ବରଗଡ଼: ବରଗଡ଼ ଜିଲ୍ଲାରେ ଶ୍ରୀଲଙ୍କା ଭଳି କିଡ୍ନି ରୋଗ ସମସ୍ୟା ଦେଖିବାକୁ ମିଳିଛି। ଗାଁ ଗାଁରେ କିଡ୍ନି ରୋଗୀ ଚିହ୍ନଟ ହେଉଛନ୍ତି। ସାର ଓ କୀଟନାଶକ ପ୍ରଭାବରେ ଏଭଳି ରୋଗୀଙ୍କ ସଂଖ୍ୟା ବଢୁଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ଦ୍ୱାରା ହୋଇଥିବା ଏକ ଗବେଷଣାପତ୍ର ‘ଇଣ୍ଡିଆନ୍ ଜର୍ଣ୍ଣାଲ ଅଫ୍ ନେଫ୍ରୋଲୋଜି ଓ ଜର୍ଣ୍ଣାଲ ଅଫ୍ ନେଫ୍ରୋଲୋଜି’ରେ ଏଭଳି ଉଲ୍ଲେଖ ରହିଛି। ଏପରିକି ନିକଟରେ ଶ୍ରୀଲଙ୍କାରୁ ଆସିଥିବା ସେଠାକାର ସାଂସଦ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫେସର ଚାନ୍ନା ଜୟସୁମନ୍ନା ମଧ୍ୟ ବରଗଡ଼ ଗସ୍ତ କରି ଜିଲ୍ଲା ପ୍ରଶାସନ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି। ଶ୍ରୀଲଙ୍କାରେ କିଭଳି କିଡ୍ନି ରୋଗୀଙ୍କ ସଂଖ୍ୟା କମ୍ କରିବାକୁ ଉଦ୍ୟମ କରାଯାଇଛି ସେ ନେଇ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। କିଛି ଦିନ ତଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଈଶ୍ୱର ବୈଠାରୁ, ପ୍ରଫେସର ପ୍ରଦୀପ ନାୟକ, ଲ୍ୟାବ୍ ଗବେଷକ ପ୍ରଳୟ ବିଶ୍ୱାସ, ଆଶିଷ ସାହୁ, ଭିମସାରର ନେଫ୍ରୋଲୋଜି ବିଭାଗର ଡା. ସୌରଭ ସୃଷ୍ଟିଙ୍କ ସହ ଅନ୍ୟ କେତେଜଣ କିଡ୍ନି ରୋଗୀଙ୍କ ଉପରେ ଗବେଷଣା କରିଥିଲେ। ବରଗଡ଼ରେ ବିଗତ ୫ ବର୍ଷ ମଧ୍ୟରେ କିଡ୍ନି ରୋଗୀଙ୍କ ସଂଖ୍ୟା ଜାତୀୟ ହାରଠାରୁ ଦୁଇ ପ୍ରତିଶତ ଅଧିକ ଥିବା ଗବେଷଣାପତ୍ରରେ ଉଲ୍ଲେଖ କରାଯାଇଛି।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡ଼ିଲା
ଜାତୀୟ ହାରଠୁ ୨ ପ୍ରତିଶତ ରୋଗ ବଢ଼ିଛି
୧୭ଟି ହଟ୍ସ୍ପଟ୍ ଗାଁ ଚିହ୍ନଟ
ଆର୍ଓ ସିଷ୍ଟମ୍ରେ ପାଣି ଯୋଗାଣ କରିବାକୁ ପରାମର୍ଶ ଦେଲେ ଶ୍ରୀଲଙ୍କାର ସାଂସଦ
ଏହାସହ ୧୭ଟି ହଟ୍ସ୍ପଟ୍ ଗ୍ରାମ ଚିହ୍ନଟ କରାଯାଇଛି। ଅତାବିରା, ବିଜେପୁର, ଗାଈସିଲାଟ, ଭେଡ଼େନ, ଭଟଲି ବ୍ଲକ ଅଧୀନରେ ଥିବା ଅର୍ଡ଼ା, ମନୋହରପାଲି, ସେମେଲଗୁଡ଼ିଆ, ମହୁଲପାଲି, ଚାରପାଲି, ସାଲପାଲି, ଏମ୍.ଶ୍ରୀଗିଡ଼ା, ଜାମୁଟବାହାଲ, ଖଇରାପାଲି, ବାଦିପାଲି, ଲଚିଦା, ଲସତଲା, ବୁଡ଼ାପାଲି, ତଲା, କୁଶନପୁରୀ, ତାଲପଦର ଇତ୍ୟାଦି ଗାଁରେ ଜାତୀୟ ହାରରୁ ଦୁଇ ପ୍ରତିଶତ ଅଧିକ କିଡ୍ନି ରୋଗୀ ଥିବା ଦର୍ଶାଯାଇଛି। ମାଟି, ପିଇବା ପାଣି, ଧାନ, ରୋଗୀମାନଙ୍କ ରକ୍ତ ଓ ମୂତ୍ରରେ କୀଟନାଶକ, ଭାରୀଧାତୁ ଦେଖାଦେଉଥିବା ଉକ୍ତ ରିପୋର୍ଟରେ କହାଯାଇଛି। ଗତ ୨୯ ଜାନୁଆରିରେ ଶ୍ରୀଲଙ୍କାରୁ ଆସିଥିବା ସାଂସଦ ପ୍ରଫେସର ଜୟସୁମନ୍ନା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ସମ୍ମିଳନୀରେ ଯୋଗଦେବା ସହ ଗବେଷଣା କରୁଥିବା ଟିମ୍ ସହିତ କ୍ଷେତ୍ର ପରିଦର୍ଶନ କରିଥିଲେ।
ନିଜେ ନେଫ୍ରୋଲୋଜି ବିଭାଗ ଡାକ୍ତର ମଧ୍ୟ ହୋଇଥିବାରୁ ଏହା ସମୀକ୍ଷା କରିଥିଲେ। ସେ କହିଛନ୍ତି, ଶ୍ରୀଲଙ୍କାରେ ମଧ୍ୟ ବରଗଡ଼ ପରି ସମାନ ‘ଟକ୍ସିସ ନେଫ୍ରୋପାଥି’ ବହୁଳ ଭାବରେ ପୁରୁଷ ଚାଷୀଙ୍କ ମଧ୍ୟରେ ଦେଖାଦେଇଛି। ଏଥିପାଇଁ ଶ୍ରୀଲଙ୍କାରେ ଗାଁଗୁଡ଼ିକରେ ଆର୍ଓ ସିଷ୍ଟମ୍ ଦ୍ୱାରା ପିଇବା ପାଣି ଯୋଗାଣ ବ୍ୟବସ୍ଥା ପରେ ଆଉ ନୂତନ କିଡ୍ନି ରୋଗୀ ଚିହ୍ନଟ ହେଉନାହାନ୍ତି। ଏଣୁ ବରଗଡ଼ରେ ଚିହ୍ନଟ ଗାଁଗୁଡ଼ିକରେ ଆର୍ଓ ସିଷ୍ଟମ୍ ଦ୍ୱାରା ପିଇବା ପାଣି ଯୋଗାଣ ବ୍ୟବସ୍ଥା କରାଗଲେ ଏହାକୁ ରୋକାଯାଇପାରିବ ବୋଲି ପରାମର୍ଶ ଦେଇଛନ୍ତି। ବରଗଡ଼ ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଡିପିଏଚ୍ଓଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ। ତେବେ ଅଧିକ ଧାନ ଉତ୍ପାଦନ ପାଇଁ ବରଗଡ଼ର ଚାଷୀ ବହୁଳ ମାତ୍ରାରେ ସାର ଓ କୀଟନାଶକ ବ୍ୟବହାର କରୁଥିବାରୁ ଏବେ ଭାତହାଣ୍ଡି ଧୀରେ ଧୀରେ ବିଷହାଣ୍ଡିରେ ପରିବର୍ତ୍ତନ ହେବାରେ ଲାଗିଛି ବୋଲି ଗବେଷକମାନେ ଚିନ୍ତାପ୍ରକଟ କରିଛନ୍ତି।