ଶ୍ରମମନ୍ତ୍ରୀଙ୍କ ସଭାରେ କର୍ମୀଙ୍କ ଅଣ୍ତାମାଡ଼ : ଆକ୍ରମଣକାରୀକୁ ନିସ୍ତୁକ ମାଡ଼

ସଇଁନ୍ତଲା : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ରେମଣ୍ଡା ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବସରରେ ଚାଲିଥିବା ସାଧାରଣ ସଭାରେ ଜ‌େଣ ଦଳୀୟ କର୍ମୀ ଅଣ୍ଡାମାଡ଼ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ସଂପୃକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି।

ପ୍ରକାଶ ଯେ, ଶୁକ୍ରବାର ସଇଁନ୍ତଲା ନବୀନ ଛକଠାରୁ ବିଜେଡି ଜନସମ୍ପର୍କ ପଦଯାତ୍ରା ବାହାରିଥିଲା। ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁଙ୍କ ନେତୃତ୍ବରେ ହୋଇଥିବା ଏହି ପଦଯାତ୍ରା ନବୀନ ଛକରୁ ବାହାରି ଶଙ୍କର ଚୌକ, ଜଗନ୍ନାଥ ମନ୍ଦିର, ରମେଶ ଚୌକ, ବାପୁଜୀ ଛକ ପରିକ୍ରମା କରିବା ପରେ ଚଣ୍ଡୀ ମନ୍ଦିରରେ ପହ˚ଚିଥିଲା। ମନ୍ଦିରରେ ପୂଜାର୍ଚ୍ଚନା ପରେ ପଦଯାତ୍ରା ବୁଢ଼ାବାହାଲର ରେମଣ୍ତାକୁ ଯାଇଥିଲା। ରେମଣ୍ତାରେ ଅନୁଷ୍ଠିତ ସାଧାରଣ ସଭାରେ ମଂଚାସୀନ ଶ୍ରମମନ୍ତ୍ରୀ ସୁଶାନ୍ତ ସି˚ହଙ୍କୁ ଲକ୍ଷ୍ୟ କରି ଜଣେ କର୍ମୀ ଅଣ୍ଡା ମାଡ଼ କରିଥିଲେ। ତେବେ, ଗେଟ୍‌ ପାଖରେ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀ ନିକଟରେ ଅଣ୍ଡାଟି ପଡ଼ିଥିଲା।

ଏହି ଘଟଣା ପରେ ସେଠାରେ ଉପସ୍ଥିତ ବ‌ିଜେଡି କର୍ମୀମାନେ ସଂପୃକ୍ତ ଯୁବକଙ୍କୁ ମାରପିଟ୍‌ କରିଥିଲେ। ପୁଲିସ ଯୁବକଙ୍କୁ ଉଦ୍ଧାର କରି ଗାଡ଼ିକୁ ଆଣିଥିଲେ। ତେବେ, ଏହି ସମୟରେ କୁଆଡ଼େ ମନ୍ତ୍ରୀ ଶ୍ରୀ ସିଂହ ସଭା ମଂଚରୁ ଓହ୍ଲାଇ ପୁଲିସ ଗାଡ଼ି ପାଖକୁ ଆସିଥିଲେ ଓ ଗାଡ଼ିରେ ପଶି ଯୁବକଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହେଉଛି। ଘଟଣା ପରେ ପୁଲିସ ଯୁବକଙ୍କୁ କୌଣସି ଏକ ଗୁପ୍ତ ସ୍ଥାନକୁ ନେଇ ପଚରାଉଚରା କରୁଥିବା ଜଣାଯାଇଛି।

ଘଟଣା ସଂପର୍କରେ ଏସଡିପିଓ ସରୋଜ ମହାପାତ୍ରଙ୍କୁ ପଚରାଯିବାରୁ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚାଲିଥିବା କହିଛନ୍ତି। ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଥିବା ଏବଂ ସେ ଜଣେ ବିଜେଡି କର୍ମୀ ବୋଲି ଏସଡିପିଓ ଶ୍ରୀ ମହାପାତ୍ର କହିଥିବାବେଳେ ତାଙ୍କ ପରିଚୟ ପ୍ରକାଶ କରିନାହାନ୍ତି।

ସମ୍ବନ୍ଧିତ ଖବର