ଭୁବନେଶ୍ବର: କରୋନାଭାଇରସ୍ ସଂକ୍ରମଣ ମଧ୍ୟରେ ଆଜି ସମଗ୍ର ଦେଶରେ ଅନ୍ଲକ୍-୧ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟି ଦେଇ ଓଡ଼ିଶା ସରକାର ଜୁନ୍ ମାସ ପାଇଁ ନିଜସ୍ବ ମାର୍ଗଦର୍ଶିକା ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜୁନ୍ ମାସ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସଂପ୍ରତି ଯାତ୍ରୀମାନଙ୍କ ଯୋଗୁଁ ରାଜ୍ୟରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏବେ ସୁଦ୍ଧା ରାଜ୍ୟକୁ ଫେରିଲେଣି ୪ ଲକ୍ଷ୨୬, ୫୦୪ ଜଣ ପ୍ରବାସବାସୀ।
ତେଣୁ, କରୋନାଭାଇରସ୍ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ରାଜ୍ୟ ସରକାର କେତେକ ନିୟମ ପ୍ରଣୟନ କରିଛନ୍ତି। ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଜୁଲାଇ ୩୧ ତାରିଖ ଯାଏଁ ରାଜ୍ୟରେ କୌଣସି ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ଖୋଲିବ ନାହିଁ।
Live Press Briefing by Odisha Chief Secretary @SecyChiefhttps://t.co/zF3S3ODV4N
— I & PR Department, Odisha (@IPR_Odisha) June 1, 2020
ସେହିପରି ଜୁନ୍ ୩୦ ଯାଏଁ କୌଣସି ସପିଙ୍ଗ୍ ମଲ୍/କମ୍ପ୍ଲେକ୍ସ୍ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଏଥିସହ ଜୁନ୍ ୩୦ ଯାଏଁ କୌଣସି ସିନେମା ହଲ୍, ଜିମ୍ ଓ ସୁଇମିଙ୍ଗ୍ ପୁଲ୍ ମଧ୍ୟ ଖୋଲି ପାରିବ ନାହିଁ। ହୋଟେଲ୍ ସବୁ ନିଜ ସାମର୍ଥ୍ୟର ୩୦% ନେଇ ଖୋଲି ପାରିବେ। ଗ୍ରାହକମାନେ ରେସ୍ତୋରାଁକୁ ଯାଇ ଭୋଜନ କରି ପାରିବେ ନାହିଁ। କେବଳ ହୋଟେଲ୍ରେ ରହୁଥିବା ଲୋକମାନଙ୍କ ପାଇଁ ରେସ୍ତୋରାଁ ଚାଲିବ।
ରାଜ୍ୟର କୌଣସି ସ୍ଥାନରେ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ କରାଯାଇ ପାରିବ ନାହିଁ। ଭାରତ ସରକାର ରତ୍ରକାଳୀନ କର୍ଫ୍ୟୁ କୋହଳ କରିଥିଲେ ମଧ୍ୟ ଓଡ଼ିଶାରେ ପୂର୍ବବତ୍ ରାତି ୭ ରୁ ସକାଳ ୭ ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଅକାରଣରେ କୌଣସି ଲୋକ ବାହାରେ ବୁଲାବୁଲି ନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
ଜୁନ୍ ୩୦ ଯାଏଁ କୌଣସି ଉପାସନାସ୍ଥଳୀକୁ ଯିବା ପାଇଁ ବ୍ୟକ୍ତିବିଶେଷଙ୍କୁ ଅନୁମତି ଦିଆଯିବ ନାହିଁ। ଏହି ସମୟ ମଧ୍ୟରେ କୌଣସି ଧାର୍ମିକ ସମାରୋହ ମଧ୍ୟ ଆୟୋଜନ କରାଯାଇ ପାରିବ ନାହିଁ। ଏହାଛଡ଼ା ମାସ୍କ ନ ପିନ୍ଧିଲେ, ସାମାଜିକ ଦୂରତ୍ବ ନ ମାନିଲେ ଓ ବାହାରେ ଛେପଖଙ୍କାର ପକାଉଥିବା ଲୋକଙ୍କୁ ଗିରଫ କରାଯାଇ ଜେଲ୍ ଓ ଜରିମାନା କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି।