କଟକ: ଲାବୋରେଟୋରି ଆଟେଣ୍ଡାଣ୍ଟଙ୍କ ନିଯୁକ୍ତି ସମୟରେ ବଳବତ୍ତର ଥିବା ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡ ଚାକିରି ଅନୁମୋଦନ ସମୟରେ ଲାଗୁ ହେବ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଏଥିସହିତ ଅନୁଦାନପ୍ରାପ୍ତ କଲେଜର ଦୁଇ ଲାବୋରେଟୋରି ଆଟେଣ୍ଡାଣ୍ଟଙ୍କ ଚାକିରି ଅନୁମୋଦନ ଆବେଦନ ଅଗ୍ରାହ୍ୟ କରି ରାଜ୍ୟ ଶିକ୍ଷା ଟ୍ରିବ୍ୟୁନାଲ ୨୦୨୩ ସେପ୍ଟେମ୍ବର ୨୫ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଦୁଇ ମାସ ଭିତରେ ଆବେଦନକାରୀଙ୍କ ଚାକିରି ଅନୁମୋଦନ ନିର୍ଦ୍ଦେଶନାମା ଜାରି କରିବାକୁ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦୀପ କୁମାର ରାୟ ଓ ନିତ୍ୟାନନ୍ଦ ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ବାଲେଶ୍ବର ଜିଲ୍ଲା ସନ୍ତରାଗଡ଼ିଆସ୍ଥିତ ବାବା ପଞ୍ଚଲିଙ୍ଗେଶ୍ବର କଲେଜରେ ଲାବୋରେଟୋରି ଆଟେଣ୍ଡାଣ୍ଟ ସମେତ ଅନ୍ୟ ପଦରେ ନିଯୁକ୍ତି ପାଇଁ ୧୯୯୩, ଜୁଲାଇ ୨୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିଯୁକ୍ତି ପ୍ରକ୍ରିୟା‌ରେ ଅଂଶଗ୍ରହଣ କରି ଦୁଇ ଆବେଦନକାରୀ ୧୯୯୩, ସେପ୍ଟେମ୍ବର ୮ରେ ଲାବୋରେଟୋରି ଆଟେଣ୍ଡାଣ୍ଟ ଭାବେ ନିଯୁକ୍ତି ପାଇଥିଲେ। ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ଭାବେ ଦୁଇ ଆବେଦନକାରୀ ସେମାନଙ୍କ ଚାକିରି ଅନୁମୋଦନ ପାଇଁ ଦାଖଲ କରିଥିବା ଦରଖାସ୍ତ ଉପରେ କୌଣସି ପଦକ୍ଷେପ ନିଆ ନଯିବାରୁ ଉଭୟ ଶିକ୍ଷା ଟ୍ରିବୁନାଲଙ୍କ ଦ୍ବାରସ୍ଥ ହୋଇଥିଲେ। ଶିକ୍ଷା ଓ ଯୁବସେବା ବିଭାଗର ୧୯୭୭, ଜୁଲାଇ ୮ର ବିଜ୍ଞପ୍ତିରେ ଲାବୋରେଟୋରି ଆଟେଣ୍ଡାଣ୍ଟଙ୍କ ପାଇଁ କୌଣସି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରାଯାଇ ନଥିଲା। ୧୯୭୭ର ଏହି ବିଜ୍ଞପ୍ତି ଆଧାରରେ ମାଟ୍ରିକ୍ ପାସ୍ କରି ନଥିବା ଦୁଇ ଆବେଦନକାରୀ ୧୯୯୩ରେ ନିଯୁକ୍ତି ପାଇଥିଲେ।

ଅନ୍ୟପକ୍ଷରେ ୧୯୯୯, ସେପ୍ଟେମ୍ବର ୨୧ରେ ଆଟେଣ୍ଡାଣ୍ଟଙ୍କ ପାଇଁ ଧାର୍ଯ୍ୟ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଶିକ୍ଷା ଟ୍ରିବୁନାଲ ଆବେଦନକାରୀଙ୍କ ଚାକିରି ଅନୁମୋଦନ ଆବେଦନ ଖାରଜ କରିଥିଲେ। ଶିକ୍ଷା ଟ୍ରିବୁନାଲଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ୧୯୭୭ର ବିଜ୍ଞପ୍ତି ଆଧାରରେ ୧୯୯୩ରେ ନିଯୁକ୍ତି ପାଇଥିବା ଆବେଦନକାରୀଙ୍କ କ୍ଷେତ୍ରରେ ୧୯୯୯ର ମାନଦଣ୍ଡ ଲାଗୁ ହେବ ନାହିଁ। ଏଭଳି ସ୍ଥିତିରେ ଶିକ୍ଷା ଟ୍ରିବୁନାଲଙ୍କ ନିର୍ଦ୍ଦେଶ ରଦ୍ଦ କରି ଚାକିରି ଅନୁମୋଦନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଗୋପୀନାଥ ସେଠୀ ମାମଲା ପରିଚାଳନା କରୁଥିବା ବେଳେ ଚନ୍ଦ୍ରକାନ୍ତ ପ୍ରଧାନ ସହାୟତା କରୁଥିଲେ।