ସମ୍ବଲପୁରରେ ‘ଅଣ୍ଡା ବାଇଗଣ’

ସମ୍ବଲପୁର: ‘ଅଣ୍ଡା ବାଇଗଣ’ କହିଲେ ବାଇଗଣ ସହ ଅଣ୍ଡା ପଡ଼ି ଗୋଟିଏ ଖାଇବା ଦରବ ହୋଇଥିବ ବୋଲି ନିଶ୍ଚେ ମନକୁ ଆସିବ। ବାଇଗଣରେ ଅଣ୍ଡା ପକାଇ ଲୋକେ ଅଣ୍ଡା ବାଇଗଣ ରୋଷେଇ ମଧ୍ୟ କରୁଛନ୍ତି। ତେବେ, ଏଠି ଯେଉଁ ‘ଅଣ୍ଡା ବାଇଗଣ’ କଥା କହାଯାଉଛି, ତାହା ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ସେମିତି ସୁଆଦିଆ। ହେଲେ ତାହା ତେଲ କଡ଼େଇରେ ନୁହେଁ ଗଛରେ ଫଳୁଛି। ଦୁର୍ଗାପାଲିର ସଂଯୁକ୍ତା ମେହେରଙ୍କ ଘରେ ଏହି ବାଇଗଣ ପ୍ରଥମେ ଫଳିଥିଲା। ତାଙ୍କ ଗମଲାରେ ବାଇଗଣ ଗଛଟି ଉଠିଥିବା ବେଳେ ସେ ତାର ଯତ୍ନ ନେଇଥିଲେ।

ସେଥିରେ ୨ଟି ବାଇଗଣ ଫଳିଥିଲା, ଯାହା ଦେଖିବାକୁ ଅବିକଳ ଅଣ୍ଡା ଭଳି ଦେଖିବାକୁ। ସେ ସେଥିରୁ ଗୋଟିଏ ବାଇଗଣ ତାଙ୍କ ସାଙ୍ଗ ଧନୁପାଲିର କଳ୍ପନା ମିଶ୍ରଙ୍କୁ ଦେଇଥିଲେ ଏବଂ ନିଜେ ଗୋଟିଏ ରଖିଥିଲେ। ଦୁହେଁ ତଳି ପକାଇଥିଲେ। ଏବର୍ଷ ଉଭୟଙ୍କର ଏକାଧିକ ଗଛ ଉଠିଛି। ପ୍ରତି ଗଛରେ ୫ରୁ ୮ଟି ବାଇଗଣ ଫଳୁଛି। ଯାହାର ସ୍ବାଦ ବାଇଗଣ ଭଳି କିନ୍ତୁ ତାର ଅଣ୍ଡାକୃତି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଉଭୟ ଏବର୍ଷ ମଧ୍ୟ ନୂଆ ଚାରା ପକାଇବେ ବୋଲି କହିଛନ୍ତି। ଏହି ବାଇଗଣ ଲଗାଇବା ପରେ ବଗିଚାରେ ସୌନ୍ଦର୍ଯ୍ୟ ଅଧିକ ବଢ଼ୁଛି ବୋଲି ସଂଯୁକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର