ଭୁବନେଶ୍ବର: ରାଜ୍ୟରେ ଆଳୁ ଦର ଖସୁନି। ଉତ୍ତରପ୍ରଦେଶରୁ ଆଳୁ ଆସୁଥିଲେ ବି ରାଜ୍ୟରେ ଆଳୁ ସଙ୍କଟ ଦୂର ହେଉନି। ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ବାଭାବିକ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦ୍ବିତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି। ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ସେ ମମତାଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ମାଝୀ କହିଥିଲେ, ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ ହୋଇଥିଲା। ମାତ୍ର କିଛି ଦିନ ପରେ ପୁଣି ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏଥି ପ୍ରତି ଧ୍ୟାନ ଦେଇ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ସେ ଅନୁରୋଧ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Advertisment

ଆଳୁ ଯୋଗାଣ ନେଇ ପଶ୍ଚିମବଙ୍ଗର ଆଭିମୁଖ୍ୟ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡ଼ୁନି। ଏବେ ବି ଓଡ଼ିଶାକୁ ଆସୁଥିବା ଆଳୁକୁ ସୀମାରୁ ଫେରାଇ ନିଆଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲା ପରେ ସ୍ଥିତିରେ କେତେଦୂର ସୁଧାର ଆସୁଛି, ତାହା ଦିନେ ଦୁଇ ଦିନ ଭିତରେ ଜଣାପଡ଼ିବ। ତେବେ ଆଜି ରାଜ୍ୟରେ ଆଳୁ ଦର ସବୁଠି ଉଚ୍ଚା ରହିଛି। ସମ୍ବଲପୁରଠାରୁ ବାଲେଶ୍ବର, ବ୍ରହ୍ମପୁର ଠାରୁ ବଲାଙ୍ଗୀର ସବୁଠି ଆଳୁ ଦର ୪୦ରୁ ୪୫ ଟଙ୍କା ଭିତରେ। ଏପରିକି ବହୁ ଗ୍ରାମାଞ୍ଚଳରେ ଏହି ଦର ୫୦ ଛୁଇଁଗଲାଣି। ଖୋଦ୍ ଭୁବନେଶ୍ବର ଓ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରେ ବି ଆଳୁ ଦର ୪୦ ଉପରେ ରହୁଛି। ତାହା ଠାରୁ କମ୍ ଦରରେ ବିକିବା ସମ୍ଭବ ନୁହେଁ ବୋଲି ଦୋକାନୀମାନେ ରୋକ୍‌ଠୋକ୍ ଜଣାଇ ଦେଉଛନ୍ତି। ସରକାର କେବଳ ମହାନଗର ନିଗମ ଅଞ୍ଚଳରେ ୧୦୦ ଟଙ୍କାରେ ତିନି କେଜି ଆଳୁ ବିକିବା ଆରମ୍ଭ କରିଛନ୍ତି। ସବୁ ମହାନଗର ନିଗମରେ ବି ଏ ଯାଏ ବିକ୍ରି ଆରମ୍ଭ ହୋଇ ନାହିଁ। କିନ୍ତୁ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ସମାନ ତରିକାରେ ଆଳୁ ବିକିବାକୁ ଦାବି ହେଲାଣି।