ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ଼ ମାମଲା : ରାଜଶ୍ରୀଙ୍କୁ କୋର୍ଟଚାଲାଣ

ଜଳେଶ୍ୱର : ତାଳସାରୀ ବେଳାଭୂମି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ଼ କରି ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ରାଜଶ୍ରୀ କମିଳାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଜଳେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟରେ ଆଜି ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ରାଜଶ୍ରୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ କେସ୍‌ ଡାଏରି ଦାଖଲ କରିବା ପରେ ପରବର୍ତ୍ତୀ ଶୁଣାଣି ୮ ତାରିଖରେ ହେବ ବୋଲି ଜେଏମ୍‌ଏଫ୍‌ସି ସୁମିତ୍ରା ସାହୁ ଦିନ ଧାର୍ଯ୍ୟ କରିଛନ୍ତି। ଏଥିସହ ରାଜଶ୍ରୀ ଅସୁସ୍ଥ ଥିବାରୁ ତାଙ୍କର ସ୍ୱତନ୍ତ୍ର ଚିକିତ୍ସା କରାଇବା ପାଇଁ ବିଚାରପତି ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସଂଧ୍ୟାରେ ଏକ ଏସ୍କର୍ଟ ଗାଡ଼ି ସହ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ବାଲେଶ୍ୱରରୁ ରାଜଶ୍ରୀଙ୍କୁ ଅଣାଯାଇ ଜଳେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ପୁଲିସ ବେଶ୍‌ ସତର୍କତାର ସହ ଗୋପନୀୟଭାବେ ଏସବୁ କରିଥିଲା। ଜାତୀୟ ରାଜପଥର ଲକ୍ଷ୍ମଣନାଥ ନିକଟରେ ରାଜଶ୍ରୀଙ୍କୁ ଆମ୍ବୁଲାନ୍ସରୁ ବାହାର କରି ପୁଲିସ ଗାଡ଼ିରେ ନିଆଯାଇଥିଲା। ଏସ୍‌ଡିପିଓ ରାମଚନ୍ଦ୍ର ଗୌଡୁଙ୍କ ନେତୃତ୍ୱରେ ୪ ଅଧିକାରୀ, ଏକ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଥିଲେ। ସହରର ବିଭିନ୍ନ ଛକରେ ମଧ୍ୟ ପୁଲିସ ଜଗିଥିଲେ। ରାଜଶ୍ରୀଙ୍କୁ ନେଇ ଯାଉଥିବା ପୁଲିସ ଗାଡ଼ିକୁ ସାମ୍ବାଦିକମାନେ ପିଛା କରିବାରୁ ଗାଡ଼ିଟି ସହର ମଧ୍ୟରେ ଚକ୍କର କାଟିଥିଲା। ମାତ୍ର ରାତି ହୋଇଯିବାରୁ ଶେଷରେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟକୁ ପୁଲିସ ଏକପ୍ରକାର ଘେରଉ କରି ରଖିଥିଲା।

ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ଼ ଘଟଣା : ପୁଲିସ ଡିଜିଙ୍କୁ ବିଜେପିର ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀଠାରେ ମୁଖ୍ୟମନ୍ତ୍ରୀ ସଭା ମଂଚକୁ ଅଣ୍ଡାମାଡ଼ କରିଥିବା ମହିଳାଙ୍କୁ ପୁଲିସ ଉପସ୍ଥିତିରେ ବିଜେଡି କର୍ମୀମାନେ ଟାଣି ଟାଣି ଆକ୍ରମଣ କରିଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ନେଇ ବିଜେପି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଏନେଇ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧିଦଳ ଆଜି ପୁଲିସ ମହାନିର୍ଦେଶକ ଡା.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏହି ପ୍ରତିନିଧିଦଳରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ମୁଖପାତ୍ର ସଜ୍ଜନ ଶର୍ମା, ସମ୍ପାଦକ କାଳନ୍ଦୀ ସାମଲ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ, ଉର୍ମିଳା ମହାପାତ୍ର, ରାଜେନ୍ଦ୍ର ପଣ୍ଡା, କସ୍ତୁରୀ ମିଶ୍ର, ସୁନୀତା ମହାନ୍ତି, ପଂଚାନନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର