିକଙ୍କୁ ଠକୁଛନ୍ତି। ଦିନେ କୋଦାଳ ଧରି ନଥିବା ଲୋକଙ୍କୁ ସରକାରୀ ଖାତାରେ ଶ୍ରମିକ ଦର୍ଶାଇ ଟଙ୍କା ଉଠାଣ ହେଉଛି। ଯେଉଁଥିପାଇଁ କଳାବାଡ଼ିଆ, ପଥୁରି, କୁମ୍ଭାରମୁଣ୍ଡାକଟା, ଗୋଲାମୁଣ୍ଡାକଟା, ବଣକାଟୀ, ବ୍ରାହ୍ମଣଗାଁ, ଚାକିଡ଼ି, ସୋରିଷପାଳ, ବଡ଼ଗାଁ, ଭୂଆସୁଣି, ଚନ୍ଦନପୁର ପଞ୍ଚାୟତରୁ ଶତାଧିକ ଯୁବକଯୁବତୀ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି। ମୁଖ୍ୟତଃ ଧାନଚାଷ ପରେ ନଭେମ୍ବର-ଡିସେମ୍ବର ବେଳକୁ ଏହି ଅଞ୍ଚଳରେ କାମ ମିଳୁ ନଥିବାରୁ ଆନ୍ଧ୍ର, ତାମିଲନାଡ଼ୁ, ଗୁଜରାଟ, କେରଳ, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ଲୋକେ କାମ ପାଇଁ ଯାଉଛନ୍ତି।

ପୁଣି ଏଠାକାର ଦାଦନ ଶ୍ରମିକ ବାହାରେ ଭୋଗୁଥିବା ସମସ୍ୟା ଅତ୍ୟନ୍ତ ଅମାନବୀୟ ଓ ସମ୍ବେଦନାଶୂନ୍ୟ। ୨୦୧୮ ମସିହାରେ ସ୍ଥାନୀୟ ବଡ଼ଗାଁ ପଞ୍ଚାୟତର ୯ ଜଣ ଦାଦନ ଶ୍ରମିକଙ୍କୁ ମୁମ୍ବାଇରୁ ଦୟନୀୟ ଅବସ୍ଥାରେ ଉଦ୍ଧାର କରିଥିଲା ପୁଲିସ। ସେମାନଙ୍କୁ ଦଲାଲ ସେଠାରେ ବିକ୍ରି କରି ଦେଇଥିଲା। ସେହିପରି ବଣକାଟୀ ପଞ୍ଚାୟତ ଜାମଦାପାଳ ଗ୍ରାମର ଜଣେ ଯୁବକ ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ପ୍ରାଣ ହରାଇବା ପରେ କମ୍ପାନି କର୍ତ୍ତୃପକ୍ଷ ଘରେ ଶବ ପକାଇ ଚମ୍ପଟ୍‌ ମାରିଥିଲେ। ଚଳିତବର୍ଷ ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ସୋରିଷପାଳ ଗ୍ରାମର ଶଙ୍କର ମାରାଣ୍ଡି (୩୫) ପ୍ରାଣ ହରାଇଥିଲେ। ସେ ଦାଦନ ଖଟିବାକୁ ଚେନ୍ନାଇ ଯାଉଥିଲେ। ସେଠାରେ ତାଙ୍କ ଗ୍ରାମର ଏକାଧିକ ଯୁବକ ପୂର୍ବରୁ ଶ୍ରମିକ ଭାବେ କାମ କରୁଥିଲେ। ହେଲେ ଶଙ୍କରଙ୍କ ଭଳି କେତେ ଶ୍ରମିକ ଏହି ବ୍ଲକ୍‌ରୁ ବାହାର ରାଜ୍ୟକୁ ଯାଇଛନ୍ତି, ସେତକ ତଥ୍ୟ ବି ଶ୍ରମ ବିଭାଗ ପାଖରେ ନାହିଁ। ନିଯୁକ୍ତି ସମସ୍ୟା ଏମିତି ହେଲାଣି ଯେ କଳାବାଡ଼ିଆ ପଞ୍ଚାୟତର ସମିତିସଭ୍ୟା ସୌଦାମିନୀ ସିଂ ଓ ପୂର୍ବତନ ସମିତିସଭ୍ୟା ବେଲ ସିଂ ଲୋକଙ୍କ ଦୁଃଖ ଦୂର କରିବେ କଣ, ନିଜେ ଯାଇ ଅନ୍ୟ ଲୋକଙ୍କ ବିଲବାଡ଼ିରେ ଖଟୁଛନ୍ତି। ତେବେ ଏହି ସଂକଟର ମୁକାବିଲା ଲାଗି ସରକାର ଏଠାରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ମନରେଗା ଯୋଜନାର ସଫଳ ରୂପାୟନ ଓ କୃଷି କ୍ଷେତ୍ରରେ ଜଳସେଚନକୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି ବିଜେପିର ରାଷ୍ଟ୍ରୀୟ ସଦସ୍ୟ ସୁଗୁଦା ମୁର୍ମୁ ଓ ସ୍ଥାନୀୟ ଅଞ୍ଚଳର ଚାଷୀ ସଞ୍ଜୀବ କୁମାର ମହାନ୍ତି।