ନିଶ୍ଚିନ୍ତକୋଇଲି: ରାଜ୍ୟରେ ବିଗତ ସରକାର ଅମଳରେ ଶିକ୍ଷାକ୍ଷେତ୍ରରେ ଯେତିକି ଉନ୍ନତି ହେବା କଥା ତାହା ହୋଇପାରି ନାହିଁ। ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ଗୋଟିଏ/ଦୁଇଟି ସ୍କୁଲକୁ ମଡେଲ୍ ସ୍କୁଲ୍ କରାଯାଇ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ। ଯାହାଫଳରେ ବେସରକାରୀ ସ୍କୁଲ୍ ପିଲାମାନେ ସରକାରୀ ସ୍କୁଲ୍କୁ ପୁନଶ୍ଚ ଫେରିଆସିବେ। କେନ୍ଦ୍ର ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ଶିକ୍ଷାର ବିକାଶ ପାଇଁ ବହୁବିଧ ପଦକ୍ଷେପ ନିଆଯିବ ବୋଲି ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ
ଆଗାମୀ ଦିନରେ ବିଦ୍ୟାଳୟକୁ ଜ୍ଞାନର ପ୍ରୟୋଗଶାଳା କରାଯିବ: ଧର୍ମେନ୍ଦ୍ର
ମୁଖ୍ୟମନ୍ତ୍ରୀ କହିଲେ, ମାହାଙ୍ଗା ଅଞ୍ଚଳରେ ବହୁତ ଅଳିଆ ରହିଛି। ଯେଉଁମାନେ ମାହାଙ୍ଗା ଅଞ୍ଚଳରେ ପୂର୍ବରୁ ନେତୃତ୍ବ ନେଇଥିଲେ ସେମାନେ ଅଳିଆ ଛାଡ଼ି ଦେଇଛନ୍ତି। କେବଳ ମାହାଙ୍ଗା ନୁହେଁ ସାରା ରାଜ୍ୟରେ ଏଭଳି ଅଳିଆ ଜମି ରହିଛି। ଆମ ସରକାର ଖୁବ୍ଶୀଘ୍ର ଏହାକୁ ସଫା କରିବ। ସ୍କୁଲ୍ରେ ଶିକ୍ଷକ ଅଭାବ ସହିତ ଭିତ୍ତିଭୂମି ଦୁର୍ବଳ ରହିଛି। ସ୍କୁଲ୍ର ବିକାଶ ନିମନ୍ତେ ଚଳିତ ବର୍ଷ ବଜେଟ୍ରେ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ମାହାଙ୍ଗା ସାହିତ୍ୟ ସଂସ୍କୃତିର ଏକ ପ୍ରମୁଖ ଅଞ୍ଚଳ। ଏହି ମାଟିରେ ମଧୁସୂଦନ ଦାସ, ଗଣକବି ବୈଷ୍ଣବ ପାଣି, ସୁଭଦ୍ରା ମହତାବ, କର୍ମବୀର ଗୌରୀଶଙ୍କରଙ୍କ ଭଳି ବହୁ ପୂଣ୍ୟାତ୍ମା ଜନ୍ମଗ୍ରହଣ କରିଛନ୍ତି। ବିଗତ ସରକାର ସମୟରେ ଶିକ୍ଷା କ୍ଷେତ୍ରକୁ ଯେତିକି ଧ୍ୟାନ ଦେବା କଥା ତାହା ହୋଇ ନଥିବାରୁ ବର୍ତ୍ତମାନ ରାଜ୍ୟରେ ଉଚ୍ଚକୋଟିର ଛାତ୍ରଛାତ୍ରୀ ବାହାରିପାରୁ ନାହାନ୍ତି। ଆଗାମୀ ଦିନରେ ଏହି ଅଞ୍ଚଳକୁ ଉଚ୍ଚଶିକ୍ଷା ଓ ଗଣ ଶିକ୍ଷାମନ୍ତ୍ରୀଙ୍କୁ ଆଣି ଗୋଟିଏ ବିଦ୍ୟାଳୟକୁ ଜ୍ଞାନର ପ୍ରୟୋଗଶାଳା କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟବକ୍ତା କଟକ ସାଂସଦ ଭର୍ତ୍ତୃହରି ମହତାବ ସ୍କୁଲ୍ ଇତିହାସ ସମ୍ପର୍କରେ ସୂଚନା ଦେବା ସହ ଅଞ୍ଚଳର ଜଳସେଚନ ଓ ଜଳ ନିଷ୍କାସନ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହ, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, ସୋରଡ଼ା ବିଧାୟକ ନୀଳମଣି ବିଶୋଇ, ଖଣ୍ତପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ ଏହି ଉତ୍ସବରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ସଭାପତିତ୍ବ କରିଥିଲେ। ହୀରକ ଜୟନ୍ତୀ କମିଟି ପକ୍ଷରୁ ପୁରାତନ ଛାତ୍ର ଦେବେନ୍ଦ୍ର କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ମଲିକ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/gjgjgjgj-4.jpg)