ରାଉରକେଲା: ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରି ରାଜ୍ୟସଭାକୁ ପଠାଇବା ପ୍ରତିବାଦର ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ବରେ ଶତାଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ। ଉଭୟ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ସଭାପତି ଶ୍ରୀ ରାୟ କହିଛନ୍ତି, ଅଶ୍ବିନୀ ବୈଷ୍ଣବଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇବାକୁ ବିଜେଡ଼ି ଦେଇଥିବା ସମର୍ଥନ ଅତ୍ୟନ୍ତ ନିନ୍ଦନୀୟ। ଏହା ପୂର୍ବରୁ ଶ୍ରୀ ବୈଷ୍ଣବ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ଥିଲେ। ଉଭୟ ସରକାର ରାଜ୍ୟ ତଥା ଦେଶର ଯୁବ ସମାଜ ମଧ୍ୟରେ ବିଭ୍ରାନ୍ତ ସୃ୍ଷ୍ଟି କରି ସେମାନଙ୍କୁ ବିପଥଗାମୀ କରୁଛନ୍ତି।

Advertisment

ଏହାଦ୍ବାରା ବେକାରୀ, ବେରୋଜଗାରୀ, ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି କହିଥିଲେ। ଉଦିତନଗର ଆମ୍ବେଦକର ଛକରେ ରାଉରକେଲା କଂଗ୍ରେସ ପକ୍ଷରୁ ବିଜେପି -ବିଜେଡିର ପ୍ରତୀକାତ୍ମକ ବିବାହୋତ୍ସବ କରି ବିଜେଡିକୁ ବିରୋଧ କରାଯାଇଥିଲା। ଜିଲ୍ଲା ସଭାପତି ଶ୍ରୀ ରାୟଙ୍କ ନେତୃତ୍ବରେ ଉଭୟ ବିଜେପି ଓ ବିଜେଡିକୁ କଡ଼ା ବିରୋଧ କରାଯାଇଥିଲା। ରାଜ୍ୟବାସୀ ସବୁ ଜାଣିସାରିଲେଣି। ଆସନ୍ତା ସାଧାରଣ ନିର୍ବାଚନରେ ଏହାର ଦୃଢ଼ ଯବାନ ଦେବେ ବୋଲି ନେତାଗଣ କହିଥିଲେ। ଉଭୟ କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ବିରେନ ସେନାପତି, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଜିଲ୍ଲା କଂଗ୍ରେସର ପୂର୍ବତନ ଉପସଭାପତି ସନ୍ତୋଷ ବିଶ୍ବାଳ, ଆରପି ସିଂହ, ଦେବବ୍ରତ ବିହାରୀ, ବାଦଲ ଶ୍ରୀଚନ୍ଦନ, ବରିୟମ ସିଂହ, ଗଣେଶ ପ୍ରଧାନ, ସବୀର ହୁସେନ, କୀର୍ତ୍ତନ ଦାସ, ଜ୍ଞାନେନ୍ଦ୍ର ଦାସ, ପ୍ରଦୀପ ବେହେରା, ନିହାର ଦାସ, କୈଳାସ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ।