ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜଙ୍ଗଲ ଜମି ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଛି। ଶୁକ୍ରବାର ଜିଲ୍ଲାପାଳ ଅଫିସ୍ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାପାଳ ଅଫିସ୍କୁ ଧସେଇ ପଶୁଥିବା ବେଳେ ପୁଲିସ୍ ସହ ଧସ୍ତାଧସ୍ତି ହୋଇଥିବା ଦେଖାଯାଇଛି। ଆଜି ମଧ୍ୟାହ୍ନରେ ସ୍ଥାନୀୟ ପୁଲିସ୍ ପଡ଼ିଆ ସ୍ଥିତ କଲ୍ୟାଣ ମଣ୍ଡପରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପସିଂ ମାଝୀଙ୍କ ନେତୃତ୍ବରେ ଶତାଧିକ ଆଦିବାସୀ ଏକାଠି ହୋଇଥିଲେ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।
ଜିଲ୍ଲାପାଳ ଅଫିସ୍ରେ ପହଞ୍ଚି ଅଫିସ୍କୁ ଧସେଇ ପଶିବା ବେଳେ ପୁଲିସ୍ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ମୁଖ୍ୟ ଉପଦେଷ୍ଟା ବିହାରୀଲାଲ ବିଶ୍ବାଲ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଉପସଭାପତି ରାଜୁ ଖାଡ଼ିଆ, ଜିଲ୍ଲା ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ଉପସଭାପତି କମଲେଶସିଂ ଠାକୁର, ଈଶ୍ବର ଚନ୍ଦ୍ର ନାଏକ, ଉପଦେଷ୍ଟା ଖାମସିଂ ମାଝୀ, ଜୟରାମ ଶବର, ହୋମସିଂ ମାଝୀ, ସରୋଜିନୀ ମାଝୀ, କୋମନା ବ୍ଲକ ସଭାପତି ଜ୍ଞାନେଶ୍ବର ମାଝୀ, ଖଡ଼ିଆଳ ବ୍ଲକ ସଭାପତି କାର୍ତ୍ତିକେଶ୍ବର ମଲ୍ଲିକ, ସିନାପାଲି ବ୍ଲକ ସଭାପତି ଦୁର୍ବଲ ମାଝୀ, ବୋଡ଼େନ ବ୍ଲକ ସଭାପତି ଲଛମନସିଂ ଭୋଇ, ମହିଳା ନେତ୍ରୀ ଅମ୍ବିକା ମାଝୀ, ରମ୍ଭାକାନ୍ତୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ନୂଆପଡ଼ା ବ୍ଲକ ସଭାପତି ଭକ୍ତବନ୍ଧୁ ଧରୁଆ ସଭା ପରିଚାଳନା କରିଥିଲେ। ଜିଲ୍ଲାରେ ୧୬ ହଜାର ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାରୀ ଆଇନ ମୁତାବକ ପଟ୍ଟା ପ୍ରଦାନ କରିବାକୁ ଦାବି କରାଯାଇଥିଲା। ସେହିପରି ଜଙ୍ଗଲ ଜମି ପଟ୍ଟାରେ ଫସଲ ବୀମା ଧାର୍ଯ୍ୟ, କୃଷିଋଣ ପ୍ରଦାନ କରିବା ସହ ଉତ୍ପାଦିତ ଫସଲକୁ ମଣ୍ତିରେ ବିକ୍ରି ପାଇଁ ଅନୁମତି ପ୍ରଦାନ ଆଦି ଦାବି କରାଯାଇଥିଲା। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନଙ୍କୁ ୧୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା।