ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ କରାଯାଉଛି : ଇଓଡବ୍ଲ୍ୟୁ ଚଢ଼ଉ ବିରୋଧରେ ବିକ୍ଷୋଭ

ଭୁବନେଶ୍ବର: ସତ୍ୟକୁ ସହ୍ୟ କରିପାରୁ ନାହାନ୍ତି ରାଜ୍ୟ ସରକାର। ଇଂରେଜ ତଥା ଫାସୀବାଦୀ ରାଜନେତାମାନଙ୍କ ଭଳି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ କରାଯାଉଛି। ସରକାରଙ୍କ ଏହି ଦମନ ନୀତି ଚଳିବ ନାହିଁ। ଜଣେ ଖବରକାଗଜର ସମ୍ପାଦକଙ୍କ ଲେଖାକୁ ଏତେ ଡର କାହିଁକି? ‘ସମ୍ବାଦ’ ଖବର କାଗଜ ଓ ‘କନକ ନ୍ୟୁଜ’କୁ ବିଜ୍ଞାପନ ବନ୍ଦ କରି ପାଟି ଚୁପ୍‌ କରି ନ ପାରିବା ପରେ ଏବେ ବିଭିନ୍ନ ମିଛ କେସ୍‌ ଦେଇ ବିଭିନ୍ନ ତଦନ୍ତକାରୀ ସଂସ୍ଥା ସାହାଯ୍ୟରେ ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମକୁ ବିରୋଧ କରି ଏଭଳି ମନ୍ତବ୍ୟ ଦେଇଛନ୍ତି ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତା। ଆଜି ସନ୍ଧ୍ୟାରେ ‘ସମ୍ବାଦ ଭବନ’ରେ ଇଓଡବ୍ଲ୍ୟର ଚଢ଼ଉ ଚାଲିଥିବା ସମୟରେ ‘ସମ୍ବାଦ ଭବନ’ ବାହାରେ ଏକାଠି ହୋଇ ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଏହାକୁ ବିରୋଧ କରିଥିଲେ।

ଏଥିରେ ଯୋଗ ଦେଇଥିବା ସିଟୁର ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ କହିଥିଲେ ଯେ, ଆଜି ଯେଉଁ ଚଢ଼ଉ ଚାଲିଛି ଏହା ୫-ଟି ସରକାରର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ସମୟ ଆସିଛି ସ୍ବାଭିମାନୀ ରାଜ୍ୟବାସୀ ଏକାଠି ହୋଇ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଜବାବ ଦେବାକୁ ହେବ। ଆମ୍‌ ଆଦମୀ ପାର୍ଟିର ଉତ୍ତର ଭୁବନେଶ୍ବର ସଭାପତି ସୋମନାଥ ରାଉତ କହିଛନ୍ତି ଯେ, ଓଡ଼ିଶାର ଖଣି, ପାଣି, ଜଙ୍ଗଲ, ଜମି ଆଦି ଏକ ଅଦୃଶ୍ୟ ଶକ୍ତି ଦ୍ବାରା ଲୁଟ ହେଉଛି। ଏହା ଦେଖି ଯେ‌ତେବେଳେ ରାଜ୍ୟବାସୀଙ୍କ ସ୍ବାର୍ଥପାଇଁ ଏକ ଖବରକାଗଜର ସମ୍ପାଦକ ନିଜ ଲେଖନୀମୁନକୁ ଚାଳନା କରୁଛନ୍ତି ସେତେବେଳେ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଲଗାଇ ଏହାର କଣ୍ଠରୋଧ କରିବା ଏକ ନିନ୍ଦନୀୟ ଘଟଣା। ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ୟ ଜୟନ୍ତ ଦାସ କହିଛନ୍ତି ଯେ, ଓଡ଼ିଶା ସରକାର ଦୁର୍ନୀତି, ଭ୍ରଷ୍ଟାଚାରରେ ଏତେ ମାତ୍ରାରେ ବୁଡ଼ିକି ରହିଛନ୍ତି ଯେ ଏହି ଭ୍ରଷ୍ଟ କାର୍ଯ୍ୟକଳାପ ଉପରେ ଯିଏ ସତ୍ୟ ସମ୍ବାଦ ଉଲ୍ଲେଖ କରୁଛନ୍ତି ତା’ ପ୍ରତି ସରକାର ଭୟଭୀତ ହୋଇଯାଉଛନ୍ତି। ଭୟଭୀତ ରାଜ୍ୟ ସରକାର ଗଣମାଧ୍ୟମ ଉପରେ ନୁ‌ହେଁ ଏହା ସିଧାସଳଖ ଭାବେ ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି। ଏଆଇଏସ୍‌ଏଫ୍‌ର ରାଜ୍ୟ ସଭାପତି ସଂଘମିତ୍ର‌ା ଜେନା କହିଛନ୍ତି, ‘ସମ୍ବାଦ’ ଖବରକାଗଜ ସବୁ ସମୟରେ ଛାତ୍ରଙ୍କ ସ୍ବର ହୋଇଛି। ଯେତେବେ‌ଳେ ଗଣମାଧ୍ୟମ ସରକାରଙ୍କ ଆଗରେ ମୁଣ୍ଡ ନୁଆଁଉଛି ସେତେବେଳେ ଏକ ଗଣମାଧ୍ୟମର ରାଜ୍ୟବାସୀ ଭୋଗୁ ଥିବା ପ୍ରକୃତ ସତ୍ୟ ଆଗକୁ ଆଣୁଛି। ତା’ରି ସ୍ବରକୁ ଚାପାଇଦେବାର ଉଦ୍ୟମ ଏକ ହୀନ ଉଦ୍ୟମ। ଏହାକୁ ରାଜ୍ୟବାସୀ ଏକ ସ୍ବରରେ ବିରୋଧ କରିବା ଉଚିତ। ଆଜିର ଏହି କାର୍ଯ୍ୟକ୍ରମରେ ଏଆଇଏସ୍‌ଏଫ୍‌ର ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ପରିଡ଼ା, ନେତାଜୀ ମେମୋରିଆଲ କମିଟିର ଦେବୀ ପୃଷ୍ଟି, ଆମ୍‌ ଆଦମୀ ପାର୍ଟିର ଭୁବନେଶ୍ବର ସଭାପତି ଜୟସୂର୍ଯ୍ୟ କାନୁନଗୋ, ଲଳିତ ମୋହନ ଦା‌ସ, ଅମୀୟ ଶର୍ମା, ଶ୍ରୀଧର ସାହୁ ପ୍ରମୁଖ ବହୁ ଜନସାଧାରଣ ‌ଯୋଗ ଦେଇଥିଲେ।

ଆଇନ ନାଁରେ ରାଜନୈତିକ ପ୍ରତିଶୋଧ ନିଆଯାଉଛି
‘ସମ୍ବାଦ’ ଗ୍ରୁପ୍‌ରେ ଇଓଡବ୍ଲୁର ଆଜି ଚଢ଼ାଉ ଓ କିଛିଦିନ ତଳେ ଯେଉଁ ମକଦ୍ଦମା ରୁଜୁ ହୋଇଛି ତାହାକୁ ରାଜ୍ୟବାସୀ ସନ୍ଦେହ ଚକ୍ଷୁରେ ଦେଖିବାକୁ ଆରମ୍ଭ କରିଛନ୍ତି। ଏକ ଗଣମାଧ୍ୟମ ସଂସ୍ଥାର ମୁହଁ ବନ୍ଦ କରିବା ପାଇଁ ହୀନ ଚକ୍ରାନ୍ତ ଚାଲିଛି। ଏକଥା ସତ କେହି ଆଇନର ଋର୍ଧ୍ବରେ ନୁହନ୍ତି। ଯଦି କେହି ଭୁଲ୍‌ କରିଛନ୍ତି ତାହାଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କେହି ମନା କରୁନାହାନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ଆୟ ଫାଙ୍କିବା ଅଭିଯୋଗରେ ବିବିସି ସଂସ୍ଥା ଉପରେ ଚଢ଼ଉ କରିଥିଲା। ପରବର୍ତ୍ତୀ ସମୟରେ ବିବିସି ମଧ୍ୟ ୪୦ କୋଟି ଟଙ୍କା ଆୟକର ପ୍ରଦାନ କରିଥିଲା। ମାତ୍ର ଏବେ ଯେଉଁଭଳି ଢଙ୍ଗରେ ‘ସମ୍ବାଦ’ ବିରୋଧରେ ମାମଲା ରୁଜୁ କରାଗଲା ତାହା ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଏଭଳି କାର୍ଯ୍ୟାନୁଷ୍ଠାନ କେବଳ ଗଣମାଧ୍ୟମର କଣ୍ଠରୋଧ ପାଇଁ ଉଦ୍ଦିଷ୍ଟ। ସରକାରଙ୍କ ଆଲୋଚନା କରିବାର କ୍ଷମତା ଗଣମାଧ୍ୟମକୁ ସମ୍ବିଧାନରେ ପ୍ରଦାନ କରାଯାଇଛି। ଏହାଦ୍ବାରା କେବଳ ସାଧାରଣ ଲୋକଙ୍କ ଲାଭ ହୋଇ ନ ଥାଏ ବରଂ କ୍ଷମତାରେ ଥିବା ରାଜନୈତିକ ଦଳ ପାଇଁ ଫଳପ୍ରଦ ହୋଇଥାଏ। ତେଣୁ ‘ସମ୍ବାଦ’ରେ ହୋଇଥିବା ଚଢ଼ଉ କ୍ଷେତ୍ରରେ ଆଇନର ପାଳନ ହେଉନାହିଁ ବରଂ ଆଇନ ନାଁରେ ରାଜନୈତିକ ପ୍ରତିଶୋଧ ନିଆଯାଉଛି। ଖବରକାଗଜରେ ସରକାରଙ୍କ ଆଲୋଚନା କରିବା ଫଳରେ ରାଜ୍ୟ ସରକାର ତ ଭାଙ୍ଗି ଯାଉନି; ସରକାର ଏତେ ଅସହିଷ୍ଣୁ ହେବା ପଛର କାରଣ କ’ଣ ?

-ରାଜାରାମ ଶତପଥୀ, ବରିଷ୍ଠ ସାମ୍ବାଦିକ

ସଚିବ ଓଡ଼ିଶାର ମାଲିକ ସାଜିଛନ୍ତି
ସଚିବ ତ ଓଡ଼ିଶାର ମାଲିକ ସାଜିଛନ୍ତି। ସୌମ୍ୟରଂଜନ ପଟ୍ଟନାୟକ ସତ କଥା କହିବାରୁ ସରକାର ପ୍ରତିଶୋଧ ପରାୟଣ ହୋଇ ଉଠିଛନ୍ତି। ସରକାରଙ୍କ ମୁଣ୍ଡ ଖରାପ ହୋଇଗଲାଣି। ନିଜ କ୍ଷମତାର ଅପବ୍ୟବହାର କରି ସରକାର ଗଣାମଧ୍ୟମର କଣ୍ଠରୋଧ କରିବାକୁ ଅପପ୍ରୟାସ କରୁଛନ୍ତି। ଏଭଳି ଅନ୍ୟାୟ, ଅତ୍ୟାଚାରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ।

-ନାଉରୀ ନାୟକ, ରେଂଗାଲି ବିଧାୟକ

ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ହେଉଛି
ନିର୍ବାଚିତ ପ୍ରତିନିଧିଙ୍କୁ ଗୌଣ କରି ପାଣ୍ଡିଆନ ରାଜ୍ୟବ୍ୟାପୀ ବୁଲିଲେ, ‘ସମ୍ବାଦ’ର ସମ୍ପାଦକ ଏହି କଥା ସମ୍ପାଦକୀୟରେ ଲେଖିବାରୁ ତାଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି। ତାଙ୍କ ନାମରେ ଯେଉଁ ଋଣ ହେର୍‌ଫେର୍‌ ଅଭିଯୋଗ ଅଣାଯାଇଛି, ସରକାରଙ୍କ ଗୁଇନ୍ଦ‌ା ବିଭାଗ କ’ଣ କରୁଥିଲା, ପୂର୍ବରୁ କିଭଳି ସରକାର ତାଙ୍କ ତ୍ରୁଟିବିଚ୍ୟୁତି ଜାଣିପାରୁ ନଥିଲେ। ସେ ସରକାରଙ୍କ ତ୍ରୁଟିବିଚ୍ୟୁତି ପଦାକୁ ଆଣିବାରୁ, ତାଙ୍କ ଉପରେ ଖପ୍ପା ହୋଇ ନାନା ଅଭିଯୋଗ ଆଣୁଛନ୍ତି।

-ସୁରମା ପାଢ଼ୀ, ପୂର୍ବତନ ମନ୍ତ୍ରୀ

ଏ ସରକାରରେ ତାମିଲ ବାସ୍ନା ରହିଛି
ଏ ସରକାର ପ୍ରତିଶୋଧ ପରାୟଣ ସରକାର। ଏ ସରକାରରେ ତାମିଲ ବାସ୍ନା ରହିଛି। ଏଭଳି ପ୍ରତିଶୋଧ କେବଳ ତାମିଲନାଡୁରେ ହୁଏ। ଆଜି ସବୁ ଓଡ଼ିଆ ନେତା ଡରୁଛନ୍ତି, କାରଣ ସେମାନେ ଚୋରି କରିଛନ୍ତି, ଚୋରି ଟଙ୍କା ରଖିଛନ୍ତି। ଆଜି ପର୍ଯ୍ୟନ୍ତ ସୌମ୍ୟରଂଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଇଓଡବ୍ଲୁ ପଶୁନଥିଲା, ଆଜି ହଠାତ୍‌ ଯେତେବେଳେ ସେ ସରକାରଙ୍କ ବିରୋଧରେ ବାହାରିଲେ, ତାଙ୍କ କାର୍ଯ୍ୟାଳୟରେ ଇଓଡବ୍ଲୁ ପଶିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବେଆଇନ୍‌ କାର୍ଯ୍ୟ ଉପରେ ମୁହଁ ଖୋଲିବାରୁ ମୋତେ ବି ଦୁଷ୍କର୍ମ ମାମଲାରେ ଫସାଇବାକୁ ଚେଷ୍ଟା କରାଯାଇଥିଲା। ସୌମ୍ୟ ବାବୁଙ୍କ ପ୍ରଶ୍ନ ଥିଲା, ଗଣତନ୍ତ୍ରରେ ସଚିବ ବଡ଼ କି ନେତା ବଡ଼? ପାଣ୍ଡିଆନ୍‌ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରୋଜେକ୍ଟ କରି ଯେଉଁ ହେଲିକପ୍ଟରରେ ଉଡୁଛନ୍ତି, ତାର ଟଙ୍କା କେଉଁଠୁ ଆସୁଛି? ଏ ଟଙ୍କା ଓଡ଼ିଆଙ୍କର ନା ତାମିଲନାଡ଼ୁର? ଏହି ପ୍ରଶ୍ନରେ କୌଣସି ତ୍ରୁଟି ନାହିଁ। ଯଦି ଏହି ପ୍ରଶ୍ନ ପଚାରିବା ଭୁଲ୍‌, ତେବେ ଗଣତନ୍ତ୍ର ରହିଲା କେଉଁଠି? ଏଭଳି ଦେଖି ନବୀନ ପଟ୍ଟନାୟକଙ୍କୁ ଆଉ ଭୋଟ ଦେବାକୁ ବି ଇଚ୍ଛା ହେଉନି। ପାଣ୍ଡିଆନ୍‌ ତାଙ୍କ ଦସ୍ତଖତ ନେଇ ସାରା ଓଡ଼ିଶାକୁ ଶାସନ କରୁଛନ୍ତି। ଯଦି ଗଣତନ୍ତ୍ରରେ ଜଣେ ସତ କଥା କହିଲେ, କଣ୍ଠରୋଧ କରିବାକୁ ଚେଷ୍ଟା କରାଯିବ, ଜନତା ଏକ ହୋଇ ପ୍ରତିବାଦ କରିବେ। ରଜା ବିରୋଧରେ ପ୍ରଜା ମେଳି ହେବ।

-ପ୍ରିୟଦର୍ଶନ ପଟ୍ଟନାୟକ, ଆବାହକ, ଶ୍ରୀଜଗନ୍ନାଥ ସେନା

ସଂପାଦକୀୟ ସତ ପ୍ରମାଣିତ ହୋଇଛି
‘ସମ୍ବାଦ’ ଉପରେ ସରକାରଙ୍କ ପ୍ରାୟୋଜିତ ଏଭଳି ଚଢ଼ଉକୁ ଦୃଢ଼ ନିନ୍ଦା କରୁଛି। ‘ମରଣ କାଳରେ ବିପରୀତ ବୁଦ୍ଧି’ ଭଳି ବିଜେଡି ସରକାର ଆଚରଣ କରୁଛି। ‘ସମ୍ବାଦ’ ଉପରେ ଯେଭଳି ପଦକ୍ଷେପ ସରକାର ନେଲେ, ଓଡ଼ିଶାରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଲା ଭଳି ଲାଗୁଛି। କୌଣସି ରାଜନୈତିକ ଦଳ, ଅନୁଷ୍ଠାନ କିମ୍ବା ଗଣମାଧ୍ୟମ ଯଦି ସରକାରଙ୍କ ଭୁଲ୍ ନିଷ୍ପତ୍ତି ଉପରେ ଆଂଗୁଳି ଉଠାଉଛି, ତେବେ ରାଜ୍ୟସରକାର ହିଂସାତ୍ମକ ହେଉଛି। ‘ସମ୍ବାଦ’କୁ ଟାର୍ଗେଟ କରିବା ସରକାରଙ୍କ ଆକ୍ରୋଶ ଏବଂ ଷଡ଼୍‌ଯନ୍ତ୍ରକୁ ପଦାରେ ପକାଇଛି। ‘ସମ୍ବାଦ’ ଜନଆନ୍ଦୋଳନର ମୁଖପତ୍ର, ଗରିବ ଓ ଖଟିଖିଆଙ୍କ କଥା କୁହେ। ‘ସମ୍ବାଦ’ ଦୁର୍ନୀତିର ପର୍ଦାଫାସ କରୁଛି। ତା’ ବିରୋଧରେ ସରକାରଙ୍କ ଏଭଳି ପଦକ୍ଷେପକୁ ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାହିଁ। ଗୋଟିଏ କଥା ପ୍ରମାଣିତ ହେଲା, ସୌମ୍ୟରଂଜନ ପଟ୍ଟନାୟକ ନିଜ ସଂପାଦକୀୟରେ ଯାହା ଉଲ୍ଲେଖ କରିଥିଲେ, ତାହା ସତ ପ୍ରମାଣିତ ହୋଇଛି।  ୫-ଟି ସଚିବଙ୍କୁ ସୁରକ୍ଷା ଦେବାକୁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳ ଉପସଭାପତି ପଦରୁ ବହିଷ୍କାର କରିଛି। ୫-ଟି ସଚିବ ଭୟଭୀତ ହୋଇ ତାଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି।

-ପ୍ରଦୀପ ପୁରୋହିତ, ପୂର୍ବତନ ବିଧାୟକ

ଭୟଭୀତ, ଆତଙ୍କିତ ସରକାର ଗଣମାଧ୍ୟମ ଉପରେ ଆକ୍ରମଣ କରନ୍ତି
ମୁଖ୍ୟମନ୍ତ୍ରୀ ସରକାରୀ କଳ ଉପରୁ ନିୟନ୍ତ୍ରଣ ହରାଇବା ପରି ପ୍ରତିୟମାନ ହେଉଛି। ସରକାର ଭୟଭୀତ ଓ ଆତଙ୍କିତ ହୋଇ ପଡ଼ିଲେ ପ୍ରତିଶୋଧ ପରାୟଣ ହୋଇ ଗଣମାଧ୍ୟମ ଉପରେ ଆକ୍ରମଣ କରନ୍ତି। ‘ସମ୍ବାଦ’ ଉପରେ ଆକ୍ରମଣ ଏହାର ଏକ ନିଚ୍ଛକ ଉଦାହରଣ। ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମକୁ ମୁଁ ଦୃଢ଼ ନିନ୍ଦା କରୁଛି। ସରକାର ତୁରନ୍ତ ଏଥିରୁ ବିରତ ରୁହନ୍ତୁ।

-ରାମକୃଷ୍ଣ ପଣ୍ଡା, ଜାତୀୟ ସଂପାଦକ, ସିପିଆଇ

ବ୍ୟକ୍ତିଗତ ଆକ୍ରୋଶ ଲଜ୍ଜାଜନକ
ଗଣମାଧ୍ୟମ ୫–ଟି ସଚିବଙ୍କ ବିରୋଧରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗଣତନ୍ତ୍ରକୁ ହତ୍ୟା କରି ଗଣମାଧ୍ୟମର ସ୍ବରକୁ କଣ୍ଠରୋଧ କରିବା ଅତ୍ୟନ୍ତ ନିନ୍ଦନୀୟ। ୫–ଟି ସଚିବଙ୍କ ଏଭଳି ଗଣତନ୍ତ୍ର ବିରୋଧୀ କାର୍ଯ୍ୟକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏଭଳି ହୀନ କାର୍ଯ୍ୟରୁ ରାଜ୍ୟ ସରକାର ନିବୃତ୍ତ ରହିବା ଆବଶ୍ୟକ। ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଗଣମାଧ୍ୟମ ବିରୋଧରେ ଅସହିଷ୍ଣୁ ହୋଇ ବ୍ୟକ୍ତିଗତ ଆକ୍ରୋଶ ଅତ୍ୟନ୍ତ ଲଜ୍ଜାଜନକ।

-ପ୍ରଦୀପ୍ତ ନାଏକ, ଭବାନୀପାଟଣା ସଦର ବିଧାୟକ

ଗଣମାଧ୍ୟମର କଣ୍ଠରୋଧ ନିନ୍ଦନୀୟ
ଗଣତନ୍ତ୍ରରେ ଗଣମାଧ୍ୟମର କଣ୍ଠରୋଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେପଟେ କେନ୍ଦ୍ର ସରକାର ଓ ଏପଟେ ରାଜ୍ୟ ସରକାରଙ୍କ ଗଣମାଧ୍ୟମର କଣ୍ଠରୋଧ ପ୍ରକ୍ରିୟା ଜାରି ରହିଛି। ସେମାନଙ୍କ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଗଣମାଧ୍ୟମକୁ ନାଲି ଆଖି ଦେଖାଉଛନ୍ତି। ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ମନୋଭାବ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ବିପଜ୍ଜନକ।

-ଭକ୍ତଚରଣ ଦାସ, ପୂର୍ବ କେନ୍ଦ୍ରମନ୍ତ୍ରୀ

ସତ ଆଲେଖ୍ୟ ସରକାର ପାଇଁ ମୁଣ୍ଡବ୍ୟଥା ପାଲଟିଛି
‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରୋଶମୂଳକ ଭାବେ ହଇରାଣ ହରକତ କରାଯାଉଛି। ପ୍ରଥମେ ସରକାରୀ ବିଜ୍ଞାପନ ବନ୍ଦ କରିବା ପରେ ଆଜି ‘ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟରେ ଇଓଡବ୍ଲୁ ଚଢ଼ଉ କରିଛି। ଏହା ଅତି ନିନ୍ଦନୀୟ ଘଟଣା। ଗଣମା‌ଧ୍ୟମର ସ୍ବରକୁ କଣ୍ଠରୋଧ କରାଯାଉଥିବା ବେଳେ ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

-ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଦେବଗଡ଼ ବିଧାୟକ

ସମ୍ବନ୍ଧିତ ଖବର