ପୁଞ୍ଜି ନିବେଶ ଓ ଅନ୍ତର୍ଜାତୀୟ ସହଯୋଗକୁ ନେଇ ଓଡ଼ିଶା ବେଶ୍‌ ଚର୍ଚ୍ଚାରେ ରହିଛି। ରାଜ୍ୟ ସରକାରଙ୍କ ସହ ବିଭିନ୍ନ କ୍ଷେତ୍ରରେ ବ୍ରିଟେନ୍‌-ଓଡ଼ିଶା ସହଯୋଗ ଓ ସହବନ୍ଧନ ସଂପର୍କରେ ଅଧିକ ସୂଚନା ଦେଇପାରିବେ କି ?
ପଶ୍ଚିମବଙ୍ଗ ବାଦ୍ ଓଡ଼ିଶାକୁ ମୁଁ ଅଧିକ ଥର ପରିଦର୍ଶନ କରିଛି। ବିଗତ ୫ ମାସ ଭିତରେ ୪ ଥର ଓଡ଼ିଶା ଆସିସାରିଲିଣି। ଏଠାରେ ବିଭିନ୍ନ କ୍ଷେତ୍ରରେ ବ୍ରିଟିସ୍‌ କମ୍ପାନିଗୁଡ଼ିକର ‌ବହୁତ ଆଗ୍ରହ ରହିଛି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ବେଶ୍‌ ଗୁରୁତ୍ବପୂର୍ଣ୍ଣ ଓ ବ୍ରିଟେନ୍‌ କମ୍ପାନିଗୁଡ଼ିକୁ ଏହା ଅଧିକ ଆକର୍ଷିତ କରୁଛି। ହାଇଦ୍ରାବାଦରୁ ମୋର ବର୍ତ୍ତମାନ ଭୂମିକାରୁ ବାହାରି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁତ କିଛି ଶିଖିବାର ସୁଯୋଗ ପାଇଛି। ବିଶେଷକରି ଏଆଇ-ଏମ୍‌ଏଲ୍‌, ସେମିକଣ୍ଡକ୍ଟର, କ୍ବାଣ୍ଟମ, ଟେଲିକମ୍ ଓ ଡାଟା ଆନାଲିଟିକ୍ସ କ୍ଷେତ୍ରରେ ଯଥେଷ୍ଟ ସମ୍ଭାବନା ରହିଛି। ବ୍ରିଟେନ୍ ଓ ଓଡ଼ିଶାର ସହଯୋଗରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରସ୍ପରର ଭାଗିଦାରୀକୁ ବଢ଼ାଇବା ପାଇଁ ଷ୍ଟାର୍ଟ-ଅପ୍ ଓଡ଼ିଶା, ଓଡ଼ିଶା ସରକାରଙ୍କ ଶିଳ୍ପ ଓ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ସହ ପ୍ରାରମ୍ଭିକ ଆଲୋଚନା ହୋଇଛି। ଜଟିଳ ଖଣିଜ କ୍ଷେତ୍ର ମଧ୍ୟ ବ୍ରିଟେ୍‌ନକୁ ଆକର୍ଷିତ କରୁଛି। ନିକଟରେ ଏକ ପ୍ରତିନିଧି ଦଳ ଓଡ଼ିଶା ପରିଦର୍ଶନରେ ଆସିଥିଲେ। ଏହାବାଦ୍‌ ଅକ୍ଷୟ ଶକ୍ତିର ବିଭିନ୍ନ ଦିଗକୁ ନେଇ ମଧ୍ୟ ଆଲୋଚନା କରାଯାଉଛି। ଭୁବନେଶ୍ବର ପାଇଁ ନେଟ୍‌ ଜିରୋ ଭିଜନ୍ ଉପରେ ନିକଟରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା।

Advertisment

ବର୍ତ୍ତମାନ ହେଉଛି ଡିଜିଟାଲର ଯୁଗ। ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ କେଉଁ କେଉଁ କ୍ଷେତ୍ରରେ ସୁଯୋଗ ରହିଛି, ବିଶେଷକରି ଅନୁଦାନ ଓ ଛାତ୍ର ବୃତ୍ତି ଉପରେ ମତ ରଖନ୍ତୁ। ସିଭେନିଂ ଛାତ୍ରବୃତ୍ତି ହେଉଛି ବ୍ରିଟେନ୍‌ ସରକାରଙ୍କ ଫ୍ଲାଗସିପ୍ ଛାତ୍ରବୃତ୍ତି କାର୍ଯ୍ୟକ୍ରମ। ୨ବର୍ଷର କାର୍ଯ୍ୟ ଅଭିଜ୍ଞତା, ପ୍ରମାଣିତ ନେତୃତ୍ବ ଦକ୍ଷତା ଓ ଅନ୍ୟାନ୍ୟ ମାନଦଣ୍ଡ ଭିତରେ ପ୍ରାର୍ଥୀମାନେ ନିଜ ଦେଶକୁ ଫେରିବା ପରେ କିଭଳି ସେମାନଙ୍କ ସ୍ନାତକୋତ୍ତର ଯୋଗ୍ୟତାକୁ ବ୍ୟବହାର କରିବେ ତାହା ଉପରେ ସ୍ପଷ୍ଟତା ରହିଛି। ଏହା ପ୍ରତିଯୋଗିତାମୂଳକ। ଶେଷ ଥର ବିଶ୍ବସ୍ତରରୁ ୬୭ହଜାର ଆବେଦନ ଆସିଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ମଧ୍ୟ କମ୍ ଅବଧି ବିଶିଷ୍ଟ ଫେଲୋସିପ୍‌ ଦିଆଯାଉଛି। www.chevening.org/india ରେ ସଂପୂର୍ଣ୍ଣ ବିବରଣୀ ରହିଛି। ଏହାବାଦ୍ ବ୍ରିଟେନ୍ ସରକାର ପୂର୍ଣ୍ଣ କିମ୍ବା ଆଂଶିକ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି। ତହିଁରୁ କିଛି ବ୍ରିଟିସ୍‌ କାଉନ୍‌ସିଲ ପ୍ରଦାନ କରୁଥିବା ବେଳେ ଅନ୍ୟଗୁଡ଼ିକ ବିଶ୍ବବିଦ୍ୟାଳୟ କିମ୍ବା ସଂପୃକ୍ତ ଶିକ୍ଷାନୁଷ୍ଠାନ ପ୍ରଦାନ କରୁଛନ୍ତି। ଦି ଗ୍ରେଟ୍‌ ସ୍କଲାରସିପ୍, କମନୱେଲ୍‌ଥ ସ୍କଲାରସିପ୍, ଚାର୍ଲସ ୱ‌ାଲେସନ ଇଣ୍ଡିଆ ଟ୍ରଷ୍ଟ ସ୍କଲାରସିପ୍‌ ଓ ବ୍ରିଟିଶ କାଉନସିଲ୍‌ ୱିମେନ ଇନ୍ ଏସ୍‌ଟିଇଏମ୍‌ ଛାତ୍ରବୃତ୍ତି ରହିଛି। ଜଣଙ୍କର ଆବଶ୍ୟକତା ଅନୁସାରେ କେଉଁଟି ଭଲ ହେବ ତାହା ସଂପର୍କରେ ଅନ୍‌ଲାଇନ୍‌ରେ ଅନୁସନ୍ଧାନ କରିବା ଉଚିତ। ଯେଉଁମାନେ ଅନ୍ତର୍ଜାତୀୟ ଶିକ୍ଷା ହାସଲ କରିପାରୁ ନାହାନ୍ତି, ସେହି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାକୁ ଅଧିକ ସୁଗମ କରିବା ଲାଗି ବହୁ ସଂଖ୍ୟାରେ ବ୍ରିଟିସ୍‌ ଶିକ୍ଷାନୁଷ୍ଠାନମାନଙ୍କୁ ରାଜ୍ୟ ସରକାରଙ୍କ ସହଭାଗିତାରେ ପ୍ରତିଷ୍ଠା ଲାଗି ଆଗ୍ରହୀ। କେବଳ ବିଶ୍ବବିଦ୍ୟାଳୟ ନୁହେଁ, ସ୍ଥାୟୀ ଜୀବନଜୀବିକା ସୃଷ୍ଟି କରିବା ପାଇଁ ଆବଶ୍ୟକ ଦକ୍ଷତା ବଢ଼ାଇବା ଉପରେ ମଧ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଛି।

କଳିଙ୍ଗ ଷ୍ଟାଡିୟମ୍‌ରେ ଆପଣ କିଛି ମ୍ୟାଚ୍ ଦେଖିବାର ସୁଯୋଗ ପାଇଛନ୍ତି। କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‌ରେ ସୁବିଧା ସୁଯୋଗ ଉପରେ ମତ କ’ଣ ?
କଳିଙ୍ଗ ଷ୍ଟାଡିୟମ୍‌ରେ ଦୁଇଟି ମ୍ୟାଚ୍ ଦେଖିଛି। ଗୋଟିଏ ହେଉଛି ଇଷ୍ଟ ବେଙ୍ଗଲ ଓ ଜାମସେଦପୁର ଏବଂ ଅନ୍ୟଟି ଓଡ଼ିଶା ମହିଳାଙ୍କର ଇଷ୍ଟ ବେଙ୍ଗଲ ବିପକ୍ଷ ମ୍ୟାଚ୍। କଳିଙ୍ଗ ଷ୍ଟାଡିୟମ୍‌ରେ ଶୌଚାଳୟଠାରୁ ଆରମ୍ଭ କରି କ୍ୟାଟେରିଂ ଓ ଏକ୍ଜିକ୍ୟୁଟିଭ୍ ବକ୍ସଗୁଡ଼ିକ ବେଶ୍‌ ସଫାସୁତରା। ଅନେକ ଦୃଷ୍ଟିକୋଣରୁ ଏହି ଷ୍ଟାଡିୟମ୍‌ଟି ଦେଶର ଅନ୍ୟତମ ଶ୍ରେଷ୍ଠ ଷ୍ଟାଡିୟମ୍। ଷ୍ଟାଡିୟମ୍‌ରେ ଆୟ ବଢ଼ାଇବା ଲାଗି ଅନେକ ବାଟ ରହିଛି ବୋଲି ଭାବୁଛି। ବ୍ରିଟିସ୍‌ କମ୍ପାନି ଦ୍ବାରା ଡିଜାଇନ କରାଯାଇଥିବା ଅହମଦାବାଦ୍‌ର ଷ୍ଟାଡିଏରିନା ଫୁଟବଲ୍‌ ଷ୍ଟାଡିୟମ୍‌ ହେଉଛି ଭାରତର ଏକମାତ୍ର ଷ୍ଟାଡିୟମ୍‌ ଯାହା ଏ କ୍ଷେତ୍ରକୁ ବେଶ୍‌ ସଫଳତାର ସହ କାର୍ଯ୍ୟକାରୀ କରିପାରିଛି। ତେବେ ଗତ କିଛିବର୍ଷ ହେବ ଓଡ଼ିଶା ଏଫ୍‌ସି ରାଜ ଅଟୱାଲଙ୍କ ନେତୃତ୍ବରେ ବ୍ରିଟିସ୍‌ କ୍ଲବ୍ ଭଳି ମଡେଲକୁ ଆପଣାଇଛି। ଯାହାକି ପ୍ରକୃତରେ ଗୋଷ୍ଠୀକୁ ଯୋଡ଼ିବାରେ ସଫଳ ହୋଇଛି। ହକିରେ ଓଡ଼ିଶା ଆଗରେ ଥିଲେ ହେଁ ଆଥଲେଟିକ୍ସ ଓ ସନ୍ତରଣ ଭଳି ‌କ୍ରୀଡ଼ାରେ ମଧ୍ୟ ବେଶ୍‌ ଅଗ୍ରଗତି କରିଛି। ଗତବର୍ଷ ୱେଲ୍‌ସ ସହକର୍ମୀ ଏଠାକୁ ଆସିଥିବା ବେଳେ ସେମାନଙ୍କ ଅନୁଭୂତି ବେଶ୍‌ ଭଲ ରହିଥିଲା। ତେଣୁ କ୍ରୀଡ଼ା କ୍ଷେତ୍ରରେ ଯେଉଁ ନିବେଶ ହୋଇଛି ତାହା ଆଗକୁ ନିଶ୍ଚିତ ପୁରସ୍କୃତ ହେବ। ଆଗାମୀ ଦିନରେ ଓଡ଼ିଶାରୁ ଅନେକ ସଫଳ କ୍ରୀଡ଼ାବିତ୍ ବାହାରିବା ସହ ଏଠାରେ ଥିବା ସୁବିଧାସୁଯୋଗ ସେମାନଙ୍କୁ ଉତ୍ସାହିତ କରିବ। ଦକ୍ଷତା ବଢ଼ାଇବା ପାଇଁ ଓଡ଼ିଶା ଓ ବ୍ରିଟିସ୍‌ ବିଶ୍ବବିଦ୍ୟାଳୟ ଭିତରେ କେଉଁ ପ୍ରକାର ସ‌ଂଯୋଗ ହୋଇପାରିବ ତାହା ଉପରେ ଅନୁସନ୍ଧାନ କରାଯାଉଛି।

ଓଡ଼ିଶାକୁ ଆପଣ ବାରମ୍ବାର ବୁଲିବାକୁ ଆସିଛନ୍ତି। ଆଗକୁ ରାଜ୍ୟର ଅନ୍ୟ କେଉଁ କେଉଁ ଅଞ୍ଚଳକୁ ଯିବା ପାଇଁ ଯୋଜନା ରହିଛି କି ?
ମୁଁ ଓଡ଼ିଶାକୁ ଆସିବାକୁ ଭଲ ପାଏ। ୨୦୧୯ ମସିହାରେ ପ୍ରଥମଥର ଲାଗି ମୁଁ ପରିବାର ସହ ଓଡ଼ିଶା ଆସିଥିଲି। ସେ ସମୟରେ କୋଣାର୍କ, ପୁରୀ ଓ ଚିଲିକା ବୁଲି ଦେଖିଥିଲୁ। ଭାରତରେ ଏହା ହେଉଛି ମୋର ସବୁଠାରୁ ସ୍ମରଣୀୟ ପାରିବାରିକ ଯାତ୍ରା। ଆଗକୁ ପାରଳ‌ାଖେମୁଣ୍ଡିରେ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ ସହ ଅନ୍ୟାନ୍ୟ ସ୍ଥାନ ରହିଛି। ତେବେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ କୋରାପୁଟ, କନ୍ଧମାଳ ବୁଲିବା ଲାଗି ଯୋଜନା କରିଛି। ପରେ ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ରଘୁରାଜପୁର ପରିଦର୍ଶନ ପାଇଁ ଯୋଜନା ରହିଛି। ସ୍ବାଧୀନତା ପୂର୍ବରୁ ଓଡ଼ିଶାରେ ପୋଷ୍ଟିଂ ହୋଇଥିବା ଅନେକ ବ୍ରିଟିଶ୍‌ ଅଧିକାରୀ ଓଡ଼ିଶାର ସ୍ଥାପତ୍ୟ ଓ ସ୍ମାରକୀର ସଂରକ୍ଷଣ ଦିଗରେ ଅନେକ କାମ କରିଛନ୍ତି। ଓଡ଼ିଶାର ସମୃଦ୍ଧ ସଂସ୍କୃତି ଐତିହ୍ୟ ସହ ସଂଯୋଗ ପାଇଁ ଆପଣଙ୍କ ସଂସ୍ଥାର କୌଣସି ସମକାଳୀନ ଯୋଜନା ରହିଛି କି ?

ଐତିହ୍ୟର ମୁଁ ଜଣେ ବଡ଼ ପ୍ରଂଶସକ। ଓଡ଼ିଶା ଭ୍ରମଣ ସମୟରେ ଏହାର ଇତିହାସକୁ ଭଲ ଭାବରେ ଜାଣିବାର ସୁଯୋଗ ପାଇଛି। ଭାରତର ବିଭିନ୍ନ ଅଟ୍ଟାଳିକାର ସଂରକ୍ଷଣ ପାଇଁ ଏଏସ୍‌ଆଇର କାର୍ଯ୍ୟ ପ୍ରଂଶସନୀୟ। ଐତିହ୍ୟର ପୁନରୁଦ୍ଧାର ପାଇଁ ବହୁ ସଂଖ୍ୟାରେ କର୍ପୋରେଟ୍‌ ସଂସ୍ଥା ଆଗେଇ ଆସିବା ମତେ ପ୍ରଭାବିତ କରିଛି। ବ୍ରିଟେନର କିଛି କମ୍ପାନିଙ୍କ ପୁନରୁଦ୍ଧାର କ୍ଷେତ୍ରରେ ବେଶ୍ ଅଭିଜ୍ଞତା ରହିଛି ଏବଂ ଭାରତରେ ସଂରକ୍ଷଣ ଓ ପୁନରୁଦ୍ଧାର ପ୍ରକଳ୍ପରେ ଏସବୁ ସଂସ୍ଥାମାନେ ଜଡ଼ିତ। ତେବେ ବ୍ରିଟେନ୍ ସରକାର ଭାରତରେ ଏଭଳି କାର୍ଯ୍ୟକ୍ରମ ସିଧାସଳଖ ଅର୍ଥ ପ୍ରଦାନ କରୁନାହାନ୍ତି ଓ ଆଗାମୀ ଦିନରେ ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ହେବ ବୋଲି ମୁଁ ଭାବୁନାହିଁ।