ଭୁବନେଶ୍ବର(ହିତେଶ ନାୟକ): ବିଶ୍ବବିଦ୍ୟାଳୟ ହେଉ କି ମହାବିଦ୍ୟାଳୟ କି ସ୍କୁଲ। ଦିନକୁ ଦିନ ଶିକ୍ଷାନୁଷ୍ଠାନଗୁଡ଼ିକର କ୍ୟାମ୍ପସ ଅପରାଧୀଙ୍କ କବ୍ଜାକୁ ଚାଲିଯିବାକୁ ବସିଲାଣି। ବିଶେଷକରି ଅଧିକାଂଶ ସରକାରୀ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଅସାମାଜିକ ଯୁବକମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେବା ମାତ୍ରେ ଅପରାଧୀ କ୍ୟାମ୍ପସ ମୁହାଁ ହେଉଛନ୍ତି। ସେଠାରେ ଚାଲୁଛି ଓପନ୍ ବାର୍। ଖୋଲାଖୋଲି ମଦ ପିଇବା ସହ ଗଞ୍ଜେଇ ଟାଣୁଛନ୍ତି। ସେମିତି ବ୍ରାଉନ୍ସୁଗାର କାରବାର ବି ହେଉଛି। ନିଶା ଚଢ଼ିବା ପରେ ସ୍ଥିତି ସଙ୍ଗିନ୍ ହୋଇପଡ଼ୁଛି। ନିଶାରେ ମତୁଆଲା ଅପରାଧୀ ଓ ଅସାମାଜିକ ତତ୍ତ୍ବ ହୋ ହଲ୍ଲା କରି ଆତଙ୍କ ରଚୁଛନ୍ତି। ଆବଶ୍ୟକ ହେଉ କି ନ ହେଉ, ନିଶାରେ ବୁଲାଉଛନ୍ତି ମାରଣାସ୍ତ୍ର।
ନଷ୍ଟ ହେଉଛି ଶୈକ୍ଷିକ ବାତାବରଣ
ଦେଖଣାହାରି ସାଜିଛନ୍ତି କର୍ତ୍ତୃପକ୍ଷ ଓ ପୁଲିସ
ଖାଲି ଏତିକି ନୁହେଁ ଛାତ୍ରୀଙ୍କୁ କମେଣ୍ଟ ମାରୁଛନ୍ତି; ଟଣାଓଟରା କରିବାକୁ ବି ପଛାଉ ନାହାଁନ୍ତି। ସେମିତି ପୁର୍ବ ଶତ୍ରୁତାକୁ ନେଇ ସେଠାରେ ଅପରାଧୀକ ବ୍ଲୁ-ପ୍ରିଣ୍ଟ ବି ହେଉଛି। ଛାତ୍ରଙ୍କୁ କ୍ୟାମ୍ପସରୁ ଟାଣି ନେଇ ରାସ୍ତାରେ ପିଟୁଛନ୍ତି। ପ୍ରତିବାଦ କଲେ ସେମାନେ ଅଧିକ ହିଂସ୍ର ହେଉଛନ୍ତି। ଦିନ ଅଧେ ନୁହେଁ ବର୍ଷ ବର୍ଷ ଧରି ଅପରାଧୀ କ୍ୟାମ୍ପସରେ ଏଭଳି ଅତାଙ୍କ ରଚୁଛନ୍ତି। ଏମାନଙ୍କ ଉତ୍ପାତ ସମ୍ପର୍କରେ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଜାଣୁଥିଲେ ବି ଭୟରେ କେହି ପ୍ରତିବାଦ କରୁନାହାନ୍ତି। ଯିଏ ପ୍ରତିବାଦ କରୁଛନ୍ତି, ସେମାନଙ୍କୁ ଏହି ଅସାମାଜିକ ଯୁବକମାନେ ନିଜ ପତିଆରା ଜାହିର ପାଇଁ ମାର୍ପିଟ୍ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ଯେ, କ୍ୟାମ୍ପସରେ ସୁରକ୍ଷା ପାଇଁ ସିକ୍ୟୁରିଟି ଗାର୍ଡ ମୁତୟନ ଠାରୁ ସିସିଟିଭି ଖଞ୍ଜାଯାଇଛି। ଏହା ସତ୍ତ୍ବେ ସେମାନେ କ୍ୟାମ୍ପସରେ ପଶି ପତିଆରା ଜାହିର କରୁଛନ୍ତି। ଏଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିଲେ ବି ନା କର୍ତୃପକ୍ଷ ନା ପୁଲିସ କେହି ମୁହଁ ଖୋଲୁନାହଁନ୍ତି। କାହା ଚାପରେ, କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛନ୍ତି? ପରୋକ୍ଷରେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।
ବାଣୀବିହାରରେ ଛାଇ ଯାଇଛନ୍ତି ନିଶାଡ଼ି
ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଏବେ ନିଶାଡ଼ିକ ଚରାଭୂଇଁ ପାଲଟିଛି। ମୁହଁ ସନ୍ଧ୍ୟାରୁ କ୍ୟାମ୍ପସରେ ଥିବା ତିନୋଟି ପଡ଼ିଆରେ ମାଳମାଳ ନିଶାଡ଼ି ଗୋଷ୍ଠିରକି ଆସଜର ଜମାଉଛନ୍ତି। ନିଶା ଖାଇବାପରେ ସେଠାରେ ମଦ ବୋତଲ ଠାରୁ ଆରମ୍ଭ କରି ପାଣି ପାଉଚ, ବୋତଲ, ବଳକା ଚାଖଣା ଖାଦ୍ୟ ଆଦି ଫୋପଡ଼ି ଚାଲିଯାଉଛନ୍ତି। ଯଦି କେହି କିଛିକହିଲା ତାକୁ ପାଲଟା ଆକ୍ରମଣ କରୁଛନ୍ତି। କିଛିଦିନ ତଳେ ବିଳମ୍ବିତ ରାତିରେ କିଛି ଅଣଛାତ୍ର ମଦ୍ୟପାନ କରି ଉତ୍ପାତ କରିଥିଲେ। ଛାତ୍ରମାନେ ସେଠାରେ ପହଞ୍ଚି ବିରୋଧ କରିବାରୁ ସେମାନେ ମଦ ବୋତଲରେ ଆକ୍ରମଣ କରିଥିଲେ। ଫଳରେ ଛାତ୍ର ଓ ଅଣଛାତ୍ର ମୁହାଁମୁହିଁ ହୋଇଥିଲେ। କେବଳ ଏହି ଗୋଟିଏ ଘଟଣା ନୁହଁ; ଅଧିକାଂଶ ସମୟରେ କ୍ୟାମ୍ପସରେ ଏଭଳି ଅପ୍ରିତୀକର ସ୍ଥିତିର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ।
ମହର୍ଷିରେ ଖଣ୍ଡା, ହକି ଷ୍ଟିକ୍ ବୁଲାଇ ତାଣ୍ଡବ ରଚିଲେ
ପାଖାପାଖି ମାସକ ତଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଯୁବକ ମହର୍ଷି କଲେଜ ସମ୍ମୁଖରେ ଖଟି ଜମାଇ କଲେଜକୁ ଆସୁଥିବା ଛାତ୍ରୀଙ୍କୁ କମେଣ୍ଟ କରିଥିଲେ। ସାମ୍ନାରେ ଯିଏ ଆସିଲେ, ତାଙ୍କୁ ମନଇଚ୍ଛା କହି କମେଣ୍ଟ କଲେ। ଫାଟକ ସମ୍ମୁଖରେ ଘଣ୍ଟାଏ କାଳ ଧରି ସେମାନଙ୍କ ଉତ୍ପାତରେ ଛାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। କିଛି ଛାତ୍ରୀ ମୁହଁ ଖୋଲି ବିରୋଧ କରିବାରୁ ଯୁବକମାନେ ଗାଳିମନ୍ଦ କରିଥିଲେ। ଯାହାକୁ ନେଇ ସ୍ଥିତି ବିଗିଡ଼ିଥିଲା। ଛାତ୍ରୀଙ୍କ ସହପାଠୀ ସେଠାରେ ପହଞ୍ଚି ଯୁବକମାନଙ୍କୁ କାବୁ କରିବା ସହ ଅଧ୍ୟକ୍ଷକଙ୍କ ନିକଟକୁ ନେଇ ଭୁଲ ମଗାଇଥିଲେ। ଏମିତିକି ଅଣ୍ଡରଟେକିଂ ଲେଖାଇ ଛାଡ଼ିଥିଲେ। କିନ୍ତୁ ସ୍ଥିତି ସୁଧୁରିବା ବଦଳରେ ଆହୁରି ବିଗିଡ଼ି ଯାଇଥିଲା। ପରବର୍ତ୍ତୀ ସମୟରେ ସେହି ଅସାମାଜିକ ଗୋଷ୍ଠୀର ଯୁବକମାନେ ହାତରେ ବ୍ୟାଟ୍, ହକିଷ୍ଟିକ୍, ଖଣ୍ଡା ଆଦି ମାରଣାସ୍ତ୍ର ଧରି କଲେଜ୍ କ୍ୟାମ୍ପସରେ ପଶିଥିଲେ। କ୍ୟାମ୍ପସ୍ ଭିତରେ ହୋହଲ୍ଲା କରିବା ସହ ୩ଜଣ ଛାତ୍ରଙ୍କୁ କ୍ୟାମ୍ପସରୁ ନେଇ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟି ରକ୍ତାକ୍ତ କରିଥିଲେ।
ବିଜେବିରେ ମଦ ପାଇଁ ପିଟିଥିଲେ
କିଛି ଅଣଛାତ୍ର ବିଜେବି କଲେଜ କ୍ୟାମ୍ପସରେ ପଶି ଆତଙ୍କ ରଚିଥିଲେ। +୩ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ର ଶାଶ୍ବତ ପଣ୍ଡା କଲେଜରୁ ଫେରୁଥିବା ବେଳେ ଅସାମାଜିକ ଯୁବକମାନେ ତାଙ୍କୁ ଅଚାନକ ଅଟକାଇ ମଦ ପାଇଁ ଟଙ୍କା ମାଗିଥିଲେ। ସେ ଟଙ୍କା ଦେବାକୁ ମନା କରିଦେବାରୁ ଉଭୟ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ସେ ପ୍ରତିବାଦ କରିବାରୁ ପାଖରେ ପଡ଼ିଥିବା ଏକ ଭଙ୍ଗା ବିୟର ବୋତଲ ଆଣି ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ଏହି ଘଟଣାରେ ପୁଲିସ୍ ମାନସ ପ୍ରଧାନ ଓ ପଙ୍କଜ କୁମାର ମହାନ୍ତିକୁ ଗିରଫ କରିଥିଲା।