ରାଜ୍ୟରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ‘ଭାରତ ବନ୍ଦ’ର ଆଂଶିକ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ରାଜ୍ୟର ଅନେକସ୍ଥାନରେ ଦୋକାନବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ବିଭିନ୍ନ ବସଷ୍ଟାଣ୍ଡରେ ସକାଳୁ ବନ୍ଦ ସମର୍ଥନକାରୀ ପିକେଟିଂ କରିଥିବାରୁ ବସ ଚଳାଚଳ ସ୍ବାଭାବିକ ହୋଇ ନଥିଲା। ତେଣୁ ବସଷ୍ଟାଣ୍ଡଗୁଡ଼ିକରେ ଅନେକ ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯାଇ ନପାରି ବସି ରହିଥିଲେ। ରାଜଧାନୀ ଭୁବନେଶ୍ବର ସମେତ ବହୁ ସ୍ଥାନରେ ବିଭିନନ ସଂଗଠନ ପକ୍ଷରୁ ରେଳରୋକ କରାଯାଇଥିଲା। ଯାହାଫଳରେ ବହୁ ଦୂରଗାମୀ ଟ୍ରେନ୍ ଷ୍ଟେସନଗୁଡ଼ିକରେ ଅଟକି ରହିଥିଲା। ଅଟୋ ଓ ଟ୍ୟାକ୍ସି ଚଳାଚଳ ମଧ୍ୟ ଭାରତ ବନ୍ଦ ଯୋଗୁଁ ବ୍ୟାହତ ହୋଇଥିଲା।  ରାଜ୍ୟର କିଛି ଜିଲ୍ଲାରେ ଭାରତ ବନ୍ଦ ସଫଳ ହୋଇଥିବା ବେଳେ କିଛି କିଛି ଜିଲ୍ଲାରେ ଭ‌ାରତ ବନ୍ଦର କୌଣସି ପ୍ରଭାବ ପଡ଼ି ନଥିବା ଦେଖାଯାଇଥିଲା। ବ୍ରହ୍ମପୁର, ବାଲେଶ୍ବର, ନବରଙ୍ଗପୁରରେ ଭାରତ ବନ୍ଦର କମ ପ୍ରଭାବ ରହିଥିବା ବେଳେ କଟକ ଏବଂ ଭୁବନେଶ୍ବରରେ କିଛି ସମୟ ପାଇଁ ରେଳରୋକ କରାଯାଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବସ ସେବା ଯୋଗାଉଥିବା ଭୁବନେଶ୍ବର ବରମୁଣ୍ଡା ଓ କଟକ ବାଦାମବାଡ଼ି ବସଷ୍ଟାଣ୍ଡରୁ ବସ ଗଡ଼ି ନଥିଲା।

ଭୁବନେଶ୍ୱର ରେଳ ଷ୍ଟେସନରେ ବାମଦଳଗୁଡ଼ିକ ପକ୍ଷରୁ ରେଳରୋକ କରାଯାଇଥିଲା। ଫଳରେ ଷ୍ଟେସନରେ ବହୁ ଦୂରଗାମୀ ଟ୍ରେନ୍ ଅଟକି ରହିଥିଲା। ଏଥିସହ ରାଜଧାନୀର ପଳାଶୁଣି ଓ ଜୟଦେବ ବିହାରଠାରେ ବିକ୍ଷୋଭକାରୀମାନେ ରାସ୍ତାରୋକ କରିଥିଲେ। କଂଗ୍ରେସ ପକ୍ଷରୁ ଭୁବନେଶ୍ବରରେ ଏକ ବାଇକ ରାଲି କରାଯାଇଥିଲା। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭାରତ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ମତ ଦେଇଥିଲେ।  ଭୁବନେଶ୍ବର ଭଳି ବାଲେଶ୍ବରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ବାମଦଳଗୁଡ଼ିକ ବିକ୍ଷୋଭ କରିବା ସହ ରାସ୍ତାଘାଟ ଶୂନଶାନ୍ ଥିବା ଦେଖିବାକୁ ମିଳିଥିଲା। ସେହିଭଳି ଭଦ୍ରକ, ଦେବଗଡ଼, କନ୍ଧମାଳ, ନୂଆପଡ଼ା, ମୟୂରଭଞ୍ଜ, କୋରାପୁଟ, ଯାଜପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ବିଭିନ୍ନ କୃଷକ ସଂଘ ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ କରି ରାସ୍ତାରୋକ କରାଯାଇଥିଲା।

ଢ଼େଙ୍କାନାଳରେ ଭୂବନ କୃଷକ ବିକାଶ ତରଫରୁ ସ୍ଥାନୀୟ କାଳି ବଜାରଠାରେ ପ୍ରତିବାଦ କରାଯାଇଥିଲା। କର୍ମୀମାନେ ଏକାଠି କୃଷି ଆଇନକୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର କରିବା ପାଇିଁ ଦାବି କରିଥିଲେ। ଗାଡି,ମଟର ଚଳାଚଳ ବନ୍ଦ ରହିଥିବା ବେଳେ ସଂଗଠନର ସଦସ୍ୟମାନେ ବଜାର ସାରା ପିକେଟିଂ କରିବା ସହ ଦୋକାନ ଓ ବ୍ୟାଙ୍କଗୁଡିକୁ ବନ୍ଦ କରିଥିଲେ।ଏଥିସହିତ ରାୟଗଡ଼ା ଜିଲ୍ଲାର ଗୁଣପୁର ଓଭର ବ୍ରିଜରେ ସିପିଆଇ(ଏମ୍‌) ପକ୍ଷରୁ ବନ୍ଦ ପାଳନ କରାଯାଇ ରାସ୍ତାରୋକ କରାଯାଇଥିଲା।  ରାଜପଥରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା।

ଗଜପତି ଜିଲ୍ଲାରେ ପାରଳାଖେମୁଣ୍ଡିରେ କଂଗ୍ରେସ, ବାମଦଳ ଏବଂ ଆମ ଆଦମୀ ପାର୍ଟି ବନ୍ଦ ଡାକରା ସଫଳ କରିବାକୁ ରାସ୍ତାକୁ ଓହ୍ଲାଇ ଥିଲେ । ଏହା ସହ କେନ୍ଦ୍ର ସରକାରଙ୍କ କୃଷକ ଆଇନ୍ ପ୍ରତ୍ୟାହାର ଦାବି ନେଇ ଆଜି କେନ୍ଦୁଝର ଜିଲ୍ଲାର ତେଲକୋଇରେ ମଧ୍ୟ ଭାରତ ବନ୍ଦ ସଫଳ ହୋଇଥିଲା। ନବ ନିର୍ମାଣ କୃଷକ ସଂଗଠନ ଓ କଂଗ୍ରେସ ସମର୍ଥକମାନେ ରାସ୍ତା ଅବରୋଧ କରିବା ସହ ଦୋକାନ ଵଜାର ବନ୍ଦ ରହିଥିଲା।

ତେବେ କିଛି ସ୍ଥାନରେ ବନ୍ଦର ସେତେଟା ପ୍ରଭାବ ଦେଖିବାକୁ ମିଳି ନଥିଲା। ସମ୍ବଲପୁରର ରେଢ଼ାଖୋଲରେ ଦୋକାନ ଖୋଲିଥିବା ବେଳେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ସେହିଭଳି ହୀରାକୁଦରେ ସମସ୍ତ ଦୋକାନ ବଜାର ଖୋଲାଥିବା ଥିବା ବେଳେ ବନ୍ଦର ପ୍ରଭାବ ଦେଖିବାକୁ ମିଳି ନ ଥିଲା।

ଆଜିର ଭାରତ ବନ୍ଦକୁ  ଦେଶର  ୧୮ଟି ରାଜନୈତିକ ଦଳ ସମର୍ଥନ କରୁଥିବାରୁ ଏହାର ନେତା ଓ କର୍ମୀ  ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଳେ। ବନ୍ଦ ସଫଳ କରିବା ଲାଗି କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ଓ ଶିବାନନ୍ଦ ରାୟ, ସିପିଆଇ(ଏମ୍‌)ର ଅଳି କିଶୋର ପଟ୍ଟନାୟକ ଓ ସୁରେଶ ପାଣିଗ୍ରାହୀ, ସିପିଆଇର ଆଶିଷ କାନୁନ୍‌ଗୋ, ସିପିଆଇ(ଏମ୍‌ଏଲ୍‌)ର ମହେନ୍ଦ୍ର ପରିଡ଼ା, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ଫର୍‌ୱାର୍ଡ ବ୍ଲକ୍‌ର ଜ୍ୟୋତିପ୍ରକାଶ ମହାପାତ୍ର ଓ ଏନ୍‌ସିପିର ବିକ୍ରମ ସ୍ବାଇଁ ପ୍ରମୁଖ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିଥିଲେ।

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦକୁ ସବୁ ବର୍ଗର ଲୋକ ସମର୍ଥନ ଦେବା ପାଇଁ ନିବେଦନ କରାଯାଇଥିଲା। ସିପିଆଇ, ଅଖିଳ ଭାରତ କୃଷକ ସଭା, ଏଆଇଟିୟୁସି ଓ ବିଜେଏମ୍‌ୟୁ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ ହୋଇଥିଲା । ଅଲ୍‌ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକ୍‌ ଓ ଏହାର ଗଣସଂଗଠନଗୁଡ଼ିକ ମଧ୍ୟ ବନ୍ଦକୁ ସମର୍ଥନରେ ରାସ୍ତାକୁ ଓହ୍ଲାଇ ଥିଲେ। ରାଷ୍ଟ୍ରୀୟ ମଜଦୁର୍‌ କଂଗ୍ରେସ ଓ ଓଡ଼ିଶା ନିର୍ମାଣ ଶ୍ରମିକ ଫେଡେରେସନ୍‌ ବନ୍ଦକୁ ସମର୍ଥନ ଜଣାଇ ଏଥିରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର