ମହାଦେବଙ୍କୁ ଅଣ୍ଡାମାଡ଼! : ଭକ୍ତ ମହଲରେ ତୀବ୍ର ଅସନ୍ତୋଷ, ଗୋପ ପୋଲିସର ତଦନ୍ତ ଆରମ୍ଭ

ଗୋପ/ପୁରୀ : ପୁରୀ ଜିଲ୍ଲା ଗୋପ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳେଶ୍ୱର ମହାଦେବଙ୍କ ମନ୍ଦିରକୁ ଅଣ୍ଡାମାଡ଼ ହୋଇଛି। କେବଳ ମନ୍ଦିର ନୁହେଁ, ମହାଦେବଙ୍କ ବାହନ ବୃଷଭ ଓ ମା ପାବର୍ତୀଙ୍କ ଉପରକୁ ବି ଅଣ୍ଡାମାଡ଼ ହୋଇଛି। କେହି ଦୁର୍ବୃତ୍ତ ମନ୍ଦିର ଉପରକୁ ଏକାଦିକ୍ରମେ ୮ଟି ଅଣ୍ଡାମାଡ କରିଛି। ରଜ ସଂକ୍ରାନ୍ତିରେ ଏଭଳି ଘଟଣା ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏ ନେଇ ଗୋପ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗୋପ ବ୍ଲକ କାର୍ଯ୍ୟାଳୟ ଓ ଗୋପ ଥାନା ମଧ୍ୟରେ ଥିବା ଏହି ମନ୍ଦିରକୁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସନ୍ତି। ଆଜି ରଜ ସଂକ୍ରାନ୍ତିରେ ମନ୍ଦିରରେ ପ୍ରବଳ ଜନ ସମାଗମ ହୋଇଥିବା ବେଳେ ମହାଦେବଙ୍କୁ ଅଣ୍ଡା ମାଡ ଶ୍ରଦ୍ଧାଳୁଙ୍କୁ ଶକ୍ତ ଆଘାତ ଦେଇଛି। ଏ ନେଇ ମନ୍ଦିର ପୂଜକ ଗୋପ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୂଜକ ବୁଦ୍ଧନାଥ ନାୟକଙ୍କ କହିବାନୁଯାୟୀ, ଶୁକ୍ରବାର ସକାଳେ ମନ୍ଦିର ଖୋଲିବା ସମୟରେ ସେ ଅଣ୍ଡାମାଡ଼ ହୋଇଥିବା ଦେଖିବାକୁ ପାଇଥିଲେ। କିଛି ଅଣ୍ଡାର ଲାଳ ଓ ଖୋଳପା ମନ୍ଦିର କାନ୍ଥରେ ଲାଗିଥିବା ବେଳେ ଆଉ କିଛି ମହାଦେବ, ମା ପାର୍ବତୀ ଓ ବୃଷଭଙ୍କ ଉପରେ ଲାଗିଥିବା ଦେଖିବାକୁ ମିଳିଥିଲା। ଅଣ୍ଡା ଗନ୍ଧରେ କେହି ଭକ୍ତ ମନ୍ଦିରକୁ ଯାଇପାରିନଥିଲେ। ତେବେ ରଜ ସଂକ୍ରାନ୍ତିରେ କୌଣସି ବାଦବିବାଦ ସୃଷ୍ଟି ନକରି ମହାଦେବଙ୍କୁ ମହାସ୍ନାନ କରାଯିବା ପରେ ସଂକ୍ରାନ୍ତି ପୂଜା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର