ସମ୍ବଲପୁର: ତ୍ରୁଟିପୂର୍ଣ୍ଣ ଶିକ୍ଷା ନୀତିକୁ ସୁଧାରିବା ଦିଗରେ ଜାତୀୟ ଶିକ୍ଷା ନୀତି-୨୦୨୦ ତାର କାର୍ଯ୍ୟ ଆରମ୍ଭ କରି ଦେଇଛି। ନୂତନ ଲକ୍ଷ୍ୟପଥରେ ପହଞ୍ଚିବା ପାଇଁ ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଭାରତ ଶିକ୍ଷାର ଶକ୍ତିକୁ ବୁଝିବା ଆରମ୍ଭ କରିଛି। ଇଂରାଜୀ ଏବଂ ଆଞ୍ଚଳିକ ଭାଷା ଜରିଆରେ ଏହା କରାଯାଇପାରୁଛି। ପୂର୍ବରୁ ଥିବା ଶିକ୍ଷା ମଡେଲ ଡିଗ୍ରି କେନ୍ଦ୍ରୀଭୂତ ଥିଲା। ବର୍ତ୍ତମାନ କିନ୍ତୁ ନୀତି ଦକ୍ଷତାକୁ ଗୁରୁତ୍ବ ଦିଆଯାଉଛି। କେବଳ ନିର୍ଦ୍ଦିଷ୍ଟ ଗୋଟିଏ ସ୍ତରରେ ନୁହେଁ ପ୍ରାଥମିକ, ମାଧ୍ୟମିକ ଏବଂ ହାଇସ୍କୁଲରେ ମଧ୍ୟ ଏହି ପରିବର୍ତ୍ତନ ହେବ। ସମଗ୍ର ଦେଶରେ ଶିକ୍ଷାର ପ୍ରତ୍ୟେକ ସ୍ତରରେ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇ ଉତ୍ସର୍ଗୀକୃତ ଶିକ୍ଷକଙ୍କ ପିରାମିଡ୍ ତିଆରି କରାଯାଇପାରିଲେ ହିଁ ଜାତୀୟ ଶିକ୍ଷାନୀତି-୨୦ ପ୍ରକୃତ ଅର୍ଥରେ ତାର ଲକ୍ଷ୍ୟ ପଥରେ ପହଞ୍ଚିପାରିବ।
ଏଥିପାଇଁ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବାସୁଠକ୍କର ଜେ.ରାଓ।
ଗୁରୁବାର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଚତୁର୍ଥ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଫେସର ରାଓ ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ବର୍ତ୍ତମାନଠାରୁ ହିଁ ସେମାନଙ୍କ ଜୀବନର ପ୍ରକୃତ ଯାତ୍ରା ଆରମ୍ଭ ହୋଇଛି। ସେମାନଙ୍କୁ ମିଳିଥିବା ଶିକ୍ଷାର ଶକ୍ତି ବଳରେ ହିଁ ଆଗାମୀ ଦିନର ସମସ୍ତ ପ୍ରକାର ଚାଲେଞ୍ଜର ସମ୍ମୁଖୀନ ହେବେ। ସେମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତ୍ୟେକ ବିଦ୍ୟାର୍ଥୀ ଜିଏମ୍ ବିଶ୍ବବିଦ୍ୟାଳୟକୁ ସାଲ୍ୟୁଟ୍ କରିବା ଉଚିତ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କୁଳପତି ପ୍ରଫେସର ଏନ.ନାଗାରାଜୁ କହିଥିଲେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଜିଏମ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରାଯାଇଛି।
ଯେଉଁଥିରେ ଭାରତୀୟ ଭାଷା, ଭାରତୀୟ ଜନ ପରମ୍ପରା ଏବଂ ଭାରତୀୟ ଜ୍ଞାନକୁ ଗୁରୁତ୍ବ ଦିଆଯାଇଛି। ଏହି ଅବସରରେ ୨୦୨୪ ଏବଂ ୨୦୨୩ ପାଇଁ ୩୩ ଜଣଙ୍କୁ ସ୍ମାରକୀ ପୁରସ୍କାର, ୩୪ ଜଣଙ୍କୁ ପିଏଚ୍ଡି ଡିଗ୍ରି, ୬୯ ବିଦ୍ୟାର୍ଥୀଙ୍କୁ ସ୍ବର୍ଣ୍ଣ ପଦକ, ୭୩ ଜଣଙ୍କୁ ବିଭାଗ ଟପ୍ପର୍ ପଦକ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କୁଳସଚିବ ସନତ୍ ନାଏକ, ପିଜି କାଉନ୍ସିଲ୍ ଅଧ୍ୟକ୍ଷ ଜ୍ଞାନରଞ୍ଜନ ସ୍ବାଇଁ, ସିଣ୍ଡିକେଟ୍ ସଦସ୍ୟ ଶଙ୍କର ପ୍ରସାଦ ପତି, କାଳିଦାସ ମିଶ୍ର, ରାଜଲକ୍ଷ୍ମୀ ମିଶ୍ର, ସବିତା ତ୍ରିପାଠୀ, ଅଞ୍ଜଳି ତ୍ରିପାଠୀ, ପାର୍ଥସାରଥୀ ମଲ୍ଲିକ, ଜଗନ୍ନାଥ ରାଉତ, ଜଗନ୍ନାଥ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ଉପକୁଳସଚିବ ଡ.ଉମାଚରଣ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
୩୪ ଜଣଙ୍କୁ ପିଏଚ୍ଡି ଡିଗ୍ରି, ୬୯ଙ୍କୁ ସ୍ବର୍ଣ୍ଣ ପଦକ, ଜିଏମ୍ୟୁରେ ପଦକପ୍ରାପ୍ତ ୭୩% ଛାତ୍ରୀ
ଜିଏମ୍ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ପଦକପ୍ରାପ୍ତ ୨୦୭ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୫୧ ଅର୍ଥାତ ୭୩% ଛାତ୍ରୀ ଅଟନ୍ତି। ୨୦୨୩ ଏବଂ ୨୪ରେ ବିଭିନ୍ନ ବିଭାଗରେ ଶୀର୍ଷ ସ୍ଥାନ ଅକ୍ତିଆର କରିଥିବା ୨୦୭ ଜଣଙ୍କ ମଧ୍ୟରୁ ୧୫୧ ଜଣ ଛାତ୍ରୀ। ପିଏଚ୍ଡି ଡିଗ୍ରି ପାଇଥିବା ୩୪ ଜଣଙ୍କ ମଧ୍ୟରୁ ୧୯ ଜଣ, ସ୍ପନ୍ସର ମେଡାଲର ୩୩ରୁ ୨୫ ଜଣ ଛାତ୍ରୀ ବାଜିମାତ କରିଛନ୍ତି। ଉପକୁଳସଚିବ ଡ.ଉମାଚରଣ ପତିଙ୍କ ସୂଚନା ଅନୁସାରେ, ଜିଏମୟୁରେ ନାମଲେଖାଉଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ୫୨% ଛାତ୍ରୀ ଏବଂ ୪୮% ଛାତ୍ର ଅଟନ୍ତି। ଛାତ୍ରୀମାନଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହୁଛି।