କୋଣାର୍କ: ଐତିହ୍ୟ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଦିଗରେ ଏଏସ୍ଆଇ ତତ୍ପରତା ପ୍ରକାଶ କରିଛି। ମନ୍ଦିରର ସୁରକ୍ଷା ପାଇଁ ଗତ ମାର୍ଚ୍ଚରୁ ବାଲି କଢ଼ାଯାଇଥିଲେ ହେଁ କମ୍ ଦିନ ମଧ୍ୟରେ ତାହା ବନ୍ଦ ହୋଇଯାଇଥିଲା। ତେବେ ଆଜିଠାରୁ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି। କ୍ରେନ୍ ଜରିଆରେ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ଆଜି ପୁନଶ୍ଚ ବିମ୍ ଦିଆଯିବା କାମ ଆରମ୍ଭ ହୋଇଛି। ଏଥିପାଇଁ ଆଜି ମନ୍ଦିର ପରିସରରେ କାର୍ଯ୍ୟାଦେଶ ନେଇଥିବା ସଂସ୍ଥାର ଅଧିକାରୀମାନଙ୍କ ସହ ଏଏସ୍ଆଇର ସ୍ଥାନୀୟ ଅଧିକାରୀ ଦେବେନ୍ଦ୍ର କୁମାର ଉପସ୍ଥିତ ଥିଲେ। ମନ୍ଦିର ପରିସରରେ ଦୀର୍ଘ ମାସ ଧରି ପଡ଼ି ରହିଥିବା ଲୁହା ବିମ୍କୁ କ୍ରେନ୍ ମାଧ୍ୟମରେ ଉଠାଯାଇ ମନ୍ଦିର ପିଢ଼କୁ ସୁରକ୍ଷିତ ରଖିବା ପାଇଁ ଲଗାଯାଉଛି।
ସୂଚନାଯୋଗ୍ୟ, ଦଶନ୍ଧି ଧରି ସୂର୍ଯ୍ୟମନ୍ଦିର ଚାରିପାଖରେ ଲୁହା ପାଇପ୍ ଭାରାରେ ଅଟକାଇ ରଖାଯାଇଥିଲା। ମାତ୍ର ବାରମ୍ବାର ଦାବି ପରେ ଏଏସ୍ଆଇ କର୍ତ୍ତୃପକ୍ଷ ଏହି ଲୁହା ପାଇପ୍କୁ ହଟାଇଥିଲେ। ପାଇପ୍ ହଟାଯିବା ପରେ ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ଥିବା ଘୋଡ଼ାଦ୍ବାର ସମ୍ମୁଖରେ ଥିବା ମନ୍ଦିରର ଦ୍ବିତୀୟ ପିଢ଼କୁ ସୁରକ୍ଷିତ ରଖିବାକୁ ପ୍ରଥମେ ଏକ ସିଙ୍ଗଲ୍ ଲୁହା ବିମ୍ ଦିଆଯାଇଥିଲା। ସିବିଆର୍ଆଇର ଲେଜର୍ ସ୍କାନିଂରୁ ମନ୍ଦିରର ବାଲି ୧୭ ଫୁଟ୍ ଦବିଥିବା ନେଇ ରିପୋର୍ଟ ଆସିଥିଲେ ମଧ୍ୟ ଏଏସ୍ଆଇ ପକ୍ଷରୁ ଏନେଇ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନଥିଲା। ତେବେ ୨୦୨୦ ମସିହା ଫେବ୍ରୁଆରି ୨୮ ଓ ୨୯ ଦୁଇଦିନ ଧରି କୋଣାର୍କରେ ସୂର୍ଯ୍ୟମନ୍ଦିର ସଂପର୍କିତ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଏଏସ୍ଆଇର ତତ୍କାଳୀନ ଡିଜି ଉଷା ଶର୍ମା, ତତ୍କାଳୀନ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ, ସୂର୍ଯ୍ୟମନ୍ଦିର ପାଇଁ ନିଯୁକ୍ତ ଆମିକ୍ୟୁସକ୍ୟୁରୀ ଏନ୍.କେ ମହାନ୍ତି, ଗବେଷକ ଅମୀୟଭୂଷଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ ମନ୍ଦିରର ଗର୍ଭଗୃହରୁ ବାଲି କଢ଼ାଯିବା ନେଇ ଆଲୋଚନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିଲା।
ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ସୂର୍ଯ୍ୟମନ୍ଦିରର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଲୁହା ବିମ୍ ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଘୋଡ଼ାଦ୍ବାର, ହାତୀଦ୍ବାରର ବିଭିନ୍ନ ସ୍ଥାନରେ ସିଙ୍ଗଲ୍ ବିମ ଦିଆଯାଉଛି। ସେହିଭଳି ମନ୍ଦିର ମୁଖଶାଳାର ଗର୍ଭଗୃହରୁ ବାଲି ନିଷ୍କାସନ ପାଇଁ ଆସିଥିବା ଯନ୍ତ୍ରାଶଂଗୁଡ଼ିକୁ ମଧ୍ୟ ଉପଯୁକ୍ତ ସ୍ଥାନରେ ଲଗାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ କ୍ରେନ୍ ଲୁହା ବିମ୍ ଉଠାଇବା ସମୟରେ ଯଦି ମନ୍ଦିରର କାରୁକାର୍ଯ୍ୟ ସଂସ୍ପର୍ଶରେ ଆସେ, ତେବେ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ନଷ୍ଟ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏଏସ୍ଆଇ କର୍ତ୍ତୃପକ୍ଷ ବିକଳ୍ପ ପଦ୍ଧତିରେ ବିମ୍ ଲଗାଇବା କାର୍ଯ୍ୟ କରିବା ପାଇଁ ଦାବି ପ୍ରକାଶ ପାଇଛି।