ଭଲ କଲେ ବୋଲି ପଦୋନ୍ନତି, ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କ ପଦୋନ୍ନତି

ପଦୋନ୍ନତି କ୍ଷେତ୍ରରେ ରେକର୍ଡ, ୫-ଟିର ପ୍ରଭାବ, ପୂର୍ବରୁ ୫୫ ଜଣଙ୍କୁ ଦଣ୍ଡିତ କରିଥିଲେ ସରକାର

ଭୁବନେଶ୍ବର : ଯେଉଁମାନେ ଉନ୍ନତ ପ୍ରଦର୍ଶନ କରିବେ, ସେମାନଙ୍କୁ ରାଜ୍ୟ ସରକାର ତତ୍କାଳ ପଦୋନ୍ନତି ଦେବେ। ଯେଉଁମାନେ ଭୁଲ ବାଟରେ ଯିବେ, ସେମାନଙ୍କୁ ଦଣ୍ଡ ମିଳିବ। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘୫ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ବେଳେ ଏମିତି ସଙ୍କେତ ଦେଇଥିଲେ। ଏହି ଆଧାରରେ ଗତମାସରେ ୫୫ ଜଣଙ୍କୁ ଚାକିରିରୁ ବିଦା କରାଯାଇଛି। ଏବେ ନୂଆବର୍ଷ ଅବସରରେ ସରକାର ଗୋଟିଏ ସପ୍ତାହରେ ୩୯ଟି ବିଭାଗ ଓ ୩୦ଟି ଜିଲ୍ଲାରେ ଗ୍ରୁପ୍‌-ଏ ଠାରୁ ଆରମ୍ଭ କରି ଗ୍ରୁପ୍-ଡି ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ ଜଣ କର୍ମଚାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଡିସେମ୍ବର ମାସର ଶେଷ ସପ୍ତାହରେ ବିଭିନ୍ନ ବିଭାଗର ଏତେ ସଂଖ୍ୟକ କର୍ମଚାରୀ ପଦୋନ୍ନତି ପାଇବା ଏକ ରେକର୍ଡ ବୋଲି ସରକାରୀସ୍ତରରେ ଦାବି କରାଯାଇଛି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତି କ୍ଷେତ୍ରରେ ହେଉଥିବା ଅହେତୁକ ବିଳମ୍ବ ଓ ଅଯଥା ହଇରାଣ ହରକତ ଘଟଣାରେ ‌କ୍ଷୋଭ ପ୍ରକାଶ କରିଥିଲେ। ଡିସେମ୍ବର ୩୧ ତାରିଖ ସୁଦ୍ଧା ସବୁ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦେବା ପାଇଁ ଡିସେମ୍ବର ୨୧ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହାଦ୍ବାରା କର୍ମଚାରୀଙ୍କ କାର୍ଯ୍ୟ କରିବାର ମନୋବଳ ବଢିବ ବୋଲି ସରକାର ଜଣାଇଥିଲେ। ସେହି ଅନୁଯାୟୀ ବିଭିନ୍ନ ବିଭାଗ ପକ୍ଷରୁ ପ‌ଦୋନ୍ନତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଡିସେମ୍ବର ୨୪ରୁ ୩୧ ତାରିଖ ମଧ୍ୟରେ ଗ୍ରୁପ୍-ଏରେ ୮୫୨ ଜଣଙ୍କୁ ପଦୋନ୍ନତି ଦିଆଯାଇଥିଲା ବେଳେ ଗ୍ରୁପ୍‌-ବିରେ ୫୨୭ ଜଣ, ଗ୍ରୁପ୍-ସିରେ ୧୪୯୬ ଜଣ ଏବଂ ଗ୍ରୁପ୍-ଡିରେ ୨୯୧ ଜଣଙ୍କୁ ପଦୋନ୍ନତି ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଜାନୁଆରିରୁ ନଭେମ୍ବର ମାସ ମଧ୍ୟରେ ବିଭିନ୍ନ ବର୍ଗରେ ୯୭୬୬ ଜଣ ପଦୋନ୍ନତି ପାଇଥିଲେ। ଡିସେମ୍ବର ମାସରେ ପଦୋନ୍ନତି ପାଇଥିବା ୩୧୬୬ ଜଣଙ୍କୁ ମିଶାଇ ୨୦୧୯ରେ ବିଭିନ୍ନ ବର୍ଗର ୧୨,୯୩୨ ଜଣ କର୍ମଚାରୀ ପଦୋନ୍ନତି ପାଇଛନ୍ତି। କେବଳ ଜିଲ୍ଲା ସ୍ତରରେ ଏହି ସମୟ ମଧ୍ୟରେ ୩୧୩୯ ଜଣ ପଦୋନ୍ନତି ପାଇଛନ୍ତି।  ବିଭାଗ ସ୍ତରରେ ଗୃହ ବିଭାଗର ସର୍ବାଧିକ ୨୩୩୦ ଜଣ ପଦୋନ୍ନତି ପାଇଥିବା ବେଳେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ୧୩୦୭ ଜଣ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ୧୨୫୧ ଜଣ ପଦୋନ୍ନତି ପାଇଛନ୍ତି। ସେହିପରି ଜିଲ୍ଲା ସ୍ତ‌ରରେ କଟକ ଜିଲ୍ଲାର ସର୍ବାଧିକ ୭୪୮ ଜଣ କର୍ମଚାରୀ ପଦୋନ୍ନତି ପାଇଥିଲା ବେଳେ ମୟୂରଭଞ୍ଜ ଜିଲ୍ଲାର ୨୧୮ ଓ ଗଞ୍ଜାର ୧୯୪ ଜଣ ପଦୋନ୍ନତି ପାଇଛନ୍ତି।

ରାଜ୍ୟ ସରକାର ନୂଆ ୫-ଟି ନୀତିରେ ସମୟ, ସ୍ବଚ୍ଛତା, ମିଳିତ ଉଦ୍ୟମ, ବୈଷୟିକ କୌଶଳର ପ୍ରୟୋଗ ଜରିଆରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ବ ଦେଉଛନ୍ତି।

ସମ୍ବନ୍ଧିତ ଖବର