ଶିକ୍ଷାବିତ୍‌ ମହମ୍ମଦ ଫକିରୁଦ୍ଦିନ୍‌ଙ୍କ ପରଲୋକ

ଭୁବନେଶ୍ବର : ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍‌ ମହମ୍ମଦ ଫକିରୁଦ୍ଦିନ୍‌ଙ୍କର ଗତରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ତାଙ୍କୁ ୮୭ବର୍ଷ ହୋଇଥିଲା। କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତରାତିରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଖୋର୍ଧା ଜିଲ୍ଲା ସରଧାପୁର ଗାଁରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଅଛନ୍ତି। ବଡ଼ ପୁଅ ଫୟାଜୁଦ୍ଦିନ ଖୋର୍ଧା ପିଏନ୍ କଲେଜରେ ରିଡର ଅଛନ୍ତି।

୨୫ ଜୁଲାଇ ୧୯୩୪ରେ ପ୍ରଫେସର ଫକିରୁଦ୍ଦିନ ଖୋର୍ଧା ନିକଟ ସରଧାପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। କଟକ ସେମିନାରୀ ସ୍କୁଲରେ ମାଟ୍ରିକ ପାଠପଢ଼ା ପରେ ରେଭନ୍ସୋ କଲେଜରେ ‌‌ସେ ନା‌ମ ଲେଖାଇ ସେଠାରୁ ସ୍ମାତକୋତ୍ତର ପାଠ ଶେଷ କରିଥିଲେ। ‌ରେଭେନ୍ସା କଲେଜରୁ ସେ ତାଙ୍କର ଅଧ୍ୟାପନା ଜୀବନ ଆରମ୍ଭ କରି ବିଜେବି ସମେତ ବହୁ କଲେଜରେ ଅଧ୍ୟାପନା କରିଥିଲେ। ୧୯୯୧ରେ ରାଜ୍ୟ ଷ୍ଟାଫ୍ ସିଲେକ୍ସନ ବୋର୍ଡ ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଥିଲେ।

ପ୍ରଫେସର ଫକିରୁଦ୍ଦିନ୍‌ ରାଜ୍ୟର ପ୍ରମୁଖ କଲେଜରେ ଶିକ୍ଷାଦାନ କରିବା ସହ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ବି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ, ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ମହାବିଦ୍ୟାୟର ଅଧ୍ୟକ୍ଷ, ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ମହାବିଦ୍ୟାଳୟ(ବର୍ତ୍ତମାନର ବିଶ୍ବବିଦ୍ୟାଳୟ)ର ଉପାଧ୍ୟକ୍ଷ, ଖୋର୍ଧାସ୍ଥିତି ପିଏନ୍‌ କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ବହୁବର୍ଷ ଧରି ସେ ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଶିକ୍ଷକ ସଂଘ(ଓଜିସିଟିଏ)ର ସଭାପତି ରହିଥିଲେ। ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଫଳରେ ସରକାରୀ କଲେଜ ଶିକ୍ଷକମାନେ ୟୁଜିସି ବେତନ ପାଇବାର ସକ୍ଷମ ହୋଇଥିଲେ।

କେବଳ ରାଜ୍ୟ ନୁହେଁ, ସର୍ବଭାରତୀୟ ଶିକ୍ଷା ଜଗତରେ ମଧ୍ୟ ସେ ପରିଚିତ ଥିଲେ। ଅଖିଳ ଭାରତୀୟ କଲେଜ ଓ ବିଶ୍ବବିଦ୍ୟାଳୟ ସଂଘର ସଦସ୍ୟ ଥିଲେ। ଇଂରାଜୀରେ ତାଙ୍କର ଦକ୍ଷତା ରହିଥିଲା। ବିଜେବି, ରେଭେନ୍ସା, ଭଦ୍ରକ ଆଦି ମହାବିଦ୍ୟାଳୟରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଶିକ୍ଷାଦାନ କରିଥିଲେ। ଏସ୍‌ଏସ୍‌ବି ଓ ଯୁକ୍ତ୨ ପରିଷଦରେ କାର୍ଯ୍ୟ କରିବା ସମୟରେ ନିଜର ପ୍ରଶାସନିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘର ସଭାପତି ମାନସ ବେହେରା, ସମ୍ପାଦକ ଦେବାଶିଷ ମହାନ୍ତି, ଯୁଗ୍ମ ସମ୍ପାଦକ ବିଶ୍ବଜିତ୍‌ ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ୬୬୨ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ଗୋଲକ ନାୟକଙ୍କ ହୁସେନ୍‌ ରବି ଗାନ୍ଧୀ, ଜନାବ ସୟଦ୍‌ ଇକ୍ରାମ୍‌ ହୁସେନ, ସୟଦ୍‌ ମହମ୍ମଦ ଅବିଦ୍ଦସ୍‌ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଶୋକସଭା ଅନୁଷ୍ଠିତ ହୋଇଛି।

ସମ୍ବନ୍ଧିତ ଖବର