ଭୁବନେଶ୍ବର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଯାଇଛି। ଭିତ୍ତିଭୂମି ଓ ମାନବସମ୍ବଳ କ୍ଷେତ୍ରରେ ଆମେ ବହୁ ପଛରେ। ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବାରୁ ଗଛ ତଳେ, ବାରଣ୍ଡାରେ, ଭଙ୍ଗା କୁଡିଆରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ଅତ୍ୟନ୍ତ କଠୋର ହେଲେ ମଧ୍ୟ ଏହାକୁ ସ୍ୱୀକାର କରିବାକୁ ପଡ଼ିବ। ପୂର୍ବ ସରକାର ୫-ଟି ନାଁରେ ସ୍କୁଲ ରୂପାନ୍ତରୀକରଣ, ସ୍ମାର୍ଟ କ୍ଲାସରୁମ୍, ଲାଇବ୍ରେରି, ସ୍ମାର୍ଟବୋର୍ଡ କରିଦେଇଥିଲେ। ମାତ୍ର ଭିତ୍ତିଭୂମିରେ କୌଣସି ପରିବର୍ତ୍ତନ ହେଲା ନାହିଁ। ପୁରୁଣା କାନ୍ଥରେ ରଙ୍ଗଦେଲେ ରୂପାନ୍ତର ହୁଏ ନାହିଁ ବୋଲି ଆଜି ଜାତୀୟ ଶିକ୍ଷା ନୀତି କର୍ମଶାଳାରେ
ସାମିଲ ହୋଇ ତତ୍କାଳୀନ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ୍ କରିଛନ୍ତି।
ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ
ନାଚଗୀତରେ ଟଙ୍କା ଖର୍ଚ୍ଚ କରୁଥିଲେ: କେନ୍ଦ୍ରମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଛନ୍ତି, ଓଡ଼ିଶାରେ ଡ୍ରପ୍ଆଉଟ୍ ହାର ଅଧିକ ରହିଛି। ପୂର୍ବ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନ ସଜାଡ଼ି ହାଇସ୍କୁଲ ରୂପାନ୍ତରରେ ମାତିଯାଇଥିଲେ। ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀଙ୍କ ମୂଳଦୁଆ। ସେମାନଙ୍କ ପାଠପଢ଼ା ଠିକ୍ ନ କରି ଆମେ ଯଦି ହାଇସ୍କୁଲକୁ ଗୁରୁତ୍ବ ଦେବା ତାହା ହେଲେ କିଭଳି ହେବ? ପ୍ରାଥମିକ ଶିକ୍ଷାରେ ବ୍ୟାପକ ଅବ୍ୟବସ୍ଥା ଥିବାରୁ ତାହାକୁ ସଜାଡ଼ିବା ଦିଗରେ ବର୍ତ୍ତମାନର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଶିକ୍ଷା ବଜେଟ୍ ବୃଦ୍ଧି ସହ ଡ୍ରପ୍ଆଉଟ୍ ରୋକିବାକୁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ହାର କମାଇବାକୁ ଉଦ୍ୟମ ହୋଇଛି। ଦୁଇ ଲକ୍ଷ ଛାତ୍ରଛାତ୍ରୀ ଏହାର ସୁଫଳ ପାଇବେ। ଏବେ ସୁଦ୍ଧା ୧ଲକ୍ଷ ୪୦ ହଜାର ପିଲାଙ୍କ ପାଇଁ ବ୍ୟବସ୍ଥା ହୋଇସାରିଥିବା ସେ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୂର୍ବ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ୨୦୨୦ରେ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଥିଲା। ୫ ବର୍ଷ ପରେ ଏହା ଓଡ଼ିଶାରେ ଲାଗୁ ହେବାକୁ ଯାଉଛି। ପୂର୍ବ ସରକାର ନିଜର ସ୍ବତନ୍ତ୍ର ଶିକ୍ଷା ନୀତି ପ୍ରଣୟନ କରିବାକୁ ଯୋଜନା କରୁଥିଲେ। ତେଣୁ ଲୋକ ଦେଖାଣିଆ ଭାବେ ଜାତୀୟ ଶିକ୍ଷା ନୀତିକୁ ଗ୍ରହଣ କରିଥିଲେ। କେବଳ ନାଚଗୀତରେ ଟଙ୍କା ଖର୍ଚ୍ଚ କରୁଥିଲେ। ବର୍ତ୍ତମାନର ସରକାର ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ଆଗ୍ରହ ଦେଖାଇଛନ୍ତି। ତାହାକୁ ଆଗକୁ ନେବାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ। ରାଜ୍ୟର ୧୦ଟି ଡିଆଇଇଟିକୁ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପରିଣତ କରାଯିବ। ଶିକ୍ଷକଙ୍କ ତାଲିମ ସହ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ସବୁ ବିଦ୍ୟାଳୟରେ ଇଣ୍ଟରନେଟ୍ ପହଞ୍ଚିବ ବୋଲି ସେ ଆଶାପ୍ରକଟ କରିଥିଲେ।
ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନେଇ ତତ୍କାଳୀନ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କାଠଗଡାକୁ ଟାଣିଥିବା ବେଳେ ଜବାବ ରଖିଛି ବିଜେଡି। ବିଜେଡି ବିଧାୟକ ସାରଦା ଜେନା ଗଣମାଧ୍ୟମରେ କହିଛନ୍ତି ଯେ ବିଜେଡି ସରକାର ସମୟରେ ହିଁ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଥିଲା। ସ୍କୁଲ ଶିକ୍ଷା ଏକ ନୂଆ ସ୍ତରରେ ପହଞ୍ଚିଥିଲା। କଳାପଟା ଦେଖୁଥିବା ଛାତ୍ରଛାତ୍ରୀ ସ୍ମାର୍ଟବୋର୍ଡରେ ପଢ଼ୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/07/mohan-charan-majhi-vedio.jpg)