ମାଛ, ଅଣ୍ଡା ଉତ୍ପାଦନରେ ସମସ୍ୟା ବଢ଼ୁଛି, ସମାଧାନ ପାଇଁ ମନ୍ତ୍ରୀଙ୍କୁ ଭେଟି‌ଲେ ଦୁଇ ସଂଘ

ଭୁବନେଶ୍ବର : ରାଜ୍ୟରେ ମାଛ ଓ ଅଣ୍ଡା ଉତ୍ପାଦନରେ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି। ସମୁଦ୍ର ଉପକୂଳରେ ଟ୍ରଲର୍ ଦ୍ବାରା ମାଛଧରା କ୍ଷେତ୍ରରେ ବହୁ ବାଧା ସୃଷ୍ଟି ହେଉଥିଲା ବେଳେ ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଓ ବିକ୍ରି ମୂଲ୍ୟରେ ହ୍ରାସ କୁକୁଡ଼ା ଚାଷୀମାନଙ୍କୁ ନାକେଦମ୍ କଲାଣି। ଏସବୁ ସମସ୍ୟାର ସମାଧାନ ପାଇଁ ଆଜି ଓଡ଼ିଶା ଫିସ୍ ପ୍ରଡ୍ୟୁସର୍ ଫେଡେରେସନ୍ ଓ ଓଡ଼ିଶା ଲେୟର୍ ଫାର୍ମର୍ସ ‌ଆସୋସିଏସନ୍‌ର କର୍ମକର୍ତ୍ତାମାନେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁଙ୍କୁ କୃଷି ଭବନରେ ପୃଥକ୍ ପୃଥକ୍ ଭାବେ ଭେଟି ଆଲୋଚନା କରିଛନ୍ତି।

ଓଡ଼ିଶା ଫିସ୍ ପ୍ରଡ୍ୟୁସର୍ ଫେଡେରେସନ୍ ସହ ଆଲୋଚନା ବେଳେ ଭିତରକନିକା ଅଭୟାରଣ୍ୟରେ ଅଲିଭ୍‌ ରିଡ୍‌‌େଲ୍‌ କଇଁଛ ଅଣ୍ଡା ଦେବା ପରିପ୍ରେକ୍ଷୀରେ ସମୁଦ୍ର ମାଛଧରା ନିଷିଦ୍ଧ ସମୟସୀମାକୁ ହ୍ରାସ କରାଯିବା, ବର୍ତ୍ତମାନର ସମୁଦ୍ର ଭିତରକୁ ନିଷିଦ୍ଧ କରାଯାଇଥିବା ସୀମାକୁ କମ୍ କରିବା, ମାଛଧରା ବନ୍ଦରର ନଦୀ ମୁହାଣଗୁଡ଼ିକ କ୍ରମଶଃ ପୋତି ହୋଇଯାଉଥିବାରୁ ଟ୍ରଲର୍‌ଗୁଡ଼ିକ ଯିବାଆସିବାରେ ବାଧା ଉପୁଜୁଥିବା ପରିପ୍ରେକ୍ଷୀରେ ନଦୀ ମୁହାଣଗୁଡ଼ିକ ଖୋଳିବା ଆଦି ଉପରେ ଆଲୋଚନା ହୋଇଥିଲା। ଏହା ସହିତ ଡିଜେଲ୍‌ରେ ସବ୍‌ସିଡି ଦେବା, ମାଛଧରା ଡଙ୍ଗାର ଇଞ୍ଜିନ୍ ଓ ଉପକରଣ ଉପରେ ଟିକସ ରିହାତି ନିମନ୍ତେ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକୁ ପ୍ରୋତ୍ସାହନ ଓ ମତ୍ସ୍ୟଜୀବୀମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାର ସୁଯୋଗ ନେଇ ଓଡ଼ିଶାର ମତ୍ସ୍ୟଜୀବୀମାନେ ରାଜ୍ୟକୁ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟରେ ପରିଣତ କରିବାକୁ କାର୍ଯ୍ୟ କରନ୍ତୁ। ଫେଡେରେସନ୍‌ ପକ୍ଷରୁ ଉପସ୍ଥାପନ କରାଯାଇଥିବା ସମସ୍ୟା ସମ୍ପର୍କରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ସହ ବୈଠକ କରି ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। ବୈଠକରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସମେତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସଚିବ ଆର୍ ରଘୁ ପ୍ରସାଦ, ମତ୍ସ୍ୟ ନିର୍ଦ୍ଦେଶକ ତିରୁମଲା ନାୟକ, ଫେଡେରେସନ୍‌ର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଓଡ଼ିଶା ଲେୟର୍ସ ଫାର୍ମର୍ସ ଆସୋସିଏସନ୍ ପକ୍ଷରୁ କୁହାଯାଇଥିଲା, କୁକୁଡ଼ା ଖାଦ୍ୟର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ରାଜ୍ୟର ସମସ୍ତ ଅଞ୍ଚଳରେ ଏକକ ବିଦ୍ୟୁତ ହାର ପ୍ରଚଳନ, ସରକାରୀ ସଂସ୍ଥାକୁ ଅଣ୍ଡା ଚାଷୀଙ୍କ ଦ୍ବାରା ସିଧାସଳଖ ଅଣ୍ଡା ବିକ୍ରି ଏବଂ କୁକୁଡ଼ା ଖାଦ୍ୟ କଞ୍ଚାମାଲ୍‌ ଉପରେ ଜିଏସ୍‌ଟି, ନିୟନ୍ତ୍ରିତ ବଜାର କମିଟି ଦ୍ବାରା ବିପଣନ ଟିକସ ଆଦାୟ, ଓଡ଼ିଶା କୁକୁଟ ନୀତିକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ଏବଂ ଅଣ୍ଡାଦିଆ କୁକୁଡ଼ା ଚାଷୀଙ୍କ ପାଇଁ ମୂଳ ପୁଞ୍ଜିନିବେଶ ଉପରେ ରିହାତି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କୁକୁଡ଼ା ପାଳନ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରି ଓଡ଼ିଶାକୁ ଏକ ବଳକା ରାଜ୍ୟରେ ପରିଣତ କରିବାକୁ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ସୂଚନା ଦେବା ସହ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ବିଭାଗୀୟ ସଚିବଙ୍କ ସମେତ ଆସୋସିଏସନ୍‌ର ସଭାପତି ମାନସ ରଞ୍ଜନ ମଙ୍ଗରାଜ, ଆପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରେନ୍ଦୁ ଶେଖର ଦେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର