କଟକ: ଧାମରା-ଭଦ୍ରକ ରେଳ ଧାରଣାରୁ ଅଷ୍ଟ୍ରେଲିଆନ୍ କୋଇଲାର ଚୋରା କାରବାର ସମ୍ପର୍କିତ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳ ବିଭାଗ। ଖୋର୍ଧା ଡିଭିଜନ୍ ଆରପିଏଫ୍ କ୍ରାଇମବ୍ରାଞ୍ଚ ଓ କଟକ ଆରପିଏଫ୍ ମିଳିତ ଭାବେ ଜାତୀୟ ରାଜପଥର ନିର୍ଗୁଣ୍ଡିରେ ୨୦ ଟନ୍ ଅଷ୍ଟ୍ରେଲିଆନ୍ କୋଇଲା ବୋଝେଇ ଟ୍ରକ୍ ଜବତ କରିଛି। ଏହି କାରବାରରେ ଜଣେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି। କୋଇଲା କାରବାର ପଛରରେ ଥିବା ଯାଜପୁର ଜିଲ୍ଲା କୋରେଇର କାର୍ପଟଦାର୍ ଘରେ ବି ଚଢ଼ଉ କରାଯାଇଛି।
ଧାମରା-ଭଦ୍ରକ ରେଳ ଜଙ୍କସନରୁ ଅଷ୍ଟ୍ରେଲିଆନ୍ କୋଇଲା ଚୋରି ସମ୍ପର୍କିତ ଏକ ରିପୋର୍ଟ ଜୁଲାଇ ୩୦ ତାରିଖରେ ‘ସମ୍ବାଦ’ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏଭଳି ବଡ଼ ଧରଣର କୋଇଲା ଚୋରିର କଳା କାରନାମା ପଛର ଗ୍ୟାଙ୍ଗ୍ ଠାବ କରିବା ପାଇଁ ରେଳ ବିଭାଗର ଆରପିଏଫ୍ କ୍ରାଇମବ୍ରାଞ୍ଚ ଓ କଟକ ଆରପିଏଫକୁ ନେଇ ଏକ ୧୦ ଜଣିଆ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ଏହି କାରବାର ପଛର ମାଫିଆଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଯୋଜନା ମୁତାବକ ଗଲା ୩୦ ତାରିଖରେ ଧାମରା-ଭଦ୍ରକ ରେଳ ଧାରଣାରୁ କୋଇଲା ଏକ ଟ୍ରକରେ ବୋଝେଇ ହୋଇ କଟକ ଆଡ଼କୁ ଆସୁଥିବା ଖବର ମିଳିଥିଲା। ଏହି ଖବର ଆଧାରରେ ୧୬ ନମ୍ବର ଜାତୀୟ ରାଜପଥର ନିର୍ଗୁଣ୍ଡି ନିକଟରେ ଆରପିଏଫ୍ ପକ୍ଷରୁ ଏହି ଟ୍ରକକୁ ଜବତ କରାଯାଇଥିଲା। ସେଥିରେ ୨୦ ଟନ୍ ଅଷ୍ଟ୍ରେଲିଆନ୍ କୋଇଲା ଥିବା ଜଣାପଡ଼ିଥିଲା। କୋଇଲା ବୋଝେଇ କରି ଆସୁଥିବା ଟ୍ରକ ଡ୍ରାଇଭର୍ ସେକ୍ ଅଲ୍ଲୀ ବାବୁ(୩୦)କୁ ଗିରଫ କରାଯାଇଛି। ସେ ହେଉଛି ଯାଜପୁର ଜିଲ୍ଲା ଯାଜପୁର ଟାଉନ୍ ଅନ୍ତର୍ଗତ ନହରପୁର ଅଞ୍ଚଳର ବାସିନ୍ଦା। ଏହି ଟ୍ରକରେ ୩୦୦ ବସ୍ତା ଅଷ୍ଟ୍ରେଲିଆନ୍ କୋଇଲା ଠାବ କରାଯାଇଥିଲା। ତାକୁ ପଚରାଉଚରା କରିବା ପରେ ସେ ଧାମରାରୁ ମାଲବାହୀ ଟ୍ରେନରେ ଆସୁଥିବା କୋଇଲା ଚୋରି କରିଥିବା ସ୍ବୀକାର କରିଥିଲା। ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଜଣେ କୋଇଲା ମାଫିଆ ଏହି କାରବାରରେ ସମ୍ପୃକ୍ତ ରହିଛି।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମଣିପୁର ଅଞ୍ଚଳରୁ ୩୦ ତାରିଖ ଭୋରୁ କୋଇଲା ବାବୁର ଟ୍ରକରେ ଲୋଡିଂ ହୋଇଥିଲା। ଲୋଡ଼ିଂ ପରେ ଏହି ଟ୍ରକ୍ ଅନୁଗୁଳ ଜିଲ୍ଲାକୁ ମଙ୍ଗୁଳି ଦେଇ ଯିବାକୁ ଯୋଜନା ହୋଇଥିଲା। ଯୋଜନା ମୁତାବକ ୩୦ ତାରିଖ ରାତି ପ୍ରାୟ ୮ଟା ବେଳେ ଏହି ଟ୍ରକ ନିର୍ଗୁଣ୍ଡି ରାସ୍ତାରେ ଅତିକ୍ରମ କଲା ବେଳେ ଆରପିଏଫ୍ କ୍ରାଇମବ୍ରାଞ୍ଚ ଓ କଟକ ଆରପିଏଫ୍ ଟିମ୍ ମିଳିତ ଭାବେ ଏହି ଟ୍ରକକୁ କାବୁ କରିଥିଲେ। ବାବୁ ଟ୍ରକକୁ ଡେଇଁ ଖସିଯାଉଥିବା ବେଳେ ତାକୁ ରାସ୍ତାରେ ଗୋଡ଼ାଇ କାବୁ କରି ନିଆଯାଇଥିଲା। କୋରେଇର କାର୍ପଟଦାର୍ ଘରେ ଗୁରୁବାର ଆରପିଏଫ୍ ଟିମ୍ ଚଢ଼ଉ କରିଥିଲା। କିନ୍ତୁ ସେ ଆଗୁଆ ସୂଚନା ପାଇଯିବାରୁ ଘରୁ ଫେରାର ହୋଇଯାଇଛି। ତେବେ ଏହି କୋଇଲା କାରବାର ପଛରେ ଥିବା ବଡ଼ ଗ୍ୟାଙ୍ଗକୁ ଧରିବାକୁ ଉଭୟ ଆରପିଏଫ୍ କ୍ରାଇମବ୍ରାଞ୍ଚ ଓ କଟକ ଆରପିଏଫ୍ ଯୋଜନା ଚଳାଇଛି। ଅନ୍ୟପଟେ ଆରପିଏଫ୍ ଏ ସଂକ୍ରାନ୍ତରେ ଏକ ମାମଲା(କେସ୍ ନଂ ୧୨) ରେଳବାଇ ସମ୍ପତ୍ତି(ବେଆଇନ ଦଖଲ) ଆଇନ ବଳରେ ରୁଜୁ କରିଛି। ଅଭିଯୁକ୍ତ ବାବୁକୁ ଗୁରୁବାର ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା କଟକ ଆରପିଏଫ୍ ଆଇଆଇସି ଅନିଲ ସିଂହ ସୂଚନା ଦେଇଛନ୍ତି।