ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ଅଧିକାରୀ ପଦଗୁଡ଼ିକରେ ଓଏଏସ୍ (ଓଡ଼ିଶା ପ୍ରଶାସନିକ ସେବା) କ୍ୟାଡର୍କୁ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଏସ୍ସିଆରଟି ନିର୍ଦ୍ଦେଶକ, ରୁସା ନିର୍ଦ୍ଦେଶକ, ଯୁକ୍ତ୨ ପରିଷଦ ସଚିବ ପରୀକ୍ଷା ନିୟନ୍ତ୍ରକ, ଆଞ୍ଚଳିକ ଶିକ୍ଷା ନିର୍ଦେଶକ, ବିଶ୍ବବିଦ୍ୟାଳୟ କୁଳସଚିବ ଆଦି ପଦଗୁଡ଼ିକରେ ଏଣିକି ବରିଷ୍ଠ ପ୍ରାଧ୍ୟାପକଙ୍କ ବଦଳରେ ଓଏଏସ୍ମାନେ ନିଯୁକ୍ତି ପାଇବେ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଧ୍ୟାପକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରାଧ୍ୟାପକମାନେ ନିଯୁକ୍ତି ପାଉଥିବା ବେଳେ ଓଡ଼ିଶାରେ ଓଏସ୍ଏମାନଙ୍କୁ ନିଯୁକ୍ତି ଦିଆଯିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ରାଜ୍ୟ ସରକାର ଏଭଳି ନିଷ୍ପତ୍ତିରୁ ଦୂରେଇ ରୁହନ୍ତୁ ଏବଂ ଶିକ୍ଷା ବ୍ୟବସ୍ଥାକୁ ପ୍ରଶାସକଙ୍କ ହାତକୁ ଟେକି ଦିଅନ୍ତୁ ନାହିଁ ବୋଲି ଶିକ୍ଷକ ସଙ୍ଗଠନମାନେ ଦାବି ଉଠାଇଛନ୍ତି।
ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହି ନିଷ୍ପତ୍ତିରେ ହସ୍ତକ୍ଷେପ ଲୋଡ଼ିଛନ୍ତି। ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘ ସଭାପତି ମାନସ ବେହେରା, ସାଧାରଣ ସମ୍ପାଦକ ଦେବାଶିଷ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଶିକ୍ଷା ବ୍ୟବସ୍ଥାକୁ ଅମଲାତନ୍ତ୍ର ମୁକ୍ତ କରିବାକୁ ବିଭିନ୍ନ ଆୟୋଗମାନେ ନିଜ ରିପୋର୍ଟରେ ପ୍ରକାଶ କରିଛନ୍ତି। ଶିକ୍ଷା ପ୍ରଶାସନ ସାଧାରଣ ପ୍ରଶାସନଠାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ। ବିନା କାରଣରେ ଏଭଳି ଏକ ନିଷ୍ପତ୍ତି ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିବ। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇ ନିଷ୍ପତ୍ତିର ପୁନଃବିଚାର ପାଇଁ ନିବେଦନ କରାଯାଇଛି। ଉଚ୍ଚଶିକ୍ଷା ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦିଆଯାଇଛି।
୬୬୨ବର୍ଗ କଲେଜ ସଂଘ ସଭାପତି ଗୋଲକ ନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ ଏଭଳି କରାଯାଇ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସ୍ଥାଣୁ କରି ଦିଆଗଲାଣି। ଓଇଏସ୍ମାନେ ଯେଉଁ ପଦରେ ନିଯୁକ୍ତି ପାଇବା କଥା ସେଠାରେ ଓଏଏସ୍ଙ୍କୁ ନିଯୁକ୍ତି ଦିଆଯାଉଛି। ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ପ୍ରଫେସର ଓ ରିଡର୍ ପଦ ପୂରଣ ହେଉନି। ଯେଉଁଥିପାଇଁ ଗବେଷଣାମୂଳକ କାର୍ଯ୍ୟ ହୋଇପାରୁନାହିଁ। ଉଚ୍ଚଶିକ୍ଷିତ ପିଲାମାନେ ଅଧ୍ୟାପନା କାର୍ଯ୍ୟରୁ ମୁହଁ ମୋଡ଼ିବା ଆରମ୍ଭ କଲେଣି। ସରକାର ଏଭଳି ନିଷ୍ପତ୍ତିରୁ ନିବୃତ୍ତ ରହିବା ସହ ଓଇଏସ୍ମାନଙ୍କୁ ବରିଷ୍ଠତା ଭିତ୍ତିରେ ବିଭିନ୍ନ ପଦରେ ନିଯୁକ୍ତି ଦିଆଯାଉ ବୋଲି ସଂଘର ସାଧାରଣ ସମ୍ପାଦକ ସତାପଉଦ୍ଦିନ୍ ମହମ୍ମଦ. ଗଗନ ବେଉରା, ଉପସଭାପତି ତପନ ଜେନା, ଜ୍ୟୋତ୍ସ୍ନାରାଣୀ ବସ୍ତିଆ, ଅଶୋକ ପୁରୋହିତ, ରଞ୍ଜନ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ସେହିପରି ୪୮୮ ବର୍ଗର ପବିତ୍ର ମାହାଲା, ଅଟଳ ବଳ, ପ୍ରଶାନ୍ତ ପାତ୍ର, ପ୍ରଦୀପ କୁମାର ମିଶ୍ର, ପ୍ରଶାନ୍ତ ପ୍ରଧାନ, ପ୍ରଭାତ ଶତପଥୀ ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ନିଷ୍ପତ୍ତିକୁ ପ୍ରତ୍ୟାହାର ସହ ଓଇଏସ୍ମାନଙ୍କୁ ନିଯୁକ୍ତି ଦେବା ଲାଗି ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/higher-secoundary-educaion.jpg)