ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ଼ ଘଟଣା : ଏସ୍‌ସିବିରେ ରାଜଶ୍ରୀ

ଦଫା ‘୩୦୭’ ଉଠାଇନେଲା ପୁଲିସ

ଜଳେଶ୍ୱର/ବାଲେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ଼ ଅଭିଯୋଗରେ ଜେଲ୍‌ରେଥିବା ରାଜଶ୍ରୀ କାମିଳାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଗଭୀର ଅବନ୍ନତି ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ୱର ଜି.କେ ଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱର ସ୍ଥାନାନ୍ତର କରା ଯାଇଥିଲା। ହେଲେ ଅବସ୍ଥା ଅଧିକ ଜଟିଳ ହେବାରୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଆଜି ସକାଳେ ହଠାତ୍‌ ରାଜଶ୍ରୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ପୁଲିସ ସହାୟତାରେ ଜି.କେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ। ଭେଷଜ ବିଶେଷଜ୍ଞ ଡା. ବିନୋଦ ପ୍ରଧାନ ରାଜଶ୍ରୀଙ୍କ ଚିକିତ୍ସା କରିଥିଲେ। ବାନ୍ତି ହେଉଛି, ରକ୍ତଚାପ କମିଯାଇଛି ଜାଣି ତୁରନ୍ତ ବାଲେଶ୍ୱର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ଗୁରୁତର ରାଜଶ୍ରୀଙ୍କୁ ଅକ୍ସିଜେନ୍‌ ଲଗାଇ ଆମ୍ବୁଲାନ୍ସରେ ବାଲେଶ୍ୱର ଅଣାଯାଇଥିଲା। ପରିସ୍ଥିତିରେ ସୁଧାର ନଆସିବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

୩୧ ତାରିଖ ଦିନ ତାଳସାରୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ କରିଥିଲେ ରାଜଶ୍ରୀ। ଏହାପରେ ପୁଲିସ ତାଙ୍କୁ ଭିଡ଼ି ଭିଡ଼ି ନେବା ବେଳେ କିଛି ଲୋକ ରାଜଶ୍ରୀଙ୍କୁ ନିର୍ଧୁମ ମାଡ ମାରିିଥିବା ଅଭିଯୋଗ ହୋଇଥିଲା। ପୁଲିସ ତାଙ୍କୁ ରାତି ୮ଟା ପର୍ଯ୍ୟନ୍ତ ବାଲିଆପାଳ ଥାନାରେ ଅଟକ ରଖିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେହି ରାତିରେ ବାଲେଶ୍ୱର ହସ୍ପିଟାଲକୁ ଆଣିଥିଲା। ତିନିଦିନ ଚିକିତ୍ସା ହେବା ପରେ ଗତ ୩ ତାରିଖ ଦିନ ରାଜଶ୍ରୀଙ୍କୁ କୋର୍ଟ ଚାଲାଣ କରିଥିଲା ପୁଲିସ। ସେଥିପାଇଁ ତାଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସକୁ ନେଇଥିଲା। ବାଟରେ ପୁଣି ଆମ୍ବୁଲାନ୍ସରୁ ବାହାର କରି ପୁଲିସ ଗାଡ଼ିରେ ବସାଇ କୋର୍ଟକୁ ନେଇଥିଲା। ହାଜର ବେଳେ ଜେଏମଏଫସି ରାଜଶ୍ରୀଙ୍କ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଜଳେଶ୍ୱର ସବ୍‌ଜେଲ୍‌ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲା।

ଏଣେ ପୁଲିସ ଆଜି ରାଜଶ୍ରୀଙ୍କ ବିରୋଧରେ ଲଗାଇଥିବା ହତ୍ୟା ଭଳି ସଂଗୀନ ଦଫା ୩୦୭କୁ ହଟାଇ ନେଇଛି। ଏ ସଂପର୍କରେ ସୂଚନା ଦେଇଛନ୍ତି ବାଲେଶ୍ୱରର ଅତିରିକ୍ତ ଏସପି ସନ୍ତୋଷ କୁମାର ନାୟକ। କୋର୍ଟରେ ହାଜର ବେଳେ ୩୦୭ ଦଫା ବାବଦରେ ଅଦାଲତ କଟୁ ମନ୍ତବ୍ୟ ଦେବାରୁ ପୁଲିସ ବାଧ୍ୟହୋଇ ଏପରି କରିଥିବା ଜଣାପଡ଼ିଛି। ଏଣେ ବିଜେପି ଘଟଣାକୁ ନେଇ ପୁଲିସ ଉପରେ ବର୍ଷିଛି। ଜିଲ୍ଲାର ନେତାମାନେ କହିଛନ୍ତି ରାଜଶ୍ରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇଛି। ହସ୍ପିଟାଲରୁ ନେବାପରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଛି। ଫଳରେ ସେ ଅଧିକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଣେ ଜିଲ୍ଲା ପୁଲିସ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛି।

ସମ୍ବନ୍ଧିତ ଖବର