ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ପରଲୋକ

କଟକ : ଶିକ୍ଷାବିତ୍, ଲେଖକ, ରାଜନେତା, ସଂଗଠକ କୃଷ୍ଣଚନ୍ଦ୍ର ମହାନ୍ତି (୮୧)ଙ୍କର ବାଦାମବାଡ଼ି ପାଲାମଣ୍ଡପ ଶ୍ରୀରାମନଗରସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଶେଷଶଯ୍ୟା ନିକଟରେ ପତ୍ନୀ ବିଶିଷ୍ଟ ଲେଖିକା ଡକ୍ଟର ସୁଲୋଚନା ଦାସ, ପୁ୍ଅ ଆଡଭୋକେଟ୍ ପ୍ରାଜ୍ଞରାଜ ମହାନ୍ତି, ବୋହୂ ଓ ଦୁଇ ନାତୁଣୀ ଉପସ୍ଥିତ ଥିଲେ। ଆଜି ସକାଳେ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ସ୍ବର୍ଗଧାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ପୁଅ ପ୍ରାଜ୍ଞରାଜ ମହାନ୍ତି ମୁଖାଗ୍ନି ଦେଇଥିଲେ।

ତାଙ୍କର ବଡ଼ ପୁଅ ପୁଷ୍ପରାଜ ମହାନ୍ତି, ମଝିଆ ପୁଅ ବୈଜ୍ଞାନିକ ପ୍ରୀତିରାଜ ମହାନ୍ତି, ଝିଅ ପ୍ରଜ୍ଞାପାରମିତା ମହାନ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ ଉଚ୍ଚ ପ୍ରତିଷ୍ଠିତ। ଆଜି ଶେଷକୃତ୍ୟ ସମୟରେ ଚୌଧୁରୀ ପ୍ରଶାନ୍ତ ଦାସ, ଜଗନ୍ନାଥ ଦାସ, ଆଡଭୋକେଟ ଉମାକାନ୍ତ ଦାସ, କୃଷ୍ଣପ୍ରସାଦ ଦାସଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ଉପସ୍ଥିତ ରହି କୋଭିଡ୍ କଟକଣା ମଧ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗନେଇ ସୁଦୁକଣ୍ଠିରେ ଜନ୍ମିତ କୃଷ୍ଣଚନ୍ଦ୍ର ଉଚ୍ଚଶିକ୍ଷା ପରେ କେନ୍ଦ୍ରାପଡା କଲେଜରେ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତି ସମୟରେ ଅଧ୍ୟାପନା ବୃତ୍ତିକୁ ଛାଡି ନାଉଗାଁ ହାଟ ହାଇସ୍କୁଲ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ସ୍କୁଲର ପ୍ରଥମ ଅବୈତନିକ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକଙ୍କ ଆହ୍ବାନରେ ଖବର କାଗଜ ‘କଳିଙ୍ଗ’ର ସଂପାଦନା ମଣ୍ଡଳୀରେ କାର୍ଯ୍ୟ କରିଥିଲେ। ପରେ ମାତୃଭାଷାର ମଧ୍ୟ ସଂପାଦନା ଦାୟିତ୍ବନିର୍ବାହ କରିଥିଲେ। ଜାତୀୟ କଂଗ୍ରେସର ରାଜ୍ୟ ସଂପାଦକ ଭାବେ ସେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ। କଂଗ୍ରେସ (ୟୁ) ପ୍ରାର୍ଥୀ ଭ‌ାବେ ସେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କୃଷ୍ଣଚନ୍ଦ୍ରଙ୍କ ବିୟୋଗରେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଡକ୍ଟର ଇଂଜିନିୟର ପ୍ରଭାକର ସ୍ବାଇଁ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ, ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁ, ନାଟ୍ୟକାର ସଂଜିତ ପଟ୍ଟନାୟକ, ଉତ୍କଳ ସାହିତ୍ୟ କଳାପରିଷଦର କର୍ମକର୍ତ୍ତା ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର