ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ୧୩ ବର୍ଷ ଧରି ଗଛମୂଳେ ପାଠପଢ଼ା

ଚଣ୍ଡିଖୋଲ : ୧୩ ବର୍ଷ ହେଲା ଏକ ସରକାରୀ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ତେନ୍ତୁଳି ଗଛମୂଳରେ ବସି ପାଠ ପଢୁଛନ୍ତି। ଖରା, ବର୍ଷା, ଶୀତ, କାକରରେ ବି  ପାଠ ପଢ଼ୁଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅଧୀନ ଛତିଆ ପଞ୍ଚାୟତ ତଥା ଛତିଆ ଦଳେଇ ସାହିରେ ଶିକ୍ଷା ବ୍ୟବସ୍ଥାର ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଏହି ସାହିର କୁନିକୁନି ପିଲାମାନେ ପୂର୍ବରୁ ଜାତୀୟ ରାଜପଥ ଦେଇ କିଛିଦୂରରେ ଥିବା ଅନ୍ୟ ଏକ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଥିଲେ। ଏଥିରେ ବହୁ ସମସ୍ୟା ସୃଷ୍ଟି ହେବାରୁ ଲୋକମାନେ ନିଜ ସାହିରେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ। ତଦନୁଯାୟୀ ଗତ ୨୦୦୯ ମସିହାରେ ଛତିଆ ଦଳେଇସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ବିଦ୍ୟାଳୟ ପାଇଁ  ସେତେବେଳେ ବଡ଼ଚଣାର ପୂର୍ବତନ ବିଧାୟକ ସ୍ୱର୍ଗତ ଜଗନ୍ନାଥ ଦାସ ଏକ ଡିସିମିଲ ଓ ସ୍ଥାନୀୟ ପାଇକରାପୁର ଗ୍ରାମର ସେକ୍‌ ସୁଦାତ ମଧ୍ୟ ୪ ଡିସିମିଲ ଜମି ଯୋଗାଇ ଦେଇଥିଲେ। ହେଲେ, ଏହି ବିଦ୍ୟାଳୟ ପାଇଁ ଏଯାଏ ଘର ଖଣ୍ଡେ ନିର୍ମାଣ ହୋଇ ପାରିନାହିଁ। ରାଜନୈତିକ ଇଚ୍ଛାଶକ୍ତି ଅଭାବ ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତାକୁ ଅଭିଭାବକମାନେ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ, ୨୦୧୭ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଦଳେଇ ସାହି ତଥା ଏହି ୱାର୍ଡ ବାସିନ୍ଦା ଭାଗ୍ୟଧର ମଲ୍ଲିକ ବଡ଼ଚଣା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥିଲେ। ବିଦ୍ୟାଳୟ ଘର ସମସ୍ୟାର ସମାଧାନ ହୋଇଯିବ ବୋଲି ସାହି ବାସିନ୍ଦା ଆଶା କରିଥିଲେ। ମାତ୍ର,   ୫ ବର୍ଷ ମଧ୍ୟରେ ତାହା ମଧ୍ୟ ସମ୍ଭବପର ହୋଇନାହିଁ। ସ୍ଥାନୀୟ ଲୋକଙ୍କ ଆଶା କେବଳ ଆଶାରେ ହିଁ ରହିଯାଇଛି।

ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ୨୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଦୁଇଜଣ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ନିଯୁକ୍ତି ପାଇଛନ୍ତି। ମାତ୍ର, ଛାତ୍ରଛାତ୍ରୀଙ୍କ ପାଇଁ ଘର ଖଣ୍ଡେ ନିର୍ମାଣ ନହେବା ଶିକ୍ଷାବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଦେଇଛି। ଅଭିଭାବକଙ୍କ କହିବା କଥା ବର୍ଷାସମୟରେ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହେଉଛି। ଏପରିକି, ପାଠପଢ଼ା ଭଳି ଗଛମୂଳେ ମଧ୍ୟାହ୍ନଭୋଜନ ରୋଷେଇ କରାଯାଉଛି। କୋଟିକୋଟି ଟଙ୍କା ବ୍ୟୟରେ ସରକାର ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ କରୁଛନ୍ତି। ମାତ୍ର, ଗୋଟିଏ ବିଦ୍ୟାଳୟର ଘରଖଣ୍ଡେ ନିର୍ମାଣ ନହୋଇପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଭାବକମାନେ କହିଛନ୍ତି। ତେବେ, ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏନେଇ ପଦକ୍ଷେପ ନିଆଯିବ ବୋଲି ବ୍ଲକ୍‌ ଶିକ୍ଷାଧିକାରୀ ହରିହର ଦଳେଇ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର