ଭୋଗରାଇ: ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ଼

ବିଜେପି କର୍ମୀଙ୍କ ପତ୍ନୀଙ୍କ ସହ ୨ ଅଟକ, ବାଲିଆପାଳ ଥାନା ଘେରିଲେ ବିଜେପି କର୍ମୀ

ବାଲେଶ୍ୱର : ତାଳସାରୀ ବେଳାଭୂମି ମହୋତ୍ସବରେ ଆଜି ଅଘଟଣ ଘଟିଛି। ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲକ୍ଷ୍ୟକରି କେତେକ ମହିଳା ଅଣ୍ଡାମାଡ଼ କରିଛନ୍ତି। ଅଣ୍ଡା ଉପସ୍ଥିତ ଜଣେ କର୍ମୀଙ୍କ ଦେହରେ ବାଜିଛି ଓ ସଭାମଞ୍ଚରେ ପଡ଼ିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଣ୍ଡାମାଡ଼ କରିଥିବା ସଂପୃକ୍ତ ମହିଳାଙ୍କୁ ପୁଲିସ କାବୁକରି ନେଇଥିଲା। ତେବେ ଦଳୀୟ କର୍ମୀମାନେ ପୁଲିସ ହାତରୁ ମହିଳାଙ୍କୁ ଛଡ଼ାଇ ନେଇ ମାଡ଼ ମାରିଥିଲେ।

ଏହାପୂର୍ବରୁ ବାଲେଶ୍ୱରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇଛନ୍ତି ବିଜେପି କର୍ମୀ। ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ପ୍ରତିମୂର୍ତି ଉନ୍ମୋଚନ କଲାବେଳେ କିଛି ବିଜେପି କର୍ମୀ ନିକଟସ୍ଥ ଏକ ଘର ଛାତରେ ଚଢ଼ି କଳାପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଗୋ ବ୍ୟାକ୍‌ ନାରା ଦେଇଥିଲେ। ଏହାକୁ ଦେଖି ବିଜେଡି କର୍ମୀମାନେ ତାତି ଉଠିଥିଲେ। ସେମାନେ ଉକ୍ତ କୋଠାକୁ ଘେରିଯାଇ ଟେକାପଥର ମାଡ଼ କରିଥିଲେ। ଏହି ଘଟଣା ପରେ ଆଖପାଖର ଦୋକାନ ବଜାର ବନ୍ଦହୋଇ ଯାଇଥିଲା। ମୁଖ୍ୟମନ୍ତ୍ରୀ ଯିବା ପରେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟାମାନେ ରାସ୍ତାରେ ଗୋବର ପାଣି ପକାଇ ଝାଡ଼ୁରେ ଓଳାଇଥିଲେ।

ମୁଖ୍ୟମନ୍ତ୍ରୀ ଆଜି ଦିନ ୧ଟା ୪୫ରେ ହେଲିପ୍ୟାଡ୍‌ରୁ ଓହ୍ଲାଇ ଓଟିଡିସି ପାନ୍ଥଶାଳାକୁ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ। ପରେ ସେଠାରୁ ବାହାରି ୩ଟାରେ ପହଞ୍ଚିଥିଲେ ସଭାମଂଚରେ। ମଂଚରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଅଧ୍ୟକ୍ଷତା କରୁଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଓ କୋରେଇ ବିଧାୟକ ଆକାଶଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ମିନିଟିଏ ଦେଢ଼ ମିନିଟ ଭାଷଣ ଦେବା ପରେ ୩ଟା୧୫ରେ ଉଠିଥିଲେ ମୁଖ୍ୟମନ୍ତ୍ରୀ। ସେ ମିନିଟିଏ ଭାଷଣ ଦେଇଛନ୍ତି କି ନାହିଁ ମଞ୍ଚ ଉପରେ ଲାଗ ଲାଗ ପଡ଼ିଥିଲା ତିନି ତିନିଟି ଅଣ୍ଡା। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଏତେ କ୍ଷୁବ୍ଧ ହୋଇ ଯାଇଥିଲେ ଯେ ଦେଢ଼ ମିନିଟ ପର୍ଯ୍ୟନ୍ତ ଭାଷଣ ବନ୍ଦକରି ଦେଇଥିଲେ। ତା’ପରେ ସଂକ୍ଷେପରେ ନିଜ ବକ୍ତବ୍ୟ ସାରି ମଂଚରୁ ଓହ୍ଲାଇ ଆସି ସିଧା କାର୍‌ରେ ବସି ହେଲିପ୍ୟାଡ୍‌କୁ ଯାଇଥିଲେ।

ମୁଖ୍ୟମନ୍ତ୍ରୀ ଫେରିଯିବା ପରେ କର୍ମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଣ୍ଡା ଫିଙ୍ଗିଥିବା ମହିଳା। ଦଳୀୟ କର୍ମୀଙ୍କ ମାଡ଼ରେ ଆହତ ମହିଳାଙ୍କୁ ପୁଲିସ ତୁରନ୍ତ ବାଲେଶ୍ୱର ହସପିଟାଲକୁ ପଠାଇ ଦେଇଥିଲା। ଅଣ୍ଡାମାଡ଼ କରିଥିବା ମହିଳାଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ରାଜଶ୍ରୀ କମିଳା। ତାଙ୍କ ଘର ଚନ୍ଦନେଶ୍ୱର ଅଞ୍ଚଳରେ। ରାଜଶ୍ରୀଙ୍କ ସ୍ୱାମୀ ଦିଲ୍ଲୀପ କମିଳା ଜଣେ ବିଜେପି କର୍ମୀ। ଆଜି ସକାଳୁ ପୁଲିସ ଦିଲ୍ଲୀପଙ୍କୁ ଧରିନେଇ ଅଟକ ରଖିଛି। ଏହାର ପ୍ରତିଶୋଧ ନେବାକୁ ରାଜଶ୍ରୀ ଏଭଳି କାଣ୍ଡ ଘଟାଇଥିବା ପୁଲିସ କହିଛି। ଏ ଘଟଣାରେ ପୁଲିସ କେତେଜଣଙ୍କୁ ଅଟକ ରଖିଛି, କହୁନାହିଁ। ତେବେ ରାଜଶ୍ରୀଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଥାନାରେ ଅଟକ ରଖିଥିବା ସ୍ଥାନୀୟ ଲୋକେ କହୁଛନ୍ତି।

ବିଳମ୍ବରେ ମିଳିଥିବା ଖବର ଅନୁଯାୟୀ ପ୍ରଥମେ ପୁଲିସ ତାଙ୍କୁ ଭୋଗରାଇରୁ ଉଠାଇ ଆଣି ବାଲିଆପାଳ ଥାନାରେ ଅଟକ ରଖିଥିଲା। ଖବର ପାଇ ବିଜେପି କର୍ମୀମାନେ ଥାନା ଘେରଉ କରିଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଶତାଧିକ ବିଜେପି କର୍ମୀ ଥାନାକୁ ଘେରି ରହିଛନ୍ତି। ପରିସ୍ଥିତିର ମୁକାବିଲା ଲାଗି ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର