ରାଜଶ୍ରୀଙ୍କୁ ଭେଟିବାକୁ ଆସି ସ୍ୱାମୀ ନିରାଶ

କଟକ : ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଅଣ୍ଡାମାଡ଼ କରିଥିବା ରାଜଶ୍ରୀ କାମିଳାଙ୍କୁ ଭେଟିବାକୁ ଆଜି ତାଙ୍କ ସ୍ୱାମୀ ଦିଲ୍ଲୀପ କାମିଳା ଫୁଲତୋଡ଼ା ସହ ଏସ୍‌ସିବି ମେଡିକାଲ୍‌କୁ ଆସିଥିଲେ। କିନ୍ତୁ ନିୟୋଜିତ ଥିବା ପୁଲିସ୍‌ କର୍ମଚାରୀମାନେ ଦିଲ୍ଲୀପଙ୍କୁ ରାଜଶ୍ରୀଙ୍କ ସହିତ ଭେଟିବାକୁ ଦେଇନଥିଲେ। ବରଂ କ୍ୟାବିନ୍‌ ଗ୍ରୀଲ୍‌ ପାଖରୁ ସେ ଦେଖନ୍ତୁ ବୋଲି କୁହାଯାଇଥିଲା। ସୁରକ୍ଷାକର୍ମୀମାନେ ତାଙ୍କୁ ନଛାଡ଼ିବାରୁ ଶେଷରେ ନିଜ ଓକିଲ ସହ ସେ ନିରାଶ ହୋଇ ମେଡିକାଲ୍‌ରୁ ଫେରିଥିଲେ। କ୍ୟାବିନ୍‌ ପାଖରୁ ନିରାଶରେ ଫେରିବା ପରେ ସେ ଗଣମାଧ୍ୟମ ଆଗରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ରାଜଶ୍ରୀଙ୍କ ଏମ୍‌ଆର୍‌ଆଇ ରିପୋର୍ଟ ଆଜି ଆସିଛି। ତାଙ୍କର ରିପୋର୍ଟ ସ୍ୱାଭାବିକ ଥିବା ରେଡିଓଲୋଜିଷ୍ଟ କହିଛନ୍ତି। ଉକ୍ତ ରିପୋର୍ଟକୁ ନ୍ୟୁରୋଲୋଜି ଡାକ୍ତର ଦେଖିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ତାଙ୍କର ବିଭିନ୍ନ ପରୀକ୍ଷା ରିପୋର୍ଟ ଆସିଯାଇଥିଲାବେଳେ ସବୁ ରିପୋର୍ଟ ଠିକ୍‌ ରହିଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର