ଗଞ୍ଜାମ ଜିଲ୍ଲାରେ ମନରେଗା ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ

ଆର୍‌ଟିଆଇ ଆବେଦନରକାରୀଙ୍କୁ ପୁଲିସ ଭୟ, ରଫାଦଫା ଲାଗି ଗଳାବାଟ ଖୋଜା

ଛତ୍ରପୁର : ମନରେଗା ଯୋଜନା କାର୍ଯ୍ୟକାରୀରେ ରାଜ୍ୟରେ ଏକ ନମ୍ବର ଓ ଦେଶରେ ୫ ନମ୍ବର ‌ଜିଲ୍ଲା ହେଉଛି ଗଞ୍ଜାମ। ହେଲେ ଯୋଜନା କାର୍ଯ୍ୟକାରୀରେ ଦୁର୍ନୀତି ଓ ଅନିୟମିତତାର ଫର୍ଦ୍ଦ ବି ଲମ୍ବା। ଯେତେ ଖୋଜିଲେ ସେତେ ବାହାରିବ। ବିଗତ ଏକବର୍ଷ ମଧ୍ୟରେ ବୁଗୁଡ଼ା, ଚିକିଟି ଓ ପାତ୍ରପୁର ସମେତ ବିଭିନ୍ନ ବ୍ଲକ୍‌ରେ ମନରେଗା ଦୁର୍ନୀତିକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା।
ଏଭଳି ପରିସ୍ଥିତିରେ ଦୁର୍ନୀତି ଓ ଅନିୟମିତତାକୁ ନେଇ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନର ଆଶ୍ରୟ ନେବା ପରେ ସମସ୍ତ ତଥ୍ୟକୁ ରଫାଦଫା କରିବା ଓ ଆବେଦକାରୀଙ୍କୁ ପୁଲିସ ଭୟ ଦେଖାଉଥିବା ଭଳି ସମ୍ବେଦନଶୀଳ ଘଟଣା ନଜରକୁ ଆସିଛି। ପୁଲିସକୁ ଢାଲ କରି ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ସବୁ ପ୍ରକାର ଉଦ୍ୟମ ହେଉଥିବା ‌ଖୋଦ୍ ଆବେଦନକାରୀ ତଥା ଛତ୍ରପୁର ବ୍ଲକ୍ ବଉଳଗାଁ ପଞ୍ଚାୟତର ଶରତ କୁମାର ପାଢ଼ୀ ଅଭିଯୋଗ ଆଣିଛନ୍ତି।

ବଉଳଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ୧୦ରୁ ଅଧିକ ପ୍ରକଳ୍ପର କାମ ହୋଇଛି। କିନ୍ତୁ ସମସ୍ତ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ଶରତଙ୍କ ସମେତ ପଞ୍ଚାୟତବାସୀ ଡିଆରଡିଏ ପିଡିଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାକୁ ଆଧାର କରି ଏକ ଟେକ୍ନିକାଲ୍ ଟିମ୍ ପଞ୍ଚାୟତ ଗସ୍ତ କରି ତଦନ୍ତ କରିଥିଲେ। ପଞ୍ଚାୟତର କନିଷ୍ଠଯନ୍ତ୍ରୀଙ୍କୁ ଢାଲ କରି କେବଳ ଉପରଠଉରିଆ ତଦନ୍ତ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ରିପୋର୍ଟ ମିଳିନି।

ଫଳରେ ଶରତ ନିରାଶ ହୋଇ ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ହାସଲ କରିବାକୁ ଆବେଦନ କରିଥିଲେ। ଏହା ଜଣାପଡ଼ିବା ପରେ ପଞ୍ଚାୟତ ପ୍ରଶାସନର ହୋସ୍ ଉଡ଼ିଯାଇଥିଲା। କନିଷ୍ଠଯନ୍ତ୍ରୀ ଏହା ଜାଣିବା ପରେ ଆପୋସ ସମାଧାନ ପାଇଁ ଶ୍ରୀ ପାଢ଼ୀଙ୍କ ସହ ଯୋଗାଯୋଗ କରିବାକୁ ପୂର୍ବତନ ସରପଞ୍ଚଙ୍କ ପୁଅ ନୀଳକମଳ ମହାରଣାଙ୍କୁ ଫୋନ୍ କରି ନିବେଦନ କରିଥିଲେ। ଏହାକୁ ରଫାଦଫା କରିଦିଆଯାଉ ବୋଲି ପରାମର୍ଶ ଦେଇଥିଲେ। ତଥାପି ଶରତ ପଛକୁ ହଟି ନଥିଲେ।

ତେବେ ଏହାମଧ୍ୟରେ ଗତକାଲି ଛତ୍ରପୁର ଥାନାରେ ବଉଳଗାଁ ପଞ୍ଚାୟତର କିଛି ବ୍ୟକ୍ତି ଶରତଙ୍କ ନାମ‌‌ରେ ଅଭିଯୋଗ କରିଛନ୍ତି। ଆଜି ପୁଲିସ ଶରତଙ୍କୁ ଦିନସାରା ପଚରାଉଚରା କରିଛି। ମନରେଗା ଦୁର୍ନୀତିକୁ ‌ନେଇ ଆର୍‌ଟିଆଇରେ ତଥ୍ୟ ମାଗିଥିବାରୁ ଗାଁର କିଛି ସ୍ବାର୍ଥପର ଲୋକ ପୁଲିସର ଭୟ ଦେଖାଉଛନ୍ତି ବୋଲି ଶରତ କହିଛନ୍ତି।

ଅନ୍ୟପକ୍ଷରେ ଶରତଙ୍କ ସୂଚନାନୁସାରେ, ବଉଳଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ଦିବ୍ୟସିଂହପୁର ବିଦ୍ୟୁତ୍ ସବ୍‌ଷ୍ଟେସନ୍ ଠାରୁ ଜଳନ୍ଦର କେନାଲ୍‌ ପର୍ଯ୍ୟନ୍ତ ପ୍ରକଳ୍ପ କାମ ଏବଂ ନନ୍ଦପଣ୍ତାପଲ୍ଲୀ ଚନ୍ଦନବନ୍ଧ ଠାରୁ ବୁରୁଳା ସାହି ବାରମାଳ ପ୍ରକଳ୍ପ କାମ ଆଦୌ ହୋଇନାହିଁ। ତଥାପି ଲକ୍ଷାଧିକ ଟଙ୍କାର ବିଲ୍ ହୋଇଛି। ଶ୍ରୀଧର ବେହେରା ନାମକ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ଲେବର ପେମେଣ୍ଟ୍‌, ବିଦେଶରେ କାମ କରୁଥିବା ୨୦ ଜଣ ଯୁବକ, ୨ଜଣ ଶଯ୍ୟାଶାୟୀ ବ୍ୟକ୍ତି ଏବଂ ୫ରୁ ଅଧିକ ଛାତ୍ରଙ୍କୁ ମନରେଗା ଶ୍ରମିକ ଦର୍ଶାଇ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ଟଙ୍କା ପଠାଯାଇଛି।  ପୁଲିସ ଓ ପ୍ରଶାସନର ଭୟ ଦେଖାଇ ଦୁର୍ନୀତିକୁ ଚପାଇବାକୁ ଉଦ୍ୟମ କରାଯାଉଛି। ନିଶ୍ଚିତ ଭାବେ ସେ ଏହାର ପର୍ଦ୍ଦାଫାସ୍ କରିବେ ବୋଲି ଶରତ କହିଛନ୍ତି। ଟେକ୍ନିକାଲ୍ ଟିମ୍‌ର ତଦନ୍ତ ରିପୋର୍ଟକୁ ‌ରଫାଦଫା କରିବାକୁ ଗଳାବାଟ ଖୋଜା ଚାଲିଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର