ସ୍କୁଲରେ ପାଳିତ ହେବ ମାତୃଭାଷା ଦିବସ : ୧୮ ଘଣ୍ଟା ପୂର୍ବରୁ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି

ସ୍କୁଲ କର୍ତୃପକ୍ଷଙ୍କ ନିକଟରେ ଖବର ନାହିଁ, ଛାତ୍ରଛାତ୍ରୀ ଜାଣିନାହାନ୍ତି

ଭୁବନେଶ୍ୱର: ଫେବ୍ରୁଆରି ୨୧ରେ ମାତୃଭାଷା ଦିବସ। ଏହାକୁ ପାଳନ କରିବାକୁ ସବୁସ୍ତରରେ ଚାଲିଛି ପ୍ରସ୍ତୁତି। ସଂସ୍କୃତି ବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ପାଦେ ଆଗେଇଛି। ବିଦ୍ୟାଳୟ ସ୍ତରରେ ଏହି ଦିବସ ପାଳନ କରିବାକୁ ମଙ୍ଗଳବାର ନିର୍ଦେଶ ଦିଆଯାଇଛି। ବିଦ୍ୟାଳୟରେ କିଭଳି କାର୍ଯ୍ୟକ୍ରମ କରାଯିବ? ଛାତ୍ରଛାତ୍ରୀଙ୍କ ସମେତ ଆଉ କେଉଁମାନେ ଏଥିରେ ସାମିଲ ହେବେ ସେନେଇ ବିଜ୍ଞପ୍ତିରେ କୁହାଯାଇଛି। ହେଲେ ଗଣଶିକ୍ଷା ବିଭାଗର ଚିଠିକୁ ନେଇ ବିବାଦ ମୁଣ୍ଡ ଟେକିଛି। ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ସମସ୍ତ ସ୍କୁଲରେ ମାତୃଭାଷା ଦିବସ ପାଳନ କରାଯିବ। ଏଥିରେ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ସ୍କୁଲ ମ୍ୟାନେଜ୍‌ମେଣ୍ଟ କମିଟି (ଏସ୍‌ଏମ୍‌ସି)/ପିଟିଏର ସଦସ୍ୟ, ସ୍ଥାନୀୟ ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କୁ ଏଥିରେ ସାମିଲ କରିବାକୁ କୁହାଯାଇଛି।

ମାତୃଭାଷାର ବ୍ୟବହାର ସମ୍ପର୍କରେ ସମସ୍ତଙ୍କୁ ଆବଗତ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କମ୍ୟୁନିକେସନ ଦକ୍ଷତା ବୃଦ୍ଧି କରିବା ଦିଗରେ ଏହା ସହାୟକ ହେବ। ବିଦ୍ୟାଳୟରେ ମାତୃଭାଷାରେ ରଚନା, ତର୍କ, ସଙ୍ଗୀତ, ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି। କାର୍ଯ୍ୟକ୍ରମ ଲାଗି ଯେଉଁ ବ୍ୟାନର ପ୍ରସ୍ତୁତ ହେବ ତାହାକୁ ଓଡ଼ିଆ ଭାଷାରେ ଲେଖିବାକୁ ବି ନିର୍ଦେଶ ଦିଆଯାଇଛି। ବିଦ୍ୟାଳୟ କର୍ତୃପକ୍ଷ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ହଠାତ୍‌ କିଭଳି ପ୍ରସ୍ତୁତ ହେବେ? ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ବି ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଆଜି ଅପରାହ୍ନରେ ସ୍କୁଲ ଛୁଟି ହେବା ପରେ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ବିଇଓଙ୍କ ନିକଟରେ ପହଞ୍ଚିଥିଲା। ଏହାପରେ ସେମାନେ ସ୍କୁଲ କର୍ତୃପକ୍ଷଙ୍କ ନିକଟକୁ ପଠାଇଥିଲେ। ତେଣୁ ଅଧିକାଂଶ ଛାତ୍ରଛାତ୍ରୀ ଏବିଷୟରେ ଅବଗତ ହୋଇପାରି ନାହାନ୍ତି। ଆସନ୍ତାକାଲି ସେମାନେ କିଭଳି ଭାଗନେବେ ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। କେତେକ ସ୍କୁଲ କର୍ତୃପକ୍ଷ ବି ଏ ସମ୍ପର୍କରେ ଆଦୌ ଜାଣିନାହାନ୍ତି। ଶିକ୍ଷକମାନେ ମଧ୍ୟ ଗଣଶିକ୍ଷା ବିଭାଗର ଏଭଳି ଖାମଖିଆଲି ମନୋଭାବରୁ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର