ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ଭଦ୍ରକ: ୩୦୧ ହାଇସ୍କୁଲ୍‌ରେ ୫୫୭ ଶିକ୍ଷକ ପଦ ଖାଲି

ଭଦ୍ରକ:  ଭଦ୍ରକ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ।  ଜିଲ୍ଲାରେ ୩୦୧ ହାଇସ୍କୁଲରେ ୫୫୭ ଶିକ୍ଷକ ପଦ ଖାଲି ପଡିଛି। ଏପରିକି ଆଦର୍ଶ ବିଦ୍ୟାଳୟ, ୫-ଟି ସ୍କୁଲରେ ବି ଶିକ୍ଷକ ମରୁଡି। ସରକାରୀ ସ୍କୁଲଗୁଡିକରେ ବ‌ର୍ଷ ବର୍ଷ ଧରି  ଶିକ୍ଷକ ପଦ ଖାଲି ପଡିଛି। ବିଷୟ ଭିତ୍ତିକ ଶିକ୍ଷକ ନଥିବାରୁ ଅନେକ ସ୍କୁଲରେ ପାଠପଢା ଠିକ୍ ଭାବେ ହେଉ ନାହିଁ।

ଭଦ୍ରକ ଜିଲ୍ଲାରେ ମୋଟ ୩୦୧ ହାଇସ୍କୁଲରେ ଏବେ  ୫୫୭  ଜଣ ଶିକ୍ଷକ ପଦ ଖାଲି ପଡିଛି। ଛାତ୍ରଛାତ୍ରୀଙ୍କ ଅନୁପାତରେ ବିଷୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ନିୟମ  ରହିଛି। ଏହି  ନିୟମକୁ ସରକାର ଉଲ୍ଲଂଘନ କରୁଛନ୍ତି। ଜିଲ୍ଲାରେ ୧୫ଟି ସରକାରୀ  ହାଇସ୍କୁଲ  ଓ  ୧୫୩ଟି ଅନୁଦାନପ୍ରାପ୍ତ ହାଇସ୍କୁଲ,  ୯୨ଟି ବ୍ଲକ୍‌ ଗ୍ରାଣ୍ଟ ହାଇସ୍କୁଲ ଓ ୬୧୦ ବର୍ଗର  ୩୪ଟି  ଅନୁଦାନପ୍ରାପ୍ତ ହାଇସ୍କୁଲ ରହିଛି। ଏହିସବୁ ସ୍କୁଲକୁ ମିଶାଇ ଜିଲ୍ଲାରେ ମୋଟ  ୩୦୧  ହାଇସ୍କୁଲରେ ବିଭିନ୍ନ ବର୍ଗର ମୋଟ  ୩୫୨୫ ଜଣ ଶିକ୍ଷକ ରହିବା କଥା। ଏବେ ୨୯୬୮ ଜଣ ଶିକ୍ଷକ ରହିଥିବା ବେଳେ ଆହୁରି ୫୫୭ଟି ଶିକ୍ଷକ ପଦ ଖାଲି ରହିଛି। ଏହିସବୁ ହାଇସ୍କୁଲରେ ୬୫ଟି ପ୍ରଧାନଶିକ୍ଷକ ପଦ ଖାଲି ରହିଥିବା ବେଳେ ୪୫ଟି ହାଇସ୍କୁଲରେ ପିସିଏମ୍‌, ୫୨ଟି ସ୍କୁଲରେ ସିବିଜେଡ୍ ଶିକ୍ଷକ ପଦ ଖାଲି ପଡିଛି।

ବିଜ୍ଞାନ ଓ ଗଣିତ ବିଭାଗରେ ଏତେ ସଂଖ୍ୟକ ଶିକ୍ଷକ ପଦ ଖାଲି ପଡିଥିବା ବେଳେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦ ମଧ୍ୟ ବହୁ ସ୍କୁଲରେ ଖାଲିରହିଛି।  ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦ ପୂରଣ ଲାଗି ଶିକ୍ଷା ବିଭାଗ ଏହା ଭିତରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି  ଅନେକ  ସ୍କୁଲରେ  ନିଯୁକ୍ତି ଦେଇଛନ୍ତି।  ଜିଲ୍ଲାରେ ନୂତନ ଭାବେ ୨୧୦ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। କେବଳ ଶିକ୍ଷକ ପଦ ପୂରଣ କଥା ନୁହେଁ,  ୭୧୬ଟି ମଂଜୁରୀପ୍ରାପ୍ତ ଅଣଶିକ୍ଷକ ପଦରୁ ୨୬୧ଟି ପଦ ଖାଲି ରହିଛି। ସେଥିରୁ ୫୮ଟି କିରାଣୀ ପଦ ଖାଲି ରହିଥିବା ବେଳେ ୨୦୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ ଖାଲି ରହିଛି। ଫଳରେ ସ୍କୁଲଗୁଡିକରେ ଶିକ୍ଷକମାନେ ପିଅନ ଓ କିରାଣୀ କାମ କରୁଛନ୍ତି। କେବଳ ସରକାରୀ ସ୍କୁଲରେ ଏପରି ଅଚଳାବସ୍ଥା ହୋଇଛି ତାହା ନୁହେଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା  ରହିଛି। ଆଦର୍ଶ ବିଦ୍ୟାଳୟରେ ଅନେକ ଶିକ୍ଷକ ପଦ ଖାଲିପଡିଛି।

ଭଦ୍ରକ ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରୀ ହେବାକୁ ୬ ବର୍ଷ  ବିତିଗଲାଣି। ୭ଟି ବ୍ଲକରେ  ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ସଂପୂର୍ଣ୍ଣ ହୋଇପାରିନାହିଁ। ସାଧାରଣ ସ୍କୁଲ ପରି ଆଦର୍ଶ ବିଦ୍ୟାଳୟରେ ବି ଶିକ୍ଷକ ଅଭାବରୁ ପାଠପଢାରେ ଅନ୍ତରାୟ ସୃଷ୍ଟି ହୋଇଛି। ସେହିପରି ୫-ଟି ଯୋଜନାରେ ରୂପାନ୍ତିକରଣ ୧୭ଟି ବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି ରହିଛି। ଦ୍ବିତୀୟ ଦଫାରେ ଜିଲ୍ଲାରେ ୧୦୯ଟି ସ୍କୁଲକୁ ରୂପାନ୍ତିକରଣ କରାଯାଇ କାର୍ଯ୍ୟ ଚାଲୁରହିଛି। ଜିଲ୍ଲାରେ  ପ୍ରାୟ ୨୬ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରଙ୍କ ପାଠପଢା ପ୍ରତି ସରକାର ଗୁରୁତ୍ବ ନ ଦେଇ  ୫-ଟି ନାମରେ ଗୋଟିିଏ ପରେ ଗୋଟିଏ ସ୍କୁଲକୁ ରଙ୍ଗ ବୋଳି ଚକାଚକ କରିବାରେ ବ୍ୟସ୍ତ। ତେଣୁ ଶିକ୍ଷକ ନିଯୁକ୍ତିକୁ ପ୍ରାଧାନ୍ୟ ଦେବାକୁ ଶିକ୍ଷାବିତମାନେ ଦାବି କରିଛନ୍ତି। ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଙ୍କୁ ପଚାରିବାରୁ କହିଲେ ରାଜ୍ୟ ସରକାର ଖୁବ୍‌ଶୀଘ୍ର  ଖାଲି ଥିବା ଶିକ୍ଷକ ପଦ ପୂରଣ କରିବା ପାଇଁ  ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର