ବିଜେପୁରରେ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଲେ ଯୁବକ

ବରଗଡ଼: ପୁଣି ଘଟିଛି ଏକ ଅଭାବନୀୟ ଘଟଣା। ରାଜନୈତିକ ଅସହିଷ୍ଣୁତାର ଏକ କୁରୂପ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା କୁମ୍ଭାରୀରେ। ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାରକୁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ମଙ୍ଗଳବାର ଚପଲ ଫିଙ୍ଗା ଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ବରପାଲିରୁ ଦୀର୍ଘ ୬ କିଲୋମିଟର ରୋଡ଼ ସୋ’ କରି କୁମ୍ଭାରୀ ଠାରେ ପହଞ୍ଚି ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଭାଷଣ ଦେବା ଆରମ୍ଭ କରିବା ମାତ୍ରେ ମଞ୍ଚ ତଳୁ ଜଣେ ଯୁବକ ହଠାତ ବାହାରି ଆସି ମୁଖ୍ୟମନ୍ତ୍ରୀକୁ ଲକ୍ଷ୍ୟ କରି ଚପଲ ଫିଙ୍ଗି ଥିଲେ। ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜିବା ପୂର୍ବରୁ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀମାନେ ସାମ୍ନାରେ ଛିଡ଼ା ହୋଇ ଯାଇଥିଲେ ଓ ମୁଖ୍ୟମନ୍ତ୍ରୀକୁ କର୍ଡନ କରି ଦୂରକୁ ନେଇ ଯାଇଥିଲେ। ଏହାପରେ ଚପଲ ଫିଙ୍ଗିଥିବା ଯୁବକଙ୍କୁ ପୁଲିସ ଓ ବିଜେଡି କର୍ମୀ କାବୁ କରି ନେଇଥିଲେ। ସୂଚନା ମିଳିଛି କି ସେ ଜଣେ ବିଜେପି କର୍ମୀ ଓ ତାଙ୍କର ଘର ବରଗଡ଼ ଜିଲ୍ଲା ଖରମୁଣ୍ଡା ଅଞ୍ଚଳରେ।

ଚପଲମାଡ଼ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ସେ କହିଛନ୍ତି, ବିଜେଡି ସଭାକୁ ଭଣ୍ଡୁର କରିବା ପାଇଁ ଏହା ଏକ ଚକ୍ରାନ୍ତ ଚଲାଇଛି। ବିଜେପୁର ଉପ-ନିର୍ବାଚନ ହାରିବା ଭୟରେ ଏପରି କରିଛି। ଏହା ବିଜେପିର ଏକ ସୁଚିନ୍ତିତ ଚାଲ।

ଅନ୍ୟପକ୍ଷରେ ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଅଣ୍ଡା କିମ୍ବା ଚପଲମାଡ଼ ନିନ୍ଦନୀୟ। ଚପଲମାଡ଼ ଉଦ୍ୟମକୁ ଆମେ ନିନ୍ଦା କରୁଛୁ। ଆକ୍ରମଣ ଘଟଣାକୁ ନିନ୍ଦା କରୁଛୁ ବୋଲି ମହାନ୍ତି କହିଛନ୍ତି। ତଦନ୍ତ ପରେ ସବୁ କଥା ସାମ୍ନାକୁ ଆସିବ। ସେହିଭଳି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ବିଜେପି ଲୋକତନ୍ତ୍ରରେ ବିଶ୍ୱାସ କରେ। ହିଂସାତନ୍ତ୍ରରେ ନୁହେଁ। ଜୋତାମାଡ଼ କରିଥିବା ବ୍ୟକ୍ତି ବିଜେପିର କର୍ମୀ ନୁହଁନ୍ତି। ଆଜି ଯାହା ଘଟିଲା ସେଥିପାଇଁ ଶାସକ ଦଳ ଦାୟୀ।

ସମ୍ବନ୍ଧିତ ଖବର