ପୁରୀ: କିଛି ଦିନ ହେବ ପୁରୀ ବେଳାଭୂମିରେ ଲକ୍ଷାଧିକ ସଂଖ୍ୟାରେ ବିରଳ ବ୍ଲୁ-ବଟନ୍ ଜେଲିଫିସ୍ ମରି ପଡ଼ିଥିବା ଦେଖିବାକୁ ମିଳିଛି। ସର୍ବାଧିକ ସଂଖ୍ୟା ଛୁଇଁଛି ଆଜିର ସ୍ଥିତି। କେବଳ ପୁରୀ ବେଳାଭୂମି ନୁହେଁ, କୋଣାର୍କର ଚନ୍ଦ୍ରଭାଗା, ଅସ୍ତରଙ୍ଗର ତଣ୍ଡାହାର ସହ ଅନ୍ୟାନ୍ୟ ବେଳାଭୂମିରେ ବି ଏଭଳି ଉଦ୍ବେଗଜନକ ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତଃ ଏହି ବିରଳ ସାମୁଦ୍ରିକ ଜୀବ ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳରେ ଦେଖାଯାଉନଥିବା ବେଳେ ପୁରୀ ବେଳାଭୂମିରେ ଏତେ ସଂଖ୍ୟାରେ ବ୍ଲୁ-ବଟନ୍ ଜେଲିଫିସ୍ ମରି ପଡ଼ିବା ପରିବେଶବିତ୍ ଓ ବିଶେଷଜ୍ଞଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
ଅନ୍ୟପକ୍ଷରେ, ପୁରୀ ବେଳାଭୂମିରେ ଶତାଧିକ ସଂଖ୍ୟାରେ ଏଭଳି ଜେଲିଫିସ୍ ମରିପଡ଼ିବା ଓ କୂଳରେ ଭାସିବା ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ପର୍ଯ୍ୟଟକଙ୍କ ଦେହ କୁଣ୍ଡାଇ ହୋଇ ଫଳି ଯାଉଥିବା ଅଭିଯୋଗ ହୋଇଛି। ଦେଶବିଦେଶରୁ ଦୈନିକ ପୁରୀ ବେଳାଭୂମିକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଏଠାରେ ଗାଧୋଇବାର ମଜା ନେଉଛନ୍ତି। ଏଭଳି ପରିସ୍ଥିତିରେ ବ୍ଲୁ ବଟନ୍ ଭଳି ଜେଲିଫିସ୍ ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଆଗକୁ ଏହି ବିପଦ ଭୟଙ୍କର ରୂପ ନେବା ଆଶଙ୍କା ଦେଖାଦେଇଛି।
ଗୋଲେଇ ଆକାରର ଏହି ସାମୁଦ୍ରିକ ଜୀବର ଲମ୍ୱ ଟଙ୍କିକିଆ କଏନ୍ ଭଳି। ୩ରୁ ୪ ବର୍ଷ ହେବ ବଙ୍ଗୋପସାଗରର ପୁରୀ ସମୁଦ୍ର କୂଳ ଅଞ୍ଚଳରେ ଏମାନେ ଦେଖାଦେଲେଣି। କିନ୍ତୁ କ୍ରମାଗତ ଏମାନଙ୍କ ସଂଖ୍ୟା ବଢ଼ିଚାଲିବା, ଏବେ ଲକ୍ଷାଧିକ ସଂଖ୍ୟାରେ ମରିପଡ଼ିବା ଚିନ୍ତାର କାରଣ ପାଲଟିଛି। ଏହା ସାମୁଦ୍ରିକ ପରିବେଶ ଅସନ୍ତୁଳନର ପରିଣାମ ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି। କେନ୍ଦ୍ର ସାମୁଦ୍ରିକ ମତ୍ସ୍ୟ ଗବେଷଣା ଅନୁଷ୍ଠାନର ବୈଜ୍ଞାନିକ ରାଜେଶ କୁମାର ପ୍ରଧାନ କହିଛନ୍ତି, ଏ ସଂପର୍କରେ ଆମ ପାଖରେ ଖବର ନାହିଁ। କେଉଁ କାରଣରୁ ଏମାନେ ପୁରୀ ବେଳାଭୂମିରେ ଲାଗିଛନ୍ତି ଜଣାନାହିଁ। ଏହାର ସ୍ଥିତି ଅନୁଧ୍ୟାନ କରିବୁ ବୋଲି ସେ କହିଛନ୍ତି। ପ୍ରକୃତିବନ୍ଧୁ ଶ୍ରୀ ଜେନା କହିଛନ୍ତି, ସାମୁଦ୍ରିକ ଜୀବଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁ ହେଲେ, ତୁରନ୍ତ ଲାବୋରାଟୋରିରେ ପରୀକ୍ଷା କରିବା ପାଇଁ କେନ୍ଦ୍ର ସାମୁଦ୍ରିକ ମତ୍ସ୍ୟ ଗବେଷଣା ଅନୁଷ୍ଠାନ ରହିଛି। ଏଠାରେ ସ୍ବତନ୍ତ୍ର ବୈଜ୍ଞାନିକ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏମାନେ ଠିକ୍ ଭାବେ କାମ କରୁନାହାନ୍ତି। ଫଳରେ ଜଳଜୀବଙ୍କ ପ୍ରତି ବିପଦ ବଢ଼ିଚାଲିଛି।