ଶିକ୍ଷାନୁଷ୍ଠାନ ଖୋଲିବା ପ୍ରସଙ୍ଗ : କେନ୍ଦ୍ର-ରାଜ୍ୟ ମଧ୍ୟରେ ନାହିଁ ତାଳମେଳ

ଘରେ ରହି କାର୍ଯ୍ୟ କରିବାକୁ କେନ୍ଦ୍ର ଉଚ୍ଚଶିକ୍ଷା ବିଭାଗର ଚିଠି
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କହୁଛି କ୍ୟାମ୍ପସକୁ ଆସି କ୍ଲାସ କର

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି। ପିଲାମାନେ କ୍ୟାମ୍ପସକୁ ଆସିବେ ନାହିଁ କି କ୍ଲାସ ରୁମ୍‌ ଶିକ୍ଷା‌ଦାନ ହେବ ନାହିଁ। ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିବ। ଅଧ୍ୟାପକମାନେ ପିଲାଙ୍କୁ ଘରେ ରହି ଅନ୍‌ଲାଇନ୍‌ରେ ପଢ଼ାଇବେ। ଜୁଲାଇ ୩୧ ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ ଉଚ୍ଚ ଶିକ୍ଷାନୁଷ୍ଠାନର ଅଧ୍ୟାପକ, ଗବେଷକ, କର୍ମଚାରୀଙ୍କୁ ଅନୁମତି ଦିଆଯାଉ। ଶିକ୍ଷାନୁଷ୍ଠାନ ବନ୍ଦ ରହୁଥିବାରୁ ଘରେ ରହି ସେମାନେ ବିଭିନ୍ନ ଗବେଷଣାଧର୍ମୀ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରନ୍ତୁ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୟୁଜିସି, ଏଆଇସିଟିଇ, ଏନ୍‌ଟିଏ ଓଡ଼ିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ପରାମର୍ଶ ଦିଆଯାଇଛି।

ସ୍ପଷ୍ଟ କରାଯାଇଛି ଯେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ‌ଯେଉଁ ଚୁକ୍ତିଭିତ୍ତିକ ଅଧ୍ୟାପକ ଓ କର୍ମଚାରୀଙ୍କ ଚାକିର ରହିଛି ତାହାକୁ ଡ୍ୟୁଟି ଭାବେ ଗଣନା କରାଯିବ। ଏଥିସହ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଯେପରି ଅରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ କରିବାକୁ ସୁନିଶ୍ଚିତ କରିବେ। ଅତ୍ୟାବଶ୍ୟକ ପଡ଼ିଲେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ପାଳନ କରି ଅଧ୍ୟାପକ ଓ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବା ଲାଗି କୁହାଯାଇପାରିବ। ଶିକ୍ଷାନୁଷ୍ଠାନର ସମସ୍ତ ସଦସ୍ୟ ସେମାନଙ୍କ ମୋବାଇଲ୍‌ ନମ୍ବର, ଇମେଲ୍‌ ଆଇଡି ଆଦି କର୍ତୃପକ୍ଷଙ୍କୁ ଦେବେ ଏବଂ ଜରୁରୀ ଆବଶ୍ୟକ ପଡ଼ିଲେ ସେମାନଙ୍କ ସହ ଯୋଗାଯୋଗ କରାଯାଇପାରିବ। ବିଶ୍ବବିଦ୍ୟାଳୟ ଓ କଲେଜର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଲାଗି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

ଜୁନ୍‌ ୩୦ ତାରିଖରେ ଏଭଳି ଚିଠି ଲେଖାଯାଇଥିଲେ ମଧ୍ୟ ଓଡ଼ିଶାରେ ପାଳନ ହେଉ ନାହିଁ। ସମସ୍ତ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ, ଡିଗ୍ରି କଲେଜ ଖୋଲାଯାଇଛି। କ୍ୟାମ୍ପସକୁ ଆସି ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ କ୍ଲାସ ନେବାକୁ ଶିକ୍ଷକଙ୍କୁ ବାଧ୍ୟ କରାଯାଇଛି। ଏମିତି କି ଲାଇବ୍ରେରି ଖୋଲି ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଦୁଇ ଦିନ ତଳେ ଶିକ୍ଷାନୁଷ୍ଠାନଗୁଡ଼ିକୁ କଡ଼ା ନିର୍ଦେଶ ଦେଇଛନ୍ତି। ଗୋଟିଏ ପଟେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଘରେ ରହିବାକୁ କେନ୍ଦ୍ର ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସଚିବ ପରାମର୍ଶ ଦେଇଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ମିଶ୍ର ଚିଠି ଲେଖି କ୍ୟାମ୍ପସକୁ ଆସିବାକୁ କହିବା ଘଟଣାକୁ ନେଇ ଅଧ୍ୟାପକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତା‌ଳମେଳ ରହୁ ନ ଥିବା ଦେଖିବାକୁ ମିଳୁଛି।

ସବୁଠାରୁ ବଡ଼ କଥା ହେଲା ଯେ ରାଜ୍ୟ ସରକାରଙ୍କ ଖାମଖିଆଲି ପାଇଁ ଏବେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କରୋନା ପଶିଲାଣି। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଜଣେ ଶ୍ରମିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଉ ‌ଏବେ ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌)ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିପାଇଁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟକୁ ସିଲ୍‌ କରି ଦିଆଯାଇଛି। କେବଳ ଏତିକି ନୁହେଁ, ଡିଗ୍ରି କଲେଜଗୁଡ଼ିକ ଅବସ୍ଥା ନ କହିବା ଭଲ। କେତେକ ଜିଲ୍ଲାରେ ଗୋଟିଏ କ୍ୟାମ୍ପସ ଭିତରେ ଅଧ୍ୟାପକ ଓ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆ ରହୁଛନ୍ତି।

ସମ୍ବନ୍ଧିତ ଖବର